
ଡାକ୍ତର ରଶ୍ମିତା ସେଠୀ
ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ । କିନ୍ତୁ ନିଜସ୍ୱ ସଂସ୍କୃତି ଓ ପରମ୍ପରାକୁ ଓଡି଼ଆ ଜାତି କେବେ ଭୁଲିଯାଇନାହିଁ । ଓଡି଼ଶାର ଶାକ୍ତ ପରମ୍ପରା ସୁପ୍ରାଚୀନ । ଓଡି଼ଶାରେ ରହିଥିବା ଶକ୍ତିପୀଠ ଗୁଡିକ ତାର ଜ୍ୱଳନ୍ତ ପ୍ରମାଣ । ମୃତିକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି । ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି କୁମୂଳ ମନ୍ତ୍ର କରି ନିଜ ଜୀବନ ଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ପାଥେୟ କରି ଜୀବନ ମଙ୍ଗଳମୟ ହେବା ପାଇଁ ଆର୍ଶୀବାଦ କାମନା କରିଛି ଏମାଟିର ମଣିଷ । ଏ ମଣିଷ ମା’ର ବନ୍ଦନା ଗାନରେ ବାରମ୍ବାର ଉନ୍ମନା ହୋଇଉଠିଛି । ମା’ର ଆରାଧନା ପାଇଁ ଶୂନ୍ୟ ହାତରେ ବିମନର ସମସ୍ତ ଆବଳିତାକୁ ତ୍ୟାଗକରି ସେ ପାଇଛି ଅସୀମ ଆନନ୍ଦ । ଏହି ଶକ୍ତିପୂଜା ପ୍ରାୟତଃ ୨୦୦୦ ବର୍ଷରୁ ଊର୍ଦ୍ଧ୍ଵହେବ ଓଡ଼ିଶାରେ ପ୍ରଚଳିତ ହୋଇ ଆସୁଥିବାର ସୂଚନା ରହିଛି । ସାରଳା ଦାସଙ୍କ ଲେଖନୀରେ ମାତୃ ପୂଜାର ବର୍ଣ୍ଣନା ରହିଛି । ଓଡି଼ଶାର ଗଜପତି ମହାରାଜା କପିଳେନ୍ଦ୍ର ଦେବ ନିଜକୁ ଦୁର୍ଗା ପୁତ୍ର ବୋଲି କହି ଗର୍ବ ଅନୁଭବ କରୁଥିଲେ, ବୋଲି ଶିଳାଲେଖରୁ ପ୍ରମାଣ ମିଳେ । ତେଣୁ ଓଡ଼ିଶାରେ ଏହିପୂଜାର ଧାରା ଅଦ୍ୟାବଧି ପ୍ରଚଳିତ ହୋଇ ଆସୁଛି । ସମଗ୍ର ବିଶ୍ୱର ପ୍ରତ୍ୟେକ ବସ୍ତୁରେ ଦେବୀ ଶକ୍ତିରୂପରେ ଅବସ୍ଥାନ କରିଥାନ୍ତି । ତାଙ୍କଠାରୁ ପ୍ରତ୍ୟେକ ବସ୍ତୁ ସୃଷ୍ଟି ହୋଇଥାଏ । ତାଙ୍କଠାରେ ସ୍ଥିତି ପୁଣି ତାଙ୍କରି ଠାରେ ସମସ୍ତଙ୍କର ଶେଷ ହୋଇଥାଏ । ସୃଷ୍ଟିର ଧ୍ୱଂସ କରିବା ମୂଳରେ ଏହି ମହାଶକ୍ତିର ଲୀଳା ଯୁଗେଯୁଗେ ମଣିଷକୁ ସ୍ତମ୍ଭିତ କରିଛି । ସେଇ ଅପରୀପା ଲାସ୍ୟମୟୀ ମା’ ଦୁର୍ଗା ହେଉଛନ୍ତ ‘ଚିନ୍ମୟୀ’, ଶକ୍ତି ଓ ସୌନ୍ଦର୍ଯ୍ୟ ସମନ୍ୱିତ ବିଶ୍ୱ ଚେତନାର ଏକ ଗୁଣାତ୍ମକ ପରିପ୍ରକାଶ । ସେ ସର୍ବଶକ୍ତିର ଆଧାର । ତାଙ୍କ ସହାୟତା ବିନା ସ୍ୱୟଂ ଶିବ ମଧ୍ୟ ଶକ୍ତିହୀନ । ମହିଷାମର୍ଦ୍ଧନୀ ରୂପହିଁ ଦୁର୍ଗା ଭାବରେ ପରିକଳ୍ପିତ । ତେଣୁ ଓଡ଼ିଶାର ବହୁଶକ୍ତି ପୀଠରେ ମହିଷାମର୍ଦ୍ଧିନୀ ମା’ ଦୁର୍ଗାଙ୍କର ବିଗ୍ରହ ପୂଜା ପାଇଆସୁଛି । ସାରଳା ଦାସ କୃତ ଚଣ୍ଡୀ ପୁରାଣରେ ଦୁର୍ଗତିରୁ ଉଦ୍ଧାର ପାଇଁ ଦେବୀଙ୍କ ନାମ ଦୁର୍ଗା ବୋଲି ବର୍ଣ୍ଣନା କରିଛନ୍ତି । ବିଭିନ୍ନ ଭାବରେ ଶ୍ରୀ ଶ୍ରୀ ଦୁର୍ଗାଙ୍କର ନାମକୁ ବିଶ୍ଳେଷଣ କରାଯାଇଛି । ସେ ଦୁର୍ଗ ରକ୍ଷାକାରିଣୀ ସେ ଦୁର୍ଗମ ନାମକ ଅସୁରକୁ ବଧ କରିଥିଲେ ବୋଲି ସେ ମାତା ଦୁର୍ଗା । ଏହିପରି ବିଶ୍ୱରେ ଆଦ୍ୟା ଶକ୍ତିଙ୍କର ସ୍ୱରୂପ ପ୍ରକଟନ କରାଯାଇଛି । ସାରଳା ଦାସ ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କୁ ଧବଳ କାମାକ୍ଷୀ ସେ କର୍ପୂର ବରଣା’ ରୂପରେ ଦେଖିଛନ୍ତି । ଏହି ଶକ୍ତି ପୂଜାର ବହୁଳତା ଆମ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିଶେଷ ଭାବରେ ପରିଲକ୍ଷିତ ହୁଏ । ବହୁ ପ୍ରାଚୀନ କାଳରେ ମହେଞ୍ଜୋଦାରୋ ଓ ହରପ୍ପାର କେତେକ ସ୍ଥାନରେ ମୃଣ୍ମୟୀ ନାରୀ ମୂତ୍ରି ମିଳିଛି । ସେଥିରୁ ପ୍ରମାଣ ମିଳୁଛି ଯେ, ସେତେବେଳେ ବି ମାତୃପୂଜା କରାଯାଉଥିଲା । ଓଡି଼ଶାର ପ୍ରାଚୀନ ଶକ୍ତି ପୀଠମାନଙ୍କରେ ଅଦ୍ୟାବଧି ମା’ ଦୁର୍ଗାଙ୍କର ଆରାଧନା ମହା ଆଡମ୍ବର ସହକାରେ ତଥା ଶୁଦ୍ଧ ପୂତ ଭାବରେ ସମାହିତ ହେଉଛି । ଯାଜନଗରରେ ଅବସ୍ଥିତ ମା’ ବିରଜାଇ, ଶ୍ରୀ କ୍ଷେତ୍ରରେ ମା’ ବିମଳାଙ୍କର ଶାରଦୀୟ ଷୋଢଶପୂଜା ଅତିଭକ୍ତିର ସହିତ ପାଳନ କରାଯାଇଥାଏ । ମା’ ବିମଳାଙ୍କ ପୀଠରେ ଏହି ସମୟରେ ‘ଦୁର୍ଗାମାଧବଙ୍କର ଉପାସନା କରାଯାଇଥାଏ । ବିମଳାଙ୍କୁ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ରୂପରେ ଉପାସନା କରାଯାଇଥାଏ । ଏତଦବ୍ୟତୀତ କାକଟପୁରର ମା’ ମଙ୍ଗଳା, ଖଲି୍କୋଟର ମା’ ନାରାୟଣୀ, ସମ୍ବଲପରରୁ ମା’ ସମଲେଶ୍ୱରୀ, ସୋନପୁରର ମା’ସ୍ତମ୍ଭେଶ୍ୱରୀ, କଳାହାଣ୍ଡିର ମା’ମାଣିକେଶ୍ୱରୀ , ଭଦ୍ରକର ଭଦ୍ରକାଳୀ, ଘଟଗାଁର ତାରିଣୀ ପ୍ରଭୃତି ଶକ୍ତା ଦେବୀ ରୂପରେ ଉପାସତା ହୋଇ ଆସୁଛନ୍ତି । କଟକର ଚଣ୍ଡୀ, ମୟୂରଭଞ୍ଜର କୀଚକେଶ୍ୱରୀ, ବାରିପଦାର ମା’ ଅମ୍ବକାଙ୍କି ପୂଜାର୍ଚ୍ଚନା ପାରମ୍ପରିକ ଭାବରେ ହେଉଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଶକ୍ତିପୀଠ ଥିବାରୁ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ମହା ସମାରୋହରେ ପାଳିତ ହୋଇଥାଏ । ସତ୍ୟ ଶିବ ସୁନ୍ଦର ଓ ଶକ୍ତିର ଅପୂର୍ବ ସମନ୍ୱୟ ଘଟିଛି ସେଇ ମହାମାୟାଙ୍କ ଠାରେ । ବିଶ୍ୱର ହିତ ଲାଗିତଥା ସମଗ୍ର ମାନବ ଜାତିର ମଙ୍ଗଳ ନିମନ୍ତେ ତାଙ୍କର ଶରତ କାଳୀନ ଆବିର୍ଭାବ ଶୁଭଙ୍କର ହେଉ, ଏହା ହିଁ ପ୍ରାଥନା ।










