କେନ୍ଦ୍ରାପଡାରେ ଆଜି ଭଷାଣୀ ଉତ୍ସବ ଆରମ୍ଭ ହୋଇଛି । ଗଜଲକ୍ଷ୍ମୀ ମେଲଣର ପ୍ରଥମ ଦିବସର ରାତି ସାଢେ ୮ଟା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ମାତ୍ର ୩ଟି ମେଢ ପହଞ୍ଚି ପାରିଛି । ସେଗୁଡିକ ହେଉଛି ପୁରୁଣା ବସଷ୍ଟାଣ୍ଡ ଥାନପତି, ନୂଆ ବସଷ୍ଟାଣ୍ଡ ଥାନପତି ଓ କାକଟ ମଙ୍ଗଳା କ୍ଲବ । ଅନ୍ୟ ପୂଜା କମିଟିର ମେଢ ଗୁଡିକ ଏପର୍ଯ୍ୟନ୍ତ ମେଲଣ ପଡିଆରେ ପହଞ୍ଚି ପାରିନାହିଁ । ଆଜି ରାତି ସୁଦ୍ଧା ସମସ୍ତ ମେଢ ଗୁଡିକ ମେଲଣ ପଡିଆରେ ପହଞ୍ଚିବାର ସମ୍ଭାବନା ବହୁତ କମ୍ । ଚଳିତ ବର୍ଷ ପ୍ରଶାସନ ଓ ପୋଲିସ ୨ଦିନ ଭିତରେ ମେଲଣ ଓ ଭଷାଣୀ ଶେଷ କରିବାକୁ ନେଇଥିବା ନିଷ୍ପତ୍ତି କେତେଦୁର କାର୍ଯ୍ୟକାରୀ ହେବ ତାହା ସମୟ କହିବ । ଏତଦ୍ବ୍ୟତିତ ଗଜଲକ୍ଷ୍ମୀ ମେଲଣ ଉତ୍ସବର ପ୍ରାରମ୍ଭରେ ଡିଜେ ଭାଇବ୍ରେଟରରେ ସାରା ସହର କମ୍ପି ଉଠୁଛି ।
ଜିଲ୍ଲା ପ୍ରଶାସନ ଓ ପୋଲିସର ସମସ୍ତ ବାରଣ ସତ୍ୱେ ପ୍ରାୟ ପ୍ରତ୍ୟେକ ପୂଜା କମିଟିର ମେଢ ସହିତ ଡିଜେ ଭାଇବ୍ରେଟର ଏଭଳି ବାଜୁଛି ଯେ ବୟଷ୍କ ଓ ହୃଦରୋଗୀମାନଙ୍କ ଜୀବନ ପ୍ରତି ଏହା ମାରାତ୍ମକ ବିପଦ ସୃଷ୍ଟି କରିଛି । ପୋଲିସ ଓ ପ୍ରଶାସନ ସବୁ ଦେଖି ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି । ବିଗତ କିଛି ବର୍ଷ ଧରି ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ଉତ୍ସବରେ ଡିଜେ କୁ ବ୍ୟାନ କରାଯିବାକୁ ନେଇ ସାଧାରଣରେ ପ୍ରବଳ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଅତିତରେ ଏହି ଭଷାଣୀ ଉତ୍ସବରେ ସହରର ଅନେକ ସ୍ଥାନରେ ବୟଷ୍କ ଓ ହୃଦରୋଗୀଙ୍କ ଜୀବନହାନୀ ଭଳି ଘଟଣା ଘଟିଥିବା ଦେଖାଯାଇଥିଲା । କଟକ ଓ ଭୁବନେଶ୍ୱର ଭଳି ସହର ଗୁଡିକରେ ଡିଜେକୁ ବ୍ୟାନ କରାଯାଇଥିବା ବେଳେ କେନ୍ଦ୍ରାପଡାରେ ଜନସାଧାରଣଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଇ ଏଠାରେ ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀରେ ଡିଜେକୁ ଅନୁମତି ପ୍ରଦାନ କରାଯିବା ଘଟଣା ସାଧାରଣରେ ପୋଲିସ ଓ ପ୍ରଶାସନର ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସହର ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ମେଲଣ ଓ ଭଷାଣୀ ଉତ୍ସବ ଦେଖିବାକୁ କେନ୍ଦ୍ରାପଡା ସହରରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ଲୋକମାନଙ୍କ ସୁରକ୍ଷା ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ନେତୃତ୍ୱରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଜଳନ୍ଧର ଜାଲି, ସନାତନ କାଲୋ, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ, ଲକ୍ଷ୍ମୀନାରାୟଣ ତିୱାରୀ, କୃଷ୍ଣ ପ୍ରସାଦ ମିଶ୍ର ପ୍ରମୁଖ ଗଜଲକ୍ଷ୍ମୀ ମେଲଣକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ କାର୍ଯ୍ୟରତ ଥିବା ଦେଖାଯାଇଛି । ମେଲଣ ନିମନ୍ତେ ୩ଜଣ ଏଏସପି, ୧୨ଜଣ ଡିଏସପି, ୧୮ଜଣ ଇନିସପେକ୍ଟର, ୨୦ଜଣ ସବଇନିସପେକ୍ଟର, ୫୪ଜଣ ସହକାରୀ ସବଇନିସପେକ୍ଟରଙ୍କ ସମେତ ୨୩ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବା ସୂଚନା ମିଳିଛି ।