ପଟ୍ଟାମୁଣ୍ଡାଇ ପୌରାଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ,ଏନଜିଟି ଫାସରେ ପଡିବାର ସମ୍ଭାବନା


ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ପରିସ୍ଥିତି ସଂଗୀନ

ମଶା ଉପଦ୍ରବରେ ସହର ବାସୀ ଅତିଷ୍ଠ

ବର୍ଜ୍ୟବସ୍ତୁର ସଠିକ ପରିଚାଳନା ହେେଉନି

       

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରାଂଚଳରେ ଉନ୍ନତି କରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାନଙ୍କରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାସ୍ତାଘାଟ, ପୋଖରୀ ସୌନ୍ଦର୍ଯ୍ୟ କରଣ ଓ ଆଲୋକିକରଣ ଏବଂ ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ସକାଶେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ରାଶି ଯୋଗାଇ ଦେଇଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ପୌରାଂଚଳରେ ଉକ୍ତ ଅନୁଦାନକୁ ବିଭାଗୀୟ କର୍ତୃପକ୍ଷ ଯେକୌଣସି ବାଟରେ ଖର୍ଚ୍ଚ କରି ବିଲ୍ ଉଠାଇନେବା ଘଟଣା ହାଟରେ ପଡି ଦାଣ୍ଡରେ ଗଡୁଛି ବୋଲି ଅଭିଯୋଗ ହେଇଛି ।

ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଂଚଳର ସାହି, ଗଳିକନ୍ଦିର ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ରାସ୍ତା ଉନ୍ନତିକରଣ କାମ ଅତି ନିମ୍ନମାନର ହୋଇଥିବା ଯୋଗୁଁ ରାସ୍ତା ଦବି ପେଭର ଉଠି ଗର୍ତ ସୃଷ୍ଟି ହୋଇ ଚଲାପଥକୁ ଅଧିକ ଅସୁରକ୍ଷିତ କରୁଛି । ଏଭଳି ସ୍ଥିତି ରେ ବିକାଶ କାମ ଉପରେ ସନ୍ଦେହ ଉପୁଜିବା ସ୍ୱାଭାବିକ । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଦିନ ଦିନ ଧରି ମଇଳା ଉଠୁନାହିଁ । ଡ୍ରେନଗୁଡିକରେ ମଶାମରା ତେଲ ବ୍ୟବହାର କରାଯାଉନାହିଁ । ଫଳରେ ମଶା କାମୁଡ଼ାରେ ପୌରବାସୀ ନୟାନ୍ତ ହୋଇ ପଡିଛନ୍ତି । ହେଲେ ପୌର ସ୍ୱାସ୍ଥ୍ୟ ଅଧିକାରୀ ଭଲ ନିଦରେ ଶୋଇଛନ୍ତି ।

ଯୁବନେତା ସତ୍ୟପ୍ରିୟ ସାମଲ କୁହନ୍ତି ପଟ୍ଟାମୁଣ୍ଡାଇ ପୌରପରିଷଦ ବର୍ଜ୍ୟବସ୍ତୁର ସଠିକ ପରିଚାଳନା କରି ନ ପାରିବା ଦ୍ୱାରା ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁର ପଡିରହିଛି । ଫଳରେ ଖୁବଶୀଘ୍ର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ର ଫାଶରେ ପଡିବାର ସମ୍ଭାବନା ସୃଷ୍ଟି କରିଛି । ଏନ୍‌ଜିଟି କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ପକାଇବା ଏବଂ ଆବର୍ଜନା ସ୍ଥାନରେ ଜଳାଇବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କ ଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ଜରିମାନା ସ୍ୱରୂପ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂ-ରାଜସ୍ୱ ଆକାରରେ ଆଇନ ଅନୁଯାୟୀ ଆଦାୟ କରାଯିବ । କିନ୍ତୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଏହି ନିର୍ଦ୍ଦେଶକୁ ଅବମାନନା କରି ଚାଲିଛନ୍ତି । ଶୁଖୁଆ ବସ୍ତି ପାଖ କେନାଲ ରୋଡ କଡରେ ଆବର୍ଜନା ପକାଇ ଦିଆଯାଉଛି ।

ସେହିପରି ଅବିନାଶ ଲେଙ୍କା କୁହନ୍ତି ଦେଶରେ ବ୍ୟବସ୍ଥାଗତ ଦୃଷ୍ଟିରୁ ପୌରାଂଚଳକୁ ପ୍ରଶାସନିକ ବ୍ୟବସ୍ଥାରୁ ମୁକ୍ତ କରାଯାଇଛି । ସହରବାସୀଙ୍କ ମତଦାନରେ କାଉନସିଲ ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି । ଯଦ୍ୱାରା ସେମାନେ ନିଜ ଅଂଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ତାଙ୍କ ସହରକୁ ଆହୁରି ବିକାଶମୁଖର କରି ପାରିବେ । କିନ୍ତୁ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଂଚଳରେ ବିକାଶର ଗତି ଓଲଟା ହୋଇଯାଇଛି ।

ବୁଦ୍ଧିଜିବୀ ସନାତନ ବିଶ୍ୱାଳ କୁହନ୍ତି ପଟ୍ଟାମୁଣ୍ଡାଇ ସହର ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ବଢ଼ୁଛି । ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବା ପାଇଁ ଆସିଥାନ୍ତି । ବହୁ ପର୍ଯ୍ୟଟକ ଖାଲଖମାରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନଜିର ରହିଛି । ଡ୍ରେନ୍ ଉପରେ ସ୍ଲାପ୍ ନ ଥିବାରୁ ବହୁ ସମୟରେ ଛୋଟପିଲା, ବାଇକ୍ ଚାଳକ ଓ ପଶୁ ନଳା ଭିତରେ ଗଳି ପଡୁଛନ୍ତି । ଅନ୍ୟପକ୍ଷରେ ଆଗକୁ ପାର୍ବଣ ଆସୁଥିବା ବେଳେ ୱାର୍ଡ଼ ଗୁଡିକରେ ଥିବା ରାସ୍ତା ଘାଟ ,ପାନୀୟଜଳ, ପରିମଳ ବ୍ୟବସ୍ଥା ଓ ଷ୍ଟିଟଲାଇଟ୍ ସଠିକଭାବେ ପରିଚାଳନା କରିବାକୁ ସାଧାରଣରେ ଦାବୀ ହେଉଛି ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ନାରାୟଣ ପ୍ରଶାଦ ଗିରୀଙ୍କୁ ପଚାରିବାରେ ରାସ୍ତାଘାଟ ଅଳ୍ପବହୁତ ଖରାପ ଅଛି । ଆଗକୁ ଆଲୋକୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।


Next Post

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ୧୭ଦିନରେ,ଆନ୍ଦୋଳନକୁ ନେତୃତ୍ୱ ଦେଲା ରାଜକନିକା ବ୍ଲକ, ଦିନକ ପରେ ମହାସଂଗ୍ରାମ

Fri Sep 22 , 2023
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣା ୧୭ଦିନରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ଥିଲେ ମଧ୍ୟ ସରକାରଙ୍କ ଠାରୁ କୈାଣସି ସଙ୍କେତ ମିଳୁନଥିବାରୁ ଚୁପ ହୋଇ ବସିଛି । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ସରକାରଙ୍କୁ ଚାପଗ୍ରସ୍ତ କରି ଦାବି ହାହଲକୁ ନିଶ୍ଚିନ୍ତ କରିବା ନିମନ୍ତେ ପ୍ରତିକୂଳ ପାଗ ସତ୍ତ୍ୱେ ପୁରା ଦମ୍ ଲଗାଇ ଦେଇଛି । କମିଟିର […]

KANIKA