
ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଖେଳ ଖେଳୁଥିବା ଅଭିଯୋଗ ହେଉଛି । ପରିବହନ ବିଭାଗର ଉଦାସୀନତା ହେତୁ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ବିଭିନ୍ନ ରାସ୍ତାରେ ଦୈନିକ ଶହ ଶହ ସଂଖ୍ୟାରେ ଛୋଟ ଛୋଟ ଗାଡି ଯାତ୍ରୀ ପରିବହନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ପରିବହନ ନିମିତ ସରକାରୀ ପରମିଟ୍ ନଥିବା ଟ୍ରେକର ଗାଡିରେ ଚଳପ୍ରଚଳ କରୁଛନ୍ତି । ଏନେଇ ପରିବହନ କିମ୍ବା ପୋଲିସ୍ ପ୍ରଶାସନ ଜାଣି ମଧ୍ୟ କୌଣସି ଅଜଣା କାରଣରୁ ନୀରବତା ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି ।
ସାମାଜିକକର୍ମୀ ପ୍ରବିର ନାୟକ କୁହନ୍ତି, ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପାଖାପାଖି ୪ ବର୍ଷ ହୋଇଗଲାଣି । ପ୍ରଥମାବସ୍ଥାରେ ନୂତନ ଆଇନ୍କୁ ନେଇ ବେଆଇନ୍ ଭାବେ ଚଳାଚଳ କରୁଥିବା ଗାଡି ମାଲିକଙ୍କ ମଧ୍ୟରେ ଛନକା ପଶିଥିଲା । କରୋନା କଟକଣାରୁ ଏସବୁ ବନ୍ଦ ଥିଲା । ଏବେ ପ୍ରାୟ ସମସ୍ତ କାର୍ଯ୍ୟାଳୟ ମଧ୍ୟ ସ୍ୱାଭାବିକ୍ ହୋଇସାରିଛି । କିନ୍ତୁ ପରିବହନ ବିଭାଗ ପକ୍ଷରୁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନଥିବା ଜଣାପଡିଛି । ଏବେ ବି ପଟ୍ଟାମୁଣ୍ଡାଇର ବିଭିନ୍ନ ରୁଟ୍ରେ ବେଆଇନ୍ ଭାବେ ଗାଡି ଚଳାଚଳ ଅବ୍ୟାହତ ରହିଛି ।ଗତ କିଛି ଦିନ ପୂର୍ବରୁ ସ୍ଥାନୀୟ ପ୍ରଶାସନ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଥିବା ବେଳେ ଖୋଦ ପୌରପରିଷଦ କର୍ମଚାରୀ ଭଙ୍ଗା ଦଦରା ଟ୍ରେକର ଗାଡ଼ିରେ ବିଭିନ୍ନ ସରଞାମ ନେବା ଆଣିବା କରୁଥିବା ଦେଖିବାକୁ ମିଳୁଛି । ସ୍ଥଳ ବିଶେଷରେ ଯଦି କୌଣସି ଦୁର୍ଘଟଣାରେ ଯାତ୍ରୀଙ୍କ ଜୀବନ ଯାଏ, ସେମାନେ ବୀମା ରାଶି କେଉଁଠୁ ପାଇବେ ଓ କିଏଦେବ ବୋଲି ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରେ ଏ ବିଷୟରେ ଅବଗତ ନଥିଲି ଏନେଇ ଯତ୍ନବାନ ହେବୁ ବୋଲି ସଫେଇ ଦେଇଛନ୍ତି । ରାଜ୍ୟ ସରକାର ଟ୍ରେକର ଗାଡିକୁ ନିଷେଧାଦେଶ ସତ୍ୱେ୍ୱ ପୌରପରିଷଦ ପରିବହନରେ କାହିଁକି ନିୟୋଜିତ କରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛି ।
ବୁୁଦ୍ଧିଜିବୀ ଦେବାଶିଷ ପଣ୍ଡା କୁହନ୍ତି ସରକାର ୨୦୧୫-୧୬ରେ ଟ୍ରେକରଗୁଡ଼ିକୁ ନିଷେଧାଦେ ଜାରି କରି ଅନୁମତି ନ ଦେବା ପାଇଁ ପରିବହନ ବିଭାଗକୁ ଜଣାଇଥିଲେ । ନିଷେଧାଦେଶ ସତ୍ୱେ ବି ଟ୍ରେକରଗୁଡିକ ରାସ୍ତାରେ ଗଡୁଛି । ଅଧିକାଂଶ ଟ୍ରେକର ପଟ୍ଟାମୁଣ୍ଡାଇରୁ କେନ୍ଦ୍ରାପଡ଼ା, ରାଜନଗର, ଆଳି ଆଦି ଅଂଚଳକୁ ଯାଉଛି । ଯାତ୍ରୀମାନେ ଟ୍ରେକର ପଛରେ ଓହଳି ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି । ସେହିପରି ବାଇପାସ୍ ଛକରୁ ଆଳି, ଚାନ୍ଦବାଲି ରୁଟ୍ରେ ମଧ୍ୟ ବହୁ ସଂଖ୍ୟକ ଛୋଟ ବଡ ଗାଡି ଯାତ୍ରୀ ପରିବହନ କରିଥାନ୍ତି । ଏଥିମଧ୍ୟରେ ଟାଟା ମ୍ୟାଜିକ୍, ପିକଅପ୍ ଭ୍ୟାନ୍ ପରି ଛୋଟଛୋଟ ଗାଡି ରହିଥିବା ବେଳେ ୧୫ ରୁ ୨୫ ଖଣ୍ଡ ଟ୍ରେକର ଗାଡିରେ ଯାତ୍ରୀ ପରିବହନ କରୁଥିବା ଅଭିଯୋଗ ହେଉଛି । ସେମାନେ ନିୟମିତ ଭାବେ ଖୋଲାଖୋଲି ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି ।
ଆଇନଜିବୀ ଭବାନୀ ଶଙ୍କର ପଣ୍ଡା କୁହନ୍ତି ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ରୁଟ୍ରେ ଛୋଟବଡ ଗାଡି ଚାଲିବା ସହିତ ଯାତ୍ରୀ ପରିବହନ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟାଟା ମ୍ୟାଜିକ୍, ପିକଅପ୍ ଭ୍ୟାନ୍ ଓ ଟାଟା ଏସିଇ ବେଆଇନ୍ ଭାବେ ଚଳାଉଛନ୍ତି । ଅଧିକାଂଶ ଗାଡି ମାଲିକଙ୍କ ନିକଟରେ ପରମିଟ ନାହିଁ । କେତେକ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ବେଳେ ବୀମା ମଧ୍ୟ ନାହିଁ । ତେଣୁ ଅତ୍ୟନ୍ତ ବିପଜ୍ଜନକ ଭାବେ ଏହି ଗାଡିଗୁଡିକ ଯାତ୍ରୀ ପରିବହନ କରୁଛନ୍ତି । ଏନେଇ ଯାତ୍ରୀମାନେ କିଛି ଜାଣିପାରୁନଥିବା ବେଳେ ପରିବହନ କର୍ତୃପକ୍ଷ ଓ ପୋଲିସ୍ ପ୍ରଶାସନ ନିରବ ରହୁଛନ୍ତି ।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ । ସେ ଘଟଣାସ୍ଥଳ ପରିଦର୍ଶନ ଯିବେ । ଟ୍ରେକରର ନିର୍ମାଣ ଶୈଳୀ ତ୍ରୁଟି ଯୋଗୁଁ ଏହା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଜିଲ୍ଲାରେ କୌଣସି ଟ୍ରେକରକୁ ପରିବହନ ସକାଶେ ଆମେ ଅନୁମତି ଦେଇନାହୁଁ । କୌଣସି ଟ୍ରେକର ପରିବହନରେ ନିୟୋଜିତଥିବାର ପ୍ରମାଣ ମିଳିଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।










