ସମ୍ମାନ ସାଉଁଟିବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଦିଗ୍ଦର୍ଶନରେ ନିରନ୍ତର ପ୍ରୟାସ କରିଆସୁଥିବା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ନିଷ୍ଠାପର ଉଦ୍ୟମ ଯୋଗୁଁ ଜିଲ୍ଲା ପ୍ରଶାସନକୁ ମିଳିଛି ୨୦୨୩ ବର୍ଷ ପାଇଁ ରାଜ୍ୟ ପୁରସ୍କାର । ସମଗ୍ର ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲାଭାବେ ଏହି ସମ୍ମାନ ଆସନ୍ତା ରବିବାର ଦିନ “ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ” ଅବସରରେ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ରେ ଗ୍ରହଣ କରିବେ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏହି ସଫଳତା ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିବା ସହ କହିଛନ୍ତି “ସଶକ୍ତ କେନ୍ଦ୍ରାପଡ଼ା ପାଇଁ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଏକାନ୍ତ ଅପରିହାର୍ଯ୍ୟ । ଏ ଦିଗରେ ଜିଲ୍ଲାପ୍ରଶାସନ ପ୍ରତିଶ୍ରୁତିବଦ୍ଧ ।” ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ନିଜର ପ୍ରତିକ୍ରିୟା ରଖି କହିଛନ୍ତି “ଏ ସଫଳତା ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇଭଉଣୀମାନଙ୍କର । ମୋ ବିଭାଗ ସେମାନଙ୍କ ଜୀବନରେ ଆଶାର ଅରୁଣିମା ଭରିଦେବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗିକୃତ ଓ ଏହା ମୋ ଜୀବନର ବ୍ରତ ।” ଏହି ସଫଳତା ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ତଥା ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ, ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଂଖ୍ୟା ୪୦,୧୧୦ । ସେତେବେଳେ ୭ ପ୍ରକାରର ଭିନ୍ନକ୍ଷମ ସାମିଲ ହେଉଥିବା ବେଳେ ଆର୍ପିଡବ୍ଲୁଡି ଆଇନ-୨୦୧୬ ଅନୁଯାୟୀ ୨୧ ପ୍ରକାରର ଭିନ୍ନକ୍ଷମଙ୍କୁ ସାମିଲ୍ କରାଯାଇଛି । ଫଳରେ ଜିଲ୍ଲାରେ ବର୍ତମାନର ସଂଖ୍ୟା ଯଥେଷ୍ଟ ଅଧିକ ହେବ । ସୂଚନାଯୋଗ୍ୟ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ଏବେ ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ୍ ଓ ମଧୁବାବୁ ଭିନ୍ନକ୍ଷମ ପେନ୍ସନ୍ ଯୋଜନାରେ ୨୦,୮୮୫ ଜଣ ପେନ୍ସନ୍ଧାରୀ ଅଛନ୍ତି । ଜିଲ୍ଲା ପ୍ରଶାସନର ଉଦ୍ୟମ ଯୋଗୁଁ “ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର” ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପ୍ରତିଷ୍ଠା କରାଯାଇଛି । ଫଳରେ କୃତ୍ରିମ ହାତ, ଗୋଡ଼ ପ୍ରତିରୋପଣ, ଶ୍ରବଣବାଧିତଙ୍କୁ କାନଯନ୍ତ୍ର, ଭିନ୍ନକ୍ଷମଙ୍କୁ ବିଭିନ୍ନ ସହାୟକ ଉପକରଣ ଯଥା ହ୍ୱିଲ୍ ଚେୟାର୍, ଟ୍ରାଇ ସାଇକେଲ୍, ଦୃଷ୍ଟି ବାଧିତଙ୍କ ପାଇଁ ବ୍ରେଲି ବହି ଓ ସହାୟକ ଉପକରଣ ଆଦି ପାଇଁ ଆମକୁ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ବିଦ୍ୟାଳୟର ୪୯ ଜଣ ଦୃଷ୍ଟିବାଧିତଙ୍କ ଚକ୍ଷୁପରୀକ୍ଷା ହୋଇଥିଲା ଭୁବନେଶ୍ୱରସ୍ଥିତ ଏଲ୍ଭିପ୍ରସାଦ ଚକ୍ଷୁ ଡାକ୍ତରଖାନାରେ । ସେଥିମଧ୍ୟରୁ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ୨ଜଣ ପିଲାଙ୍କର ସଫଳ ଅସ୍ତ୍ରୋପଚାର କରି ସେମାନଙ୍କୁ କେବଳ ଦୁନିଆର ଆଲୋକ ଦେଖାଇନି ବରଂ ସମସ୍ତ ଦୃଷ୍ଟିବାଧିତ ପିଲାଙ୍କ ମନରେ ନୂତନ ଉଦ୍ଦୀପନା ଓ ଆଶା ସଂଚାର କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ସେହିପରି ଦୁଇ ଜଣ ସମ୍ପୂର୍ଣ୍ଣ ଅକ୍ଷମ ଥିବା ଭିନ୍ନକ୍ଷମଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯନ୍ତ୍ରଚାଳିତ ୩ଚକିଆ ସ୍କୁଟି ପ୍ରଦାନ କରି ସେମାନଙ୍କ ଓଠରେ ହସ ଫୁଟାଇବା ସହ ଆତ୍ମନିର୍ଭରଶୀଳତାର ମନ୍ତ୍ରରେ ଅଭିମନ୍ତ୍ରିତ କରିଛି ଜିଲ୍ଲା ପ୍ରଶାସନ । ପଟ୍ଟାମୁଣ୍ଡାଇ ଏମ୍ଏନ୍ ହାଇସ୍କୁଲ୍ ପରିସରରେ ମେଗା ଡିଷ୍ଟ୍ରିବୁସନ୍ କ୍ୟାମ୍ପ୍ ଆୟୋଜନ କରି ଭୁବନେଶ୍ୱର ଆଲ୍ମିକୋ ସହଯୋଗରେ ଏକାକାଳୀନ ୧୨୨୬ ଜଣଙ୍କୁ ୩ହଜାରରୁ ଅଧିକ ଭିନ୍ନକ୍ଷମ ଉପକରଣ ଯୋଗାଇ ଦେଇ ରାଜ୍ୟରେ ଚହଳ ପକାଇଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ବାଣୀଶ୍ରୀ ଶିକ୍ଷାବୃତି, ପ୍ରି-ମାଟ୍ରିକ୍ ଓ ପୋଷ୍ଟ-ମାଟ୍ରିକ୍ ଶିକ୍ଷା ବୃତି, ଭିନ୍ନକ୍ଷମ ପିତାମାତାଙ୍କ ପିଲାମାନେ ଯଦି ଉଚ୍ଚଶିକ୍ଷା ଗ୍ରହଣ କରୁଥିବେ ସେମାନଙ୍କୁ ଶିକ୍ଷାବୃତି, ଭିନ୍ନକ୍ଷମଙ୍କୁ ସାଧାରଣ ଲୋକ ବିବାହ କଲେ ପ୍ରୋତ୍ସାହନ ରାଶି ପ୍ରଦାନ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରତିପାଦନ କରି ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲାଭାବେ ଭିିନ୍ନକ୍ଷମ ସଶକ୍ତିକରଣ ବର୍ଗରେ ରାଜ୍ୟ ପୁରସ୍କାର ଜିତିବାର ଗୌରବ ଅର୍ଜନ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ।