
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ଗତ ୧୭ ବର୍ଷ ତଳେ ଅରମ୍ଭ ହୋଇ ଦୁଇଟି ପିଲର ଅଧା ଉଠି ଏ ପର୍ଯ୍ୟନ୍ତ ବନ୍ଦ ହୋଇ ପଡିରହିଛି । ଯାହାକୁ ନେଇ ୩ ରାଜସ୍ୱ ଗାଁର ଅଧିବାସୀ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ବିପଦପୂର୍ଣ୍ଣ ଭାବେ ଡଙ୍ଗା ଦ୍ୱାରା ନାଳ ପାର ହେବାକୁ ପଡୁଛି । କଣ୍ଠିଆ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ତୋରିତ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ଆନ୍ଦୋଳନ ଜାରି ରଖି ଆସୁଥିଲେ । ଏନେଇ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ବ୍ୟୟ ଅଟକଳକୁ ମଞ୍ଜୁରୀ ଦେଇ ଜାତୀୟ ଜଳପଥ-୫ ଅଧୀନରେ ଥିବା କଣ୍ଠିଆ ନାଳର କୃଷ୍ଣଦାସପୁର ସିଂହଗାଁ ସେତୁ ପାଇଁ ବିଜୁ ସେତୁ ଯୋଜନାରେ ମୋଟ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ବରାଦ ହୋଇ ବିରଜା କଂଟ୍ରକସନ କମ୍ପାନୀ ସହିତ ଏଗ୍ରିମେଂଟ ସରିଛି ବୋଲି ସହକାରୀ ଯନ୍ତ୍ରୀ ବିନୋଦ କୁମାର ଦାଶ ସୁଚନା ଦେଇଛନ୍ତି ।
ଏ ସମ୍ପର୍କରେ ସିଂହଗାଁର ପୂର୍ଣ୍ଣଚନ୍ଦ୍ର ନାୟକ କୁହନ୍ତି, ଏହି କଣ୍ଠିଆ ନାଳ ସେତୁ ନିର୍ମାଣ ହେଲେ ସିହଂଗାଁ ପଂଚାୟତର ସିଂହଗାଁ, ନୂଆପାଟଣା, ସାନରାଉଳିଆ ଓ ବଡରାଉଳିଆ ଗାଁଗୁଡିକୁ ସବୁଦିନିଆ ଗମନାଗମନ ସୁବିଧା ସମ୍ଭବ ହେବ । ଏହାଦ୍ୱାରା ଆଳି ବ୍ଲକର ଏରଡଙ୍ଗ ଓ ପାଳିମି ପଂଚାୟତର ଦୂରତା କେନ୍ଦ୍ରାପଡ଼ାଠାରୁ ୨୫ କି.ମି. କମିବ । ସହରଠାରୁ ସିଂହଗାଁ ମାତ୍ର ୨୬ କି.ମି. ଦୂର । ଏଠାରେ ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଏବେ ବି ଅପହଂଚ । ଗର୍ଭବତୀ ଭାର ସାହାଯ୍ୟରେ ୧୦ କି.ମି. ଦୂର ଅଣ୍ଢରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଥବା ୨୨ କି.ମି. ଦୂର ଆଳି ସିଏଚସିକୁ ଯାଉଛନ୍ତି । ସିଂହଗାଁ, ରାଉଳିଆଡ଼ିଆ ଓ କୃଷ୍ଣଦାସପୁର ରାଜସ୍ୱ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ପହଁଚି ପାରୁନାହିଁ । କେବଳ ଏତିକି ନୁହେଁ, ଏହି ୩ ରାଜସ୍ୱ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବାକୁ କଣ୍ଠିଆ ନାଳ ବାଧା ସୃଷ୍ଟି କରୁଛି । ବର୍ଷକ ମଧ୍ୟରେ ପ୍ରାୟ ୮ ମାସ ଧୋୟାଂଚଳରେ ଥିବା ଏହି ୩ ରାଜସ୍ୱ ଗ୍ରାମର ଅଧିବାସୀ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ।
ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, କଣ୍ଠିଆ ନାଳ ସେତୁ ନିର୍ମାଣ ଜାତୀୟ ଜଳପଥ ୫ ବାଧକ ସାଜିଥିବା ବେଳେ ଏବେ ଜଳପଥ-୫ ଅଧୀନରେ ଏହି ସେତୁ କାମ ଆରମ୍ଭ ହେବ ବୋଲି ଶୁଣା ଯାଉଛି । ଏହି କଣ୍ଠିଆ ନାଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭାରତୀୟ ଆନ୍ତଦେଶୀୟ ଜଳପଥ ପ୍ରାଧୀକରଣ ଅଧୀନରେ ଥିବା ୬୨୩ କି.ମି. ଲମ୍ବର ୫ ନଂ. ଜାତୀୟ ଜଳପଥ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ୯୧ କି.ମି. ଥିବା ବେଳେ ଓଡ଼ିଶାରେ ଅବଶିଷ୍ଟ ୫୩୨ କି.ମି. ରହିଛି । ଏହି ଜଳପଥ ପ୍ରକଳ୍ପ କେତେକ କାରଣରୁ ନିର୍ମାଣ ବନ୍ଦ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଅଭାବରୁ ଏହାର ଅଗ୍ରଗତି ହୋଇପାରୁନାହିଁ । ଏହି ଜଳପଥ ମଧ୍ୟରେ ସିଂହଗାଁ କଣ୍ଠିଆ ନାଳ ଅନ୍ତର୍ଭୂକ୍ତ ହୋଇଛି । ତେବେ ଏହି ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅନ୍ତର୍ଭୂକ୍ତ ହେବାରୁ ତାହା ବନ୍ଦ ହୋଇରହିଥିଲା ।
ସିଂହଗାଁର ପୂର୍ବତନ ସରପଂଚ ନିର୍ମଳ ଚନ୍ଦ୍ର ଜେନା କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ୱ ଗ୍ରାମର ୫ ହଜାରରୁ ଅଧିକ ଅଧିବାସୀଙ୍କ ସମସ୍ୟା ସମାଧାନ ହେବ । ୨୦୦୮ରେ ସେତୁ ନିର୍ମାଣ ପାଇଁ କେତେକ ଜମି ସମସ୍ୟା ଦେଖାଦେଇଥିଲା । ୨୦୧୨ରେ ସରପଂଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିଥିଲି । ପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ମଧ୍ୟ କରିଛୁ । ଯାହା ହେଉ ସେତୁ ନିର୍ମାଣ ପାଇଁ ଏଗ୍ରୀମେଂଟ ହୋଇଥିବାରୁ ଅଂଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
ପୂର୍ବତନ ସରପଂଚ ଜୟନ୍ତୀ ଦାସ କହିଛନ୍ତି, ସିହଗାଁ ସେତୁ ନିର୍ମାଣ ହେଲେ ପଂଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ହେବ ନାହିଁ । ଆବାସ ଯୋଜନାଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ପାନୀୟ ଜଳ ଆଦି ମୌଳିକ ସୁବିଧା ଲୋକଙ୍କ ପାଖରେ ତ୍ୱରିତ ପହଁଚି ପାରିବ । ଏ ସମ୍ପର୍କରେ ସହନିର୍ବାହି ଯନ୍ତ୍ରୀ ବିନୋଦ ଦାଶଙ୍କୁ ପଚାରିବାରେ ଗ୍ରାମ ଉନ୍ନୟନ ବିଭାଗ ବ୍ୟୟ ଅଟକଳକ କରାଯାଇ ପ୍ରାୟ ୩୬ କୋଟି ଟଙ୍କା ବ୍ୟୟ ବରାଦ ହୋଇ ବିରଜା କଂଟ୍ରକସନ କମ୍ପାନୀ ସହିତ ୨୮/୦୭/୨୦୨୩ରେ ଏଗ୍ରିମେଂଟ ସରିଛି । ଏହାରି ଭିତରେ କାମ ଆରମ୍ଭ ହେଇ ୨୭/୦୭/୨୦୨୫ ସୁଧା କାମ ସାରିବାକୁ ଅବଧି ଦିଆଯାଇଛି । ଜାତୀୟ ଜଳପଥ-୫ ଅଧୀନରେ କଣ୍ଠିଆ ନାଳର କୃଷ୍ଣଦାସପୁର ସିଂହଗାଁ ବିଜୁ ସେତୁ ଯୋଜନାରେ କାର୍ଯ୍ୟ କାରାଯିବ ବୋଲି ସହକାରୀ ଯନ୍ତ୍ରୀ ଦାଶ ସୁଚନା ଦେଇଛନ୍ତି ।










