ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିବା ଆଶାରେ ବିଦେଶ ଯାଇ କାମ କରୁଥିବା ଓଡିଆ ଯୁବକ ମାନେ ସେଠାରେ ନିର୍ଯ୍ୟାତିତ ହେବା ସହ ଶାରୀରିକ, ମାନସିକ ତଥା ଶୋଷଣର ଚରମ ଶିକାରରେ ଜୀବନ ବିତାଉଛନ୍ତି । ଯଦି ଏଥିପାଇଁ ମୁହଁ ଖୋଲିଲେ ମିଳୁଛି ଶାରୀରିକ ନିର୍ଯ୍ୟାତନା । ଭିଟାମାଟିକୁ ଫେରାଇ ଆଣିବା ନିମନ୍ତେ ସେଠାରେ ସେମାନେ ଏକ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।ଏଭଳି ଦୁଃଖଦ ପରିସ୍ଥିତିରେ ପରିବାର ଲୋକେ ଆତଙ୍କିତ ହୋଇ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଳକର ଜୟନଗର, କୋଇଲିପୁର ଓ ତୈଲକ୍ୟପୁର ଗ୍ରାମପଂଚାୟତର ୧୪ ଶ୍ରମିକ ୨୦୨୨ ମସିହା ଜୁନ ମାସରେ ସାଉଥ ଆଫ୍ରିକାର ଗାବନରେ ସନରାଇଜ ପ୍ଲାଇଉଡ଼ କମ୍ପାନୀକୁ କାମ କରିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ବେଳେ ଖାଇବା ପିଇବାକୁ ମିଳୁନଥିବା କହିଛନ୍ତି । ଜଙ୍ଗଲ ଭିତରେ କମ୍ପାନୀ ହୋଇଥିବାରୁ ସେଠାରେ ବିଦ୍ୟୁତ ନାହିଁ । ଜେନେରେଟର ଚାଲିଲେ ପାଣି ଆସିବ l କମ୍ପାନୀ ମାଲିକ ଆଉ ଜେନେରେଟର ଚଲାଉ ନଥିବାରୁ ପାଣି ଆସୁ ନାହିଁ । ଦେହ ଖରାପ ହେଲେ ଡାକ୍ତରୀ ଚିକିତ୍ସା ନାହିଁ l ହେଲେ ସେଠାରେ ସେମାନଙ୍କୁ ମାଡ଼ ମରାଯିବା ସହିତ ପାସ୍ପୋର୍ଟରେ ଭିଜା ହେଉନଥିବାରୁ ପ୍ରତିଦିନ ପୋଲିସ ସେମାନଙ୍କୁ ଉଠାଇନେବା ସହିତ ହଇରାଣ ହରକତ୍ କରୁଛନ୍ତି ବୋଲି ଭିଡ଼ିଓ ବାର୍ତ୍ତାରେ ସେମାନେ ଜଣାଇଛନ୍ତି । ସେମାନଙ୍କ ସହିତ ଅନ୍ୟ ରାଜ୍ୟର ୭ ଜଣ ଶ୍ରମିକ ରହିଛନ୍ତି। ଏବେ ସେଠାରେ ମୋଟ ୨୧ ଜଣ ଶ୍ରମିକ ବିଭିନ୍ନ ଅସୁବୁଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଦିନକୁ ଦିନ ଶ୍ରମିକଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବେଳେ ଉଦ୍ଧାର କରିବାକୁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି । ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ।