କେନ୍ଦ୍ରାପଡା କଲେଜ ହତାରେ ଅଣଛାତ୍ର ପ୍ରବେଶ, କଲେଜ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ହାତାହାତି


କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ର ପ୍ରବେଶ କରି ଜଣେ କଲେଜ ଛାତ୍ରକୁ ଆକ୍ରମଣ କରି କ୍ଷତାକ୍ତ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଉଭୟ ପକ୍ଷ ଆହତ ହୋଇଥିବା ଜଣାପଡିଛି। କିଛିଦିନ ତଳେ ଅଣଛାତ୍ର ମାନେ କେନ୍ଦ୍ରାପଡ଼ା ସ୍ୱୟପ୍ସଶାସିତ ମହାବିଦ୍ୟାଳୟ ପରିସରରେ ପଶି ଛାତ୍ରୀ ମାନଙ୍କୁ କମେଣ୍ଟ୍ ମାରୁଥିବା ।ଉନ ଥାନା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। କିନ୍ତୁ ପୋଲିସ ବହୁ ବିଳମ୍ବରେ ପହଞ୍ଚିବାରୁ ଅଣଛାତ୍ରମାନେ ସେସ୍ଥାନ ଛାଡି ପଳାଇଯାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ପୁନର୍ବାର କଲେଜ ପରିସରରେ ଅଣଛାତ୍ର ଏବଂ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳରୁ ମାରପିଟ୍ ହୋଇଛି। ଆକ୍ରମଣରେ ଉଭୟ ପକ୍ଷ ଆହତ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଉଠାଇ ନେଇଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ସୂଚନା ମିଳିଛି। ଜଣେ ସମ୍ପର୍କୀୟ ମାମୁଁ ଓ ଭଣଜା ମଧ୍ୟରେ ଏଭଳି ଘଟଣା ଘଟିଥିବା ପୋଲିସ ଅଧିକାରୀଙ୍କ ଠାରୁ ଜଣାପଡିଛି। କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ହତା ମଧ୍ୟକୁ ଅଣଛାତ୍ରମାନଙ୍କ ଅବାଧ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏହା ଉପରେ କୈାଣସି ଆବଶ୍ୟକୀୟ ପଦକ୍ଷେପ ନିଆଯାଉନାହିଁ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏକ ବାଇକ୍‌ରେ ଗରାପୁର ଅଞ୍ଚଳର ଦୁଇଜଣ ଅଣଛାତ୍ର କଲେଜ ପରିସରରେ ପହଞ୍ଚିଥିଲେ। କୈାଣସି ଏକ କାରଣକୁ ନେଇ କଲେଜ ପଢ଼ୁଥିବା ଉଦୟନଗର ଅଞ୍ଚଳର ଜଣେ ଛାତ୍ରଙ୍କ ସହିତ ତାଙ୍କର ବଚସା ହୋଇଥିଲା। ପରେ ହାତାହାତି ଯାଏ କଥା ଯାଇଥିଲା। ସଂପୃକ୍ତ ଛାତ୍ର ଜଣକ ଆସିଥିବା ଦୁଇ ଅଣଛାତ୍ରଙ୍କ ମଧ୍ୟରୁ ଜଣଙ୍କର ସଂପର୍କୀୟ ଭଣଜା ବୋଲି ଜଣାପଡ଼ିଛି। ଏଥିରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ଏ ନେଇ ଟାଉନ ଥାନାରେ ପରସ୍ପର ବିରୋଧରେ ଏତଲା ଦିଆଯାଇଛି। ଟାଉନ ଥାନା ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବା ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।