ଗାଁ ଠୁ ସହର ଚାଲିଛି ଅବାଧରେ ଚୋରା ନିଶା କାରବାର


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି । ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଁଏ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି । ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆଇନଜିବୀ ସୌମ୍ୟରଞନ ଧଳ କୁହନ୍ତି ଖୋଦ ଅବକାରୀ କାର୍ଯ୍ୟାଳୟ ନିକଟରେ ସନ୍ଧ୍ୟା ହେଲେ ଖୁଲମଖୁଲା ମଦ ଆସର ଜମୁଛି । ଏହାଦ୍ୱାରା ଏହି ରାସ୍ତାଦେଇ ସ୍କୁଲ, କଲେଜ ଛାତ୍ରୀଛାତ୍ର ଓ ମହିଳା ଝିଅମାନଙ୍କ ସମେତ ସାଧାରଣ ଲୋକେ ଯାତାୟାତ କରିବାକୁ ଡରୁଛନ୍ତି । ଅନ୍ୟପକ୍ଷରେ ବଜାରରେ ଥିବା ମଦ ଦୋକାନ ରାସ୍ତାରେ ମଦ୍ୟପମାନେ ପ୍ରତ୍ୟହ ମଦ ପିଇବା ପରେ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଓ ଖାଦ୍ୟ ଖାଉଥିବା ଆମିଷ ପ୍ଲେଟ୍‌ଗୁଡିକୁ ପାଖରେ ଯେଉଁଠି ପାରୁଛନ୍ତି ଫିଙ୍ଗୁଛନ୍ତି । ଫଳରେ ରାସ୍ତା ପାର୍ଶ୍ୱ, କ୍ୟାବିନ୍ ତଳ ଓ କେନାଲରେ ଏଗୁଡିକ ଅସ୍ୱାଭାବିକ ପରିବେଶ ସାଙ୍ଗକୁ ବିପଦ ସୃଷ୍ଟି କରୁଛି ବୋଲି ସେ କହିଥିଲେ ।

ସାମାଜିକକର୍ମୀ ପ୍ରବିର ନାୟକ କୁହନ୍ତି , ପଟ୍ଟାମୁଣ୍ଡାଇ ବାଜାରରେ ୨ ଟି ସରକାରୀ ମଦ ଦୋକାନ ଥିବା ବେଳେ ଗ୍ରାମାଂଚଳରେ ୭ ଟି ମଦ ଦୋକାନ ଅଛି । ପ୍ରତ୍ୟହ ଏହି ଦୋକାନ ମାନଙ୍କରୁ ପେଟି ପେଟି ମଦ ଚୋରା ଚାଲାଣ ହେଉଛି । କିଛି ଦିନ ପୂର୍ବରୁ ଅବକାରୀ ବିଭାଗ ଇନ୍ସପେକ୍ଟର ଏ ସମ୍ପର୍କରେ ସୂଚନା ପାଇ ଚୋରା ଚାଲାଣର ଗୁମର ଖୋଜିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା କିଛିଦିନ ପରେ ଫସରଫାଟି ଯାଇଥିଲା । କାରଣ ବିଭାଗୀୟ କେତେଜଣ କନ୍‌ଷ୍ଟେବଳ ଓ ଅନ୍ୟମାନେ ସହଯୋଗ କରି ନ ଥିବା ଜଣାପଡ଼ିଛି । ଅସହଯୋଗ କରିଥିବା ଅବକାରୀ କର୍ମଚାରୀମାନେ ସମ୍ପୃକ୍ତ ମଦ ଦୋକାନୀମାନଙ୍କଠାରୁ ମାସିକା ଚାନ୍ଦା ନେଉଥିବାରୁ ଚଢାଉରେ ସାମିଲ ହେବାକୁ ଚାହିଁ ନ ଥିବା କୁହାଯାଇଛି । ଅନ୍ୟପଟେ ସମ୍ପୃକ୍ତ ମଦ ଦୋକାନୀ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଚୋରା ଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ ଘଂଟ ଘୋଡ଼ାଇବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

ବୁଦ୍ଧିଜିବୀ ପ୍ରମୋଦ ସାହୁ କୁହନ୍ତି, ଗ୍ରାମାଂଚଳ ହେଉ ବା ସହରାଂଚଳ ହେଉ ବିଭିନ୍ନ ସ୍ଥାନରେ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା କାରବାର ମଧ୍ୟ ବଢ଼ି ଚାଲିଛି । ହାଇସ୍କୁଲଠାରୁ କଲେଜ ପର୍ଯ୍ୟନ୍ତ ଅନେକ ଛାତ୍ରୀଛାତ୍ର ଏହି ନିଶା କବଳରେ ପଡ଼ୁଛନ୍ତି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିଲେ ମଧ୍ୟ ତାହା ସନ୍ତୋଷଜନକ ହେଉନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ଚୋରା ଚାଲାଣ ଉପରେ ଅଙ୍କୁଶ ନ ଲାଗିବା ପର୍ଯ୍ୟନ୍ତ ଦେଖା ଦେଇଥିବା ଅଭାବନୀୟ ପରିସ୍ଥିତିରେ ସୁଧାର ଆସିବ ନାହିଁ ବୋଲି ବୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି ।

ଅତୀତରେ ବହୁ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଚୋରା ମଦ କାରବାରକୁ ନେଇ ସରକାରୀ ଉଦାସୀନତାକୁ ଦାୟୀ କରିଥିଲେ । ନିଶା କବଳରେ ପଡ଼ି ବହୁ ଯୁବଗୋଷ୍ଠୀ ପଥଚ୍ୟୁତ ହେବାରେ ଲାଗିଛନ୍ତି । ଦେଶୀ, ବିଦେଶୀ ମଦ, ବ୍ରାଉନସୁଗାର, ଗଞ୍ଜେଇ ଓ ଅଫିମ ଆଦି ଗାଁ ଗହଳିରେ ଚୋରାରେ ବହୁଳ ଭାବେ ବିକ୍ରି ଚାଲିଛି । ଏଥିଯୋଗୁ ବହୁ ଲୋକ ଅସୁସ୍ଥ ହେବା ସହ ମୃତ୍ୟୁବରଣ କରୁଛନ୍ତି । ତେଣୁ ଚୋରା ମାଦକଦ୍ରବ୍ୟ କାରବାର ଉପରେ ଯଥାଶୀଘ୍ର ଅଙ୍କୁଶ ଲଗାଯିବା ପାଇଁ ସେମାନେ ଦାବି ମଧ୍ୟ କରିଥିଲେ ।

ଏ ସମ୍ପର୍କରେ ଅବକାରୀ ଇନ୍ସପେକ୍ଟର କମଳ ପାଇକ୍‌ରାୟଙ୍କୁ ପଚାରିବାରୁ ଚୋରା ମଦ କାରବାର ରୋକିବା ପାଇଁ ଉଦ୍ୟମ ଜାରି ରହିଛି । ଆଗକୁ ଏହାକୁ ଅଧିକ କ୍ରିୟାଶୀଳ କରାଯିବ । ମଦ ଦୋକାନ ନିକଟରେ ଖୁଲମଖୁଲା ମଦ ଆସର ବସୁଥିବା ଓ ବୋତଲ ଆଦି ଫିଙ୍ଗା ଯାଉଥିବା ଅଭିଯୋଗ ଉପରେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।


Next Post

ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଯୋଗୁଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର

Tue Oct 31 , 2023
ଶାରଦୀୟ ଦୂର୍ଗା ପୂଜା ଉତ୍ସବ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା’ ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ ବେଳେ ହାତଗଣତି କେତୋଟି ମେଢ଼କୁ ନେଇ ଆରମ୍ଭ କରାଯାଇଥିଲା । ମାତ୍ର ଏବେ ଏହା ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଞ୍ଚଳର ବିଭିନ୍ନ ଅଂଚଳରେ ଗଜଲଷ୍ମୀ ପୂଜାର […]

You May Like