ଉଲ୍ଲାସ ନାଟ୍ୟ ଉତ୍ସବ ଉଦଘାଟିତ, ଗୌରବମୟ କଳା ସଂସ୍କୃତି ପଟ୍ଟାମୁଣ୍ଡାଇର ପରିଚୟ ପାଲଟିଛି



କଳା ତୀର୍ଥ ପଟ୍ଟାମୁଣ୍ଡାଇର କଳା ସଂସ୍କୃତି ବିଶ୍ୱ ଦରବାରରେ ପ୍ରତିଷ୍ଠା ଲାଭ କରିଛି । ଗୌରବମୟ କଳା ସଂସ୍କୃତି ପଟ୍ଟାମୁଣ୍ଡାଇ ମାଟିର ପରିଚୟ ପାଲଟିଛି ବୋଲି ଅଗ୍ରଣୀ ସାଂସ୍କୃତିକ ଓ ସମାଜକଲ୍ୟାଣ ପରିଷଦ ଉଲ୍ଲାସ ର ନାଟ୍ୟ ଉତ୍ସବକୁ ମୁଖ୍ୟଅତିଥି ଭାବେ ଉଦଘାଟନ କରି ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଉଲ୍ଲାସ ସଭାପତି ପ୍ରଫେସର ଦେବବ୍ରତ ପ୍ରଧାନଙ୍କ ପୌରହିତ୍ୟରେ ସ୍ଥାନୀୟ ଯଜ୍ଞ ପଡିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ବିଧାୟକ ଶ୍ରୀସାହୁ କହିଲେ ଯେ କଳା, ସଂସ୍କୃତି, ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ପଟ୍ଟାମୁଣ୍ଡାଇ ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଗୌରବମୟ କଳା ସଂସ୍କୃତି ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଉଲ୍ଲାସକୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଏଇ ଅବସରରେ ପ୍ରତିଶୃତି ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା,ଆମ ସମ୍ପର୍କ ସମ୍ପାଦକ ବିଶିଷ୍ଟ କଳାକାର ଦେବ ପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇ ସାମାଜିକ ପରିବର୍ତନରେ କଳା ସଂସ୍କୃତି ଓ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଉଲ୍ଲାସ ସମ୍ପାଦକ ବାବାଜୀ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଉଲ୍ଲାସ ଉପସଭାପତି କ୍ୟାପଟେନ ମନୋଜ ପରିଡା ସ୍ୱାଗତଭାଷଣ ଓ କୋଷାଧକ୍ଷ ତପରଞ୍ଜନ ବେହେରା ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସହସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଉଦଘାଟନୀ ସନ୍ଧ୍ୟାରେ ପ୍ରସିଦ୍ଧ ନାଟ୍ୟକାର ଅଧ୍ୟାପକ ଗୋଲକ ମହାରଣାଙ୍କ ରଚିତ ଓ ରତିକାନ୍ତ ମହାନ୍ତିଙ୍କ ନିର୍ଦେଶିତ ନାଟକ ଭଲ ପାଇବାକୁ ଭରସା ନାହିଁ ମଞ୍ଚସ୍ଥ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଲିଳେନ୍ଦୁ ମହାନ୍ତି, ସଂଜୀବ କର ମଲ୍ଲିକ ଶ୍ରୀନିବାସ ପାଢ଼ୀ, ସଂଜୀବ ମଲ୍ଲିକ ,ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading