କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଂଚଳର ଏକ ଡକାୟତି ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ସହକାରୀ ଦୈାରା ଜଜ୍ ଶ୍ରୀମତୀ ସୁଶ୍ରୀ ସଂଗୀତା ମଲ୍ଲିକ ୪ ଜଣ ଦୋଷୀଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୫ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ବୋଲି ସରକାରୀ ଆଇନଜିବୀ ରବିନ୍ଦ୍ର କୁମାର ଦାଶ କହିଛନ୍ତି ।
ମାମଲାର ବିବରଣୀ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଧିନ ଅଣ୍ଢରା ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗଦାଧର ମଲ୍ଲିକଙ୍କ ଘରୁ ୨୦୨୨ ଏପିଲ ୨୯ ସଂନ୍ଧ୍ୟା ସାଢେ ୭ ଟା ସମୟରେ ପୁଅ ଦେବାଶୀଷ ମଲ୍ଲିକ, ବୋହୂ ମମତା ମଲ୍ଲିକ ଓ ନାତୁଣୀ ତପସ୍ୱିନୀ ମଲ୍ଲିକ ଘରେ ଥିବା ସମୟରେ ଡକାୟତମାନେ ପିସ୍ତଲ, ଭୂଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ସଜ୍ଜିତ ହୋଇ ସ୍ୱର୍ଗତ ମଲ୍ଲିକଙ୍କ ଘରେ ପ୍ରବେଶ କରିଥିଲେ । ପରିବାର ଲୋକ କିଛି ବୁଝିବା ପୂର୍ବରୁ ଡକାୟତ ମାନେ ପିସ୍ତଲରେ ଆକ୍ରମଣ କରି ପୁଅ ଦେବାଶୀଷଙ୍କ ମୁଣ୍ଡକୁ ଫଟାଇ ଦେବା ସହିତ ଟଙ୍କା, ସୁନା ମାଗିଥିଲେ । ଘରେ ଉପସ୍ଥିତ ଥିବା ବୋହୂ ମମତା ପ୍ରତିରୋଧ କରିବାରୁ ତାଙ୍କୁ ଡକାୟତ ମାନେ ପିଟାପିଟି କରିଥିଲେ । ଘରେ ଥିବା ନଗଦ ୪୦ ହଜାରଟଙ୍କା ସହ ୩ଟି ସୁନା ମୁଦି, ସୁନା ବଳା, ୨ ହଳ ଚୁଡି, କାନଫୁଲ ଓ ନାତୁଣୀ ତପସ୍ୱିନୀଙ୍କ କାନଫୁଲ ଓ ଦାମି ଲୁଗାପଟା, ସାଲ ଇତ୍ୟାଦି ଲୁଟି ନେଇଥିଲେ । ଡକାୟତ ମାନେ ମଧ୍ୟ ଘରର ୨ଟି ମୋବାଇଲ ଫୋନକୁ ନିଜ ସାଙ୍ଗରେ ନେଇ ଯିବା ସହିତ ଆସନ୍ତା କାଲି ୧୫ ଲକ୍ଷ ଟଙ୍କା ରଖି ଥିବ ନହେଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇ ଯାଇଥିଲେ । ଏହିଘଟଣାକୁ ନେଇ ୩୦.୦୪.୨୨ ଚଉଦକୁଲାଟ ଫାଣ୍ଡିରେ ଡ.ଗଦାଧର ମଲ୍ଲିକ ଏତଲା ଦେଥିଲେ । କେନ୍ଦ୍ରାପଡା ଏସପି ସନ୍ଦୀପ ସଂପଦ ମଡକରଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ତତତ୍କାଳ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ, ତତତ୍କାଳ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ଫୋରେନସିକ ଟିମର ସହାୟତାରେ ଘଟଣାର ଛାନଭିନ ଚଳାଇଥିଲା । ଏହି ଘଟଣାରେ ସଂପୃକ୍ତ ଥିିବା ହୃଷିକେଶ ମଲ୍ଲିକ , ଅସୀମ ମହା୍ନ୍ତି , ସେକ୍ ମୁସ୍ତାକିନ, ମନୋରଜଂନ ରଣା , ସଜଂୟ ବିଶ୍ୱାଳ , ଅଭିଜିତ ଜେନା, ସୁନା ଦୋକାନୀ ସର୍ବେଶ୍ୱର ସାହୁ ପ୍ରଭୃତିଙ୍କ ଥାନା କେସ ନଂ- ୨୦୬/୨୨ ମାମଲାରେ ପୋଲିସ ଗରିଫ କରି କୋର୍ଟ ଚାଲାଣ କରିଥିଲା । ଇତିମଧ୍ୟରେ ଡ.ମଲ୍ଲିକଙ୍କ ମୃତ୍ୟୁ ହୋଇ ସାରିଛିା ଘଟଣାର ୧୮ମାସ ପରେ ସୋମବାର ଏହି ମାମଲାର ରାୟ ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ ସହକାରୀ ଦୈାରା ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକ ରାୟ ପ୍ରକାଶ କରି ଆସାମୀ ହୃଷିକେଶ ମଲ୍ଲିକ , ଅସୀମ ମହା୍ନ୍ତି , ସେକ୍ ମୁସ୍ତାକିନ, ମନୋରଜଂନ ରଣା ୪ ଜଣ ଦୋଷୀଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ସାକ୍ଷ୍ୟପ୍ରମାଣ ଅଭାବରୁ ସଜଂୟ ବିଶ୍ୱାଳ, ଅଭିଜିତ ଜେନା , ସର୍ବେଶ୍ୱର ସାହୁଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏଥି ସହିତ ଦଣ୍ଡିତ ଦୋଷୀଙ୍କୁ ୫ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି ବୋଲି ସରକାରୀ ଆଇନଜିବୀ ଦାଶ କହିଛନ୍ତି ।