
ଆଶ୍ୱିଣ ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇଉଠେ । ପାର୍ବଣ ନେଇ ପୁଣି ଫେରିଛି ଶରତ ଋତୁର ଆଶ୍ୱିନ ମାସ । ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ । ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ । ଆଜି ମହାଳୟା ମା’ଙ୍କ ମୃଣ୍ମୟ ମୂର୍ତିରେ ଖଡି ଚଢା ହେଇଛି । ରବିବାର ଠାରୁ ନବରାତ୍ରୀ ଆରମ୍ଭ ହେବ ପରେ ପଡିବ ଦଶହରା । ଆଉ ମାତ୍ର କେଇଦିନର ଅପେକ୍ଷା । କାରିଗରଙ୍କୁ ର୍ଫୁସତ ନାହିଁ । ସବୁଥର ପରି ଏଥର ବି ତୋରଣରେ ଆଖିଖୋସା ଅନୁଭବ ଭେଟି ଦେବେ ପଟ୍ଟାମୁଣ୍ଡାଇର ପ୍ରମୁଖ ପୂଜା ମଣ୍ଡପ ।ଏହି ଅଂଚଳରେ ନିଆରା ପୂଜା ବିଧିର ପରମ୍ପରା ଚଳି ଆସିଛି ।

ବଙ୍ଗାଳୀସାହି ମେଢ ସଭାପତି ବିଜୟ ଦାସ କୁହନ୍ତି ଆମ ସାହି ମୁଣ୍ଡରେ ମା’ଙ୍କର ମୃଣ୍ମୟୀ ମୂର୍ତି ତିଆରି ଚାଲିଛିି । ଏହି ସାହିରେ ପ୍ରାୟ ୧୦୦ ଅଧିକ ପରିବାର ରୁହନ୍ତି । ଦୁର୍ଗା ପୂଜା ଉତ୍ସବ ଆସିଲେ ଦେଶ ବିଦେଶରେ ରହୁଥିବା ପରିବାରର ସଦସ୍ୟ ମାନେ ଗାଁକୁ ଫେରିଥାନ୍ତି । ବର୍ଷକରେ ଥରେ ହୋଇଥାଏ ଭେଟଘାଟ । ସବୁରି ଘରେ ଚାଲେ ପିଠାପଣାର ଆସର । ନୂଆ ପୋଷାକ ସାଙ୍ଗକୁ ସ୍ୱାଦିଷ୍ଟ ବ୍ୟଞ୍ଜନରେ ମହକେ ସାହିଟା ସାରା । ଏମାନଙ୍କ ଘରେଘରେ ନିଆରା ପୂଜା ବିଧିର ପରମ୍ପରା ଚଳି ଆସିଛି ପ୍ରାୟ ୫୦୦ ବର୍ଷରୁ ଅଧିକ ହେବ ।ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା ହେଉଛି ତର୍ପଣ, ୯ଟି ବୃକ୍ଷ ପୂଜା, କାଳପ୍ରାରମ୍ଭ, ସିନ୍ଦୁରଖେଳଏବଂ କୁମାରୀ ପୂଜା । ଆମ ସାହି ମା, ମାନେ ନିଜର କନ୍ୟା ସଦୃଶ ମା’ଙ୍କୁ ଦେଖିଥାନ୍ତି । ବର୍ଷକରେ ଥରେ କନ୍ୟା ଯେମିତି ବାପ ଘରକୁ ବୁଲି ଆସନ୍ତି ସେମିତି କନ୍ୟାରୁପରେ ମା’ଧରା ପୁଷ୍ଟରେ ଅବତରଣ କରନ୍ତିି । ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ । ମା’ଙ୍କୁ ଏଠି କାଳିକା ତନ୍ତ୍ରରେ ପୂଜା କରାଯାଏ । ମା’ଙ୍କ ପୂଜା ଆରାଧନା ପାଇଁ ସାହିସାରା ଲୋକଙ୍କ ନିଆରା ସିହରଣ ଥାଏ । ନବମି ପୂଜାରେ ମା’ଙ୍କୁ କୁଆଁରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ । ଦଶମୀ ପୂଜାରେ ଦେବୀଙ୍କ ନିକଟରେ ଅପରାଜିତା ପୂଜା ହୁଏ । ଏହାପରେ କରାଯାଏ ସିନ୍ଦୁର ଓ ଅବିର ଖେଳ ।ବିଜୟାଦଶମୀରେ ମା’ଙ୍କ ନିକଟରେ ସିନ୍ଦୂର ଖେଳସମ୍ପର୍ଣ୍ଣ ହୋଇଥାଏ । ସାହିର ସମସ୍ତ ପୁରୁଷ ଓ ମହିଳା ମାନେ ୫ ଦିନର ପୂଜା ପରେ ମା’ଙ୍କୁ ଶେଷ ଅର୍ଘ୍ୟ ଦିଅନ୍ତି । ଯେତେବେଳେ ମା’ ପାଣିକୁ ବିସର୍ଜନ ହେବାକୁ ପୂଜା ମଣ୍ଡପ ଛାଡନ୍ତି ସେତେବେଳେ ସୃଷ୍ଟିହୁଏ ଅଶ୍ରୁଳ ମୁହୁର୍ତ । ଝିଅ ଶାଶୁଘରକୁ ବିଦାୟ ହେବା ସମୟରେ ଯେମିତି ପରିବାରରେ କାନ୍ଦବୋବାଳି ପଡେ ସେତେବେଳେ ଝିଅର କାନିରେ ମା’କନକ ଅଞ୍ଜୁଳି ବାନ୍ଧି ଦେଇଥାନ୍ତି । ସେମିତି ଏହି ସାହିର ମହିଳା ମାନେ ସେମାନଙ୍କର ଝିଅ ସଦୃଶ ଦୁର୍ଗା ଦେବୀଙ୍କୁ ବିଦାୟ ବେଳାରେ କନକ ଅଞ୍ଜୁଳି ପ୍ରଦାନ କରି ବିଦାୟ ଦିଅନ୍ତି ।

ସେହିପରି ନିଳକଣ୍ଠପୁ ଗ୍ରାମର କାଳିଆ ନନ୍ଦି କୁହନ୍ତି , ନୀଳକଣ୍ଠପୁର ପୂଜାମଣ୍ଡପରେ ଭିନ୍ନ ପରମ୍ପରା ଦେଖିବାକୁଥିବା ବେଳେ ନବମୀ ତିଥିରେ ମାନସିକଧାରୀ ଭକ୍ତମାନେ ମୁଣ୍ଡ ଉପରେ ନିଆଁ ପଲମକୁ ରଖି ସେଥିରେ ଝୁଣା ଜାଳି ମା’ଙ୍କ ପାଦରେ ସମର୍ପଣ କରିଥାନ୍ତି । ଏଥିପାଇଁ ପୂଜାମଣ୍ଡପରେ ଜୋରର୍ସୋରେ ଭକ୍ତଙ୍କ ଗହଳି ଲାଗିଥାଏ । ଦୁର୍ଗାପୂଜାର ନବମୀ ତିଥିରେ ମା’ଙ୍କ ନିକଟରେ ଝୁଣା ପୋଡ଼ିଲେ ସାତ ଜନ୍ମର ପାପକ୍ଷୟ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି । ସେଥିପାଇଁ ଏହି ଦିନରେ ଭକ୍ତମାନେ ନିର୍ଜଳା ବ୍ରତ ରଖି ସନ୍ଧ୍ୟାରେ ମା’ଙ୍କ ଛାମୁରେ ନିଜର ମାନସିକ ଜଣାଇ ଝୁଣା ପୋଡ଼ିଥାନ୍ତି । ଏଥିସହିତ ମା’ଙ୍କ ପାଦ ତଳେ ଓଦା କମ୍ବଳ ଘୋଡ଼େଇ ହୋଇ ଯୋଡ଼ ହସ୍ତରେ ବସି ମା’ଙ୍କୁ ଆରାଧନା କରିଥାନ୍ତି ।

ଦୁର୍ଗା ପୂଜା ପାଇଁ ପଟ୍ଟାମୁଣ୍ଡାଇରେ ବିଶାଳ ଆୟୋଜନ ହେଉଥିବା ବେଳେ ସମସ୍ତ ଦୁର୍ଗା ପୂଜା ସମିତି ପକ୍ଷରୁ ତୋରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୭୦ଭାଗ କାମ ସରିଲାଣି । ଏଥିସହ ପୋଖରିଆପଡା ଦୁର୍ଗା ପୂଜା ସମିତି ପକ୍ଷରୁ ଦଶମୀ ଦିନ ବିଧି ମୁତାବକ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ବୁଲାବୁଲିକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଫୋର୍ସ ସମେତ କମିଟିର ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ପୂଜା ଉତ୍ସବକୁ ମଦବିହୀନ କରିବ ସହିତ ବଜାର ଭିତରୁ ଗାଇଗୋରୁ ହଟାଇବା, ଇକୋ ଟଏଲେଟ କାର୍ଯ୍ୟକ୍ଷମ କରିବା, ଫାଷ୍ଟ୍ ଏଡ୍ ସୁବିଧା ରଖିବା ପାଇଁ ବିଭାଗିୟ ଅଧିକାରୀ ପଦକ୍ଷେପ ଗ୍ରହଣକରିବେ ।ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବ ବୋଲି ଆଇଆଇସି ରଞିତ ମହାନ୍ତି କହିଛନ୍ତି ।











