୧୩ ଦିନରେ ଧାନ ଗଛରୁ ଥୋଡ ଚିଞ୍ଛା ବାହାରିଲା, ଚାଷୀ ହତାସ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୩ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି । ଏହାକୁ ନେଇ ଚାଷୀ କୃଷିବିଭାଗ ଅଫିସରେ ଜାଣାଇଛନ୍ତି । କୃଷୀ ଅଧିକାରୀ କ୍ଷେତ ବୁଲି ଅନୁଧ୍ୟାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । କିସମ ସମ୍ପର୍କରେ ଜାଣି ନ ଥିବାରୁ ବିହନ ଦୋକାନୀ ଠକି ଦେଇଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

 

ପଟ୍ଟାମୁଣ୍ଡାଇ ପୌରାଂଚଳର ବେଲତଳ ଗ୍ରାମର ଚାଷୀ ସନ୍ତୋଷ ପାଢୀ କୁହନ୍ତି ୨ ଏକର ବିଲ ଚାଷ ପାଇଁ ସମବାୟ ସମିତିରୁ ସରକାରୀ ବିହନ ପାଇଁ ଯାଇଥିଲି । ମାତ୍ର ସମବାୟ ସମିତିରେ ବିହନ ନମିଳିବାରୁ ବଜାରରୁ ବିହନ କିଣି ତଳି ପକାଇବା ପରେ ଧାନ ଗଜା ହୋଇନଥିଲା । ଶ୍ୱଳ୍ପବୃଷ୍ଟିପାତ କାରଣରୁ ଧାନଗଜା ନହେବା ଭାବି ପୁଣି ଥରେ ଧାନ କିଣି ତଳି ପକାଇ ୨ ଏକର ବିଲରେ ରୁଆପୋତା କରିଥିଲି । ହେଲେ ତଳି ରୁଆ ହେଉହେଉ ଧାନରେ ଥୋଡ ଆସିଥିବା ଦେଖିବାକୁ ପାଇଲି । ତଳି ରୋଇବାର ମାତ୍ର ୧୫ଦିନ ମଧ୍ୟରେ ଏହି ରୁଆ ଧାନରେ ଥୋଡ ଓ ଚିଞ୍ଛା ବାହାରିବା ଚିନ୍ତାରେ ପକାଇଛି । ଯେଉଁ ଧାନ ସର୍ବନିମ୍ନ ସାଢେ ଚାରିମାସରେ ଥୋଡ ବାହାରିବା କଥା, ତାହା ତଳିପଡି ରୁଆ ହେବାର ଦେଢ ମାସ ମଧ୍ୟରେ ଥୋଡ ଆସିଛି । ବାହାରିଥିବା ଥୋଡ ଅତ୍ୟନ୍ତ ଦୁର୍ବଳ ଓ ନିମ୍ନମାନର ହୋଇଥିବାରୁ ତାହା ମଧ୍ୟ ଅମଳକ୍ଷମ ନହେବା ସନ୍ଦେହ ପ୍ରକାଶ ପାଇଛି ବୋଲି ସେ କହିଛନ୍ତି ।

ସାମାଜିକକର୍ମୀ ପ୍ରତାପ ପାଢୀ କୁହନ୍ତି ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ କୃଷି ବିଭାଗର ଖାମଖିଆଲି ନୀତି ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଚଳିତ ଖରିଫ ଚାଷ ଆରମ୍ଭରୁ ବର୍ଷା ଲୁଚକାଳି ଖେଳ, ବିହନ ଅଭାବ ସହ ସଂଗ୍ରାମକରି ଚାଷ କାର୍ଯ୍ୟ ଆଗେଇ ନେଇଥିଲେ । ମାତ୍ର ଧାନରୁଆ ହେବାର ୧୩ ଦିନ ମଧ୍ୟରେ ରୁଆଧାନରୁ ଥୋଡ ବାହାରିବା ଚାଷୀମାନଙ୍କ ହାରାସ କରିଛି ।ସରକାରୀ ଷ୍ଟାମ୍ପରେ କିଣାଯାଉଥିବା ବିହନ ଅତ୍ୟନ୍ତ ନିମ୍ନମାନର ଓ ନକଲି ହୋଇଥିବାରୁ ଏପରି ଅଭାବନୀୟ ସ୍ଥିତି ଦେଖିବାକୁ ମିଳୁଛି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି ।ଚାଷୀ ରଞ୍ଜିତ ପ୍ରଧାନ କହିଛନ୍ତି, ସରକାର ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ, ସାର, ଔଷଧ ଯୋଗାଇଦେବେ ବୋଲି ପ୍ରଚାର କରୁଛନ୍ତି । ଚାଷୀଙ୍କୁ ଉନ୍ନତମାନର ବିହନ, ସାର, ଔଷଧ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରଥମିକ ସମବାୟ ସମିତି ଗଠନ କରିଛନ୍ତି । ପ୍ରକୃତରେ ଉନ୍ନତମାନର ବିହନ ସରକାର ଯୋଗାଇ ଦେଉନାହାନ୍ତିି । ମାତ୍ର ଚଳିତ ବର୍ଷ କୃଷି ସେବା ସମିତିରୁ ଚାଷୀ ଉନ୍ନତ ବିହନ ପାଇପାରୁନାହାନ୍ତି କିମ୍ବା ସାର, ଔଷଧ ମଧ୍ୟ ଠିକ୍ ସମୟରେ ମିଳୁନାହିଁ । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ।ଯୁବଚାଷୀ ସୁଶାନ୍ତ ସାମଲ କହିଛନ୍ତି, ସରକାରୀ ସିଡ୍‌ସ ର୍କପୋରେଶନରୁ ବିହନ ନ ମିଳିବାରୁ ଚାଷୀ ବଜାରରୁ ବିହନ କିଣିଥିଲେ । ହେଲେ ଏବେ ସେମାନେ ଠକାମିର ଶିକାର ହୋଇଛନ୍ତି । ଠିକ୍ ସମୟରେ ଚାଷୀ ବିହନ ନ ପାଇଲେ ଗୋଟିଏ ବର୍ଷର ଧାନଫସଲ ଅମଳ କରିବା ସମ୍ଭବ ହେବନାହିଁ । ବଜାରରୁ କିଣୁଥିବା ଧାନ ବିହନ ଉନ୍ନତମାନର ନଥିବାରୁ ଏଭଳି ଠକାମିରେ ପଡିଛନ୍ତି । ସରକାର ତୁରନ୍ତ ଚାଷୀମାନଙ୍କୁ ନିମ୍ନମାନର ଧାନ ବିହନ ବିକ୍ରି କରିଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିଗ୍ରସ୍ତ ଚାଷିକୁ କ୍ଷତିପୁରଣ ଯୋଗାଇଦେବା ଦରକାର ।ଏବାବଦରେ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକ କୁହନ୍ତି ନିଗମଦ୍ୱାରା ଆଦୃତ ବିହନ ଚାରୋଟି ସ୍ତରରେ ଚେକ ହେବାପରେ ଚାଷୀଙ୍‌କ ନିକଟକୁ ଆସିଥାଉ । ଯଦି ସେବିହନରୁ ଗଜାହେବାରେ ଫେଲ ମାରେ ନୂଆ ବିହନ ମିଳିଥାଏ । ବଜାରରୁ କିଣି ଚାଷ କରିଥିବା ବିହନ ଉପରେ ସରକାରଙ୍କ ତରଫରୁ କୌଣସି ସୁବିଧା ନାହିଁ ବୋଲି କହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading