କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ


କେନ୍ଦ୍ରାପଡ଼ା,୨୩ା୯ : ଦୀର୍ଘଦିନ ହେବ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦଳମତ ନିର୍ବିଶେଷରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଚାଲିଥିବା ଆନ୍ଦୋଳନ ସହିତ ଗତ ଗୁରୁଦିବସ ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୧୮ଦିନ ଧରି ଚାଲିଥିବା ଗଣଧାରଣା ଆଜି ଶୀର୍ଷ ରୂପ ନେଇଛି । ଏହି ଆନ୍ଦୋଳନରେ ସମସ୍ତ ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳର ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀମାନେ ସାମିଲ ହୋଇ ଦୁହୁରିଆ ଠାରେ କଟକ- ଚାନ୍ଦବାଲି ରାଜ୍ୟ ରାଜପଥ, ୫ନମ୍ବର(କ) ଜାତୀୟ ରାଜପଥ ଏବଂ ହରିଦାସପୁର- ପାରାଦୀପ ରେଳ ପଥକୁ ସମ୍ପୂର୍ଣ୍ଣ ଅବରୋଧ କରିବା ଫଳରେ ସେହିସବୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଟ୍ରକ, ବସ, କାର, ମିନିଟ୍ରକ ସମେତ ମାଲବାହୀ ରେଳ ଗୁଡିକ ଠପ ହୋଇଯାଇଥିଲା । ମିଳିତ କ୍ରୀୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ଚିତ୍ତରଞ୍ଜନ ଦାସ ପ୍ରଭୃତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଅର୍ଥନୈତିକ ଅବରୋଧ ଆନ୍ଦୋଳନ ପରିଚାଳିତ ହୋଇଥିଲା । ନାହିଁ ନାହିଁର ଜିଲ୍ଲା କେନ୍ଦ୍ରାପଡା ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତରୀ ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲାରେ କୈାଣସି ଠୋସ ବିକାଶ କାର୍ଯ୍ୟକ୍ରମ ସରକାର ହାତକୁ ନେଲେ ନାହିଁ । ହଜାରରେ ଜଣେ ଡାକ୍ତର ନିଯୁକ୍ତି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦେଶ ଥିବା ବେଳେ ୧୫ରୁ ୧୬ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡା ଜିଲ୍ଲାରେ ମାତ୍ର ୧୨୯ଜଣ ଡାକ୍ତର ଅଛନ୍ତି । କେନ୍ଦ୍ରାପଡା ପ୍ରତି ରାଜ୍ୟ ସରକାର ଆଖି ବୁଜିଦେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଆଜି ଆନ୍ଦୋଳନରେ ସାମିଲ ହୋଇଥିବା ରାଜନୈତିକ ନେତୃବୃନ୍ଦମାନେ ମତବ୍ୟକ୍ତ କରିଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଅଲେଖ ଚନ୍ଦ୍ର ଜେନା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ତେଜେଶ୍ୱର ପରିଡା, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ, ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ପ୍ରଫେସର ନନ୍ଦ କିଶୋର ପରିଡା, ବାସୁଦେବ ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ କେନ୍ଦ୍ରାପଡା ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅବହେଳା ବିରୋଧରେ ତୀବ୍ର ସମାଲୋଚନା କରିଥିଲେ । ରାଜ୍ୟ ସରକାର ଯଦି ଏହି ବିଧାନସଭା ଅଧିବେସନ ଭିତରେ ମେଡିକାଲ କଲେଜ ପାଇଁ ଘୋଷଣା ନକରନ୍ତି ତେବେ ଆସନ୍ତା ଦିନମାନଙ୍କରେ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବା ସହିତ ସମ୍ପୂର୍ଣ୍ଣ ଜିଲ୍ଲାକୁ ଅଚଳ କରିଦିଆଯିବ ବୋଲି ଆନ୍ଦୋଳନରତ ବକ୍ତାମାନେ ଆହ୍ୱାନ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading