ଜଳସେଚନ ଓ ବାଣିଜ୍ୟ କାରବାରର ଏକମାତ୍ର ବିକଳ୍ପ ଥିବା ସର୍ବ ପୁରାତନ ବ୍ରିଟିଶ ଅମଳର ଗୋବରୀ ସମ୍ପ୍ରସାରିତ କେନାଲ ଅସ୍ତିତ୍ୱ ହରାଇଛି


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳ ୧୫ ପଂଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲକୁ ସଂଜୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ । ଅତିତରେ ଏହି ଗୋବରୀ କେନାଲ ଦେଇ ଜଳସେଚନ ଓ ବାଣିଜ୍ୟ କାରବାରର ହେଉଥବା ବେଳେ ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ ଲାଗିଛି । ଫଳରେ ପରିବହନ କଥା ଛାଡନ୍ତୁ ଜଳସେଚନ ଠିକ ଭାବେ ହେଉନଥିବାରୁ ୧୫ ପଂଚାୟତର ଚାଷୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ।

 

ବୁଦ୍ଧିଜିବୀ ବିଜୟ ଦାସ କୁହନ୍ତି , କଟକ ମାଲ ଗୋଦାମକୁ ଜଳ ପଥରେ ମାଲ ପରିବହନର ଏକମାତ୍ର ମାଧ୍ୟମ ଥିଲା ଗୋବରୀ କେନାଲ । ଏହି ଜଳପଥ ଦେଇ ଡଙ୍ଗାରେ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମହାକାଲପଡା ଓ ରାଜନଗର ଅଂଚଳରୁ ଧାନ, ଚାଉଳ, ମୁଗ, ବିରି, ବାଦାମ ପ୍ରଭୃତି ଜଳପଥରେ କଟକ ମାଲ ଗୋଦାମକୁ ଯାଉଥିଲା । ଡଙ୍ଗା ଫେରିବା ବେଳେ ମାଲ ଗୋଦାମରୁ ମଧ୍ୟ ଗୁଡ ବଣା, ଲୁଣ ଭଳି ବିଭିନ୍ନ ଜିନିଷ ଧରି ବ୍ୟବସାୟୀମାନେ ଫେରୁଥିଲେ । ଫଳରେ ଏହି କେନାଲ ମାଧ୍ୟମରେ ଏହି ଅଂଚଳର ଖାଦ୍ୟ ଆବଶ୍ୟକତା ପୂରଣ ହେଉଥିଲା । ଏକଦା ପେଟରୁ ପକେଟ ପ୍ରଯ୍ୟନ୍ତ ପରିବ୍ୟାପ୍ତ ଥିବା ଏହି କେନାଲ ଏବେ ପରିତ୍ୟକ୍ତ । କିଛି ନହେଲେବି ଏହାର ପୁନରୁଦ୍ଧାର ହେଲେ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରନ୍ତା ।

ପୁର୍ବତନ ବିଧାୟକ ତାପସ ଦାସ କୁହନ୍ତି , ୧୮୬୬ ମସିହା ନଅଙ୍କ ଦୃର୍ଭିକ୍ଷ ସମୟରେ ଓଡ଼ିଶାର ବିକଳ ଚିତ୍ର ବ୍ରିଟିଶର ମାନଙ୍କୁ ବାଧ୍ୟ କରିଥିଲା ଲୋକ ମାନଙ୍କ ଜୀବନ ଜିବିକା କଥା ଚିନ୍ତା କରିବାକୁ । ଆଉ ସେଇ ବ୍ରିଟିଶର ମାନଙ୍କ ଉଦ୍ୟମରେ ଦୃର୍ଭିକ୍ଷରେ ଅଧିକ ପ୍ରଭାବିତ ହୋଇଥିବା କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଜଳସେଚନ ବ୍ୟବସ୍ଥାକୁ କିଭଳି ସୁଦୁଢ କରାଯାଇ ପାରିବ ସେତେବେଳେ ମାଷ୍ଟର ପ୍ଲାନ କରାଯାଇ ପଟ୍ଟାମୁଣ୍ଡାଇ କେନାଲର ପରିକଳ୍ପନା କରାଯାଇଥିଲା । ୧୮୭୧ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇ ୧ ଲକ୍ଷରୁ ଅଧିକ ହେକ୍ଟର ଚାଷ ଜମିକୁ ଜଳସେଚିତ କରିପାରିଥିଲା । ୧୮୭୮ ମସିହାରେ ଅଳଭା ଠାରୁ ଗଣ୍ଡାକିଆ କେନାଲକୁ ସମ୍ପ୍ରସାରଣ କରାଯାଇଥିଲା ତାର ନାମ ଗୋବରୀ ସଂପ୍ରସାରିତ କେନାଲ ହୋଇଥିଲା । ଏହି ଗୋବରୀ କେନାଲ ବ୍ରାହ୍ମଣୀରୁ ଅଳଭା ଲକ୍ ଦେଇ ଗଣ୍ଡାକିଆ ଗୋବରୀ ମଧ୍ୟ ଦେଇ ପାରାଦୀପକୁ ନୌବାଣିଜ୍ୟ ହେଇଥିଲା । । ବଡ଼ ବଡ଼ ଡ଼ଙ୍ଗା ସାହାଯ୍ୟରେ ଅନ୍ୟ ରାଜ୍ୟକୁ ଝୋଟ ସହ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ଦ୍ରବ୍ୟ ରପ୍ତାନି ଓ ଆମଦାନୀ ହେଉଥିଲା । ପରବର୍ତୀ ସମୟରେ ଏହି ବାଣିଜ୍ୟ ବ୍ୟବସାୟ ଓଡ଼ିଶାର ଆର୍ôଥନୀତିକୁ ସୃଦୁଢ କରିଥିଲା । ତେବେ ସମୟ ବଦଳିବ ସାଙ୍ଗକୁ ପରିବହନ ଓ ଯାତାୟତ ସରଳ ହେଲା ସ୍ଥଳପଥରେ ଏସବୁ କାରବାର ଓ ଯାତାୟତ ଆରମ୍ଭ ହେବା ପରେ ଏହି କେନାଲ ସେବେଠାରୁ ଆଜି ପର୍ଯ୍ୟନ୍ତ ଜଳସେଚନର ବୃହତ ମାଧ୍ୟମ ପାଲଟରହିିଛି ।

ଶିକ୍ଷାବିତ୍ ପ୍ରଫୁଲ୍ଲ ଦାଶ କୁହନ୍ତି ଏହି ଗୋବରି କେନାଲ ଏବେ ତାହାର ଅସ୍ଥିତ୍ୱ ହରାଇବାକୁ ବସିଛି । ୨୦୧୮ରେ ଉକ୍ତ କେନାଲର ଦୁଇ ପାର୍ଶ୍ୱ ପୋତି ଚଉଡା କମ୍ କରି ଦିଆଗଲା । ପରେ ପରେ ଅଳଭା-ଗଣ୍ଡାକିଆ ଲକ୍‌କୁ ମଧ୍ୟ ବନ୍ଦ କରି ଦିଆଗଲା । କେନାଲ ବନ୍ଧ ଚଉଡା ଶକ୍ତ କରାଯାଇ ଜଳସେଚନ ଏକମାତ୍ର ବିକଳ୍ପ ଭାବେ ଏହି କେନାଲ ବ୍ୟବହାର ହେଉଛି । ଏବେ ମୁଖ୍ୟ କେନାଲକୁ ପ୍ରତିବର୍ଷ ସଫା ଓ ଖୋଳା ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି । ମାତ୍ର ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲକୁ ସଠୀକ ଜଳ ପ୍ରବେଶ କରି ପାରୁନାହିଁ । ଫଳରେ କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡାର ଅଧିକାଂଶ ଚାଷଜମି ପଡିଆ ପଡୁଛି ।

ଏହି କେନାଲରେ ୧୩୩ କ୍ୟୁସେକ ଜଳଧାରଣ କରିବା କଥା । ମାତ୍ର ଏବେ ଏହା କମିକମି ଛାଲିଛି । ଏହି ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡାକୁ ଦୈନିକ ପ୍ରାୟ ୮୦ରୁ ୯୦ କ୍ୟୁସେକ ଜଳ ପ୍ରବାହିତ ହେବା ଆବଶ୍ୟକ ବୋଲି ସହକରୀ ଯନ୍ତ୍ରୀ ପ୍ରଭାତ ସାହୁ କହିଛନ୍ତି । ମାତ୍ର ବର୍ତମାନ ସବୁଦିନ ୪୦ କ୍ୟୁସେକ ପାଣି ଯୋଗାଇବା ଜଳସମ୍ପଦ ବିଭାଗ ପକ୍ଷରେ ସମ୍ଭବ ହେଉନାହିଁ । ତେଣୁ କେଉଁଦିନ ୨୦ କ୍ୟୁସେକ ତ କେଉଁଦିନ ୧୫ କ୍ୟୁସେକ ପାଣି ଛଡ଼ାଯାଉଛି । କେନାଲ ସଙ୍କୁଚିତ ହେବା ଓ କେତେକ ସ୍ଥାନରେ ଅବରୋଧ ଯୋଗୁ ତଳମୁଣ୍ଡରେ ସେତିକି ପରିମାଣର ପାଣି ମଧ୍ୟ ପହିଁଚୁ ନାହିଁ ବୋଲି ଚାଷୀମାନେ ଅଭୀଯୋଗ କରୁଛନ୍ତି ।


Next Post

କେନ୍ଦ୍ରାପଡା ପୌରାଞ୍ଚଳ ୧୮ନଂ ୱାର୍ଡରେ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ

Sun Oct 1 , 2023
କେନ୍ଦ୍ରାପଡା,୧/୧୦- ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳନ ପୂର୍ବଦିନ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରାପଡା ପୌରାଞ୍ଚଳର ୧୮ନଂ ୱାର୍ଡକୁ ସ୍ଥାନୀୟ ପୌରସଭ୍ୟ ଚୌଧୂରୀ ସୁକୁମାର ଦାସଙ୍କ ନେତୃତ୍ୱରେ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ସରିତା ସାହୁ ଉପସ୍ଥିତରହି ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । କାକଟଙ୍ଗଳା ମନ୍ଦିର ଠାରୁ ସହରର ମୁଖ୍ୟ ରାସ୍ତା ଦେଇ ବାଲାବାବା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଅଳିଆ ଆବର୍ଜନାକୁ ସଫା କରାଯାଇ ବ୍ଲିଚିଂ […]

KANIKA