
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗା ପଞ୍ଚାୟତ ପାଣି ସାଉଁଳିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ସୁରେନ୍ଦ୍ର ମଳିକଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରର ଆସବା ପତ୍ର ସହ ଧାନ, ଚାଉଳ ଆଦି ପୋଡି ନଷ୍ଟ ହୋଇଯାଇଛି। ଘରର ୭୦ଭାଗ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବାକ୍ଷଣିକେ ଗ୍ରାମବାସୀ ନଳକୂପ ଓ କାଣୀ ନଦୀରୁ ପାଣି ସଂଗ୍ରହ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୁରେନ୍ଦ୍ର ଓ ତାଙ୍କ ୨ ଭାଇ ଗରିବ ଶ୍ରେଣୀର ହୋଇଥିବା ବେଳେ ଚାଷବାସ କାମ କରି ପରିବାର ଚଳାଉଥିଲେ। ନିଆଁରେ ଘର ନଷ୍ଟ ହୋଇଯାଇଥିବାରୁ ସେମାନେ ଭାଙ୍ଗି ପଡିଛନ୍ତି। ଏନେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।











