ବୁଲୁଛି ଅର୍ପଣ ରଥ, ସାଇତି ରଖିଛୁ ଗୁଆ ଚାଉଳ , ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ତୁଳସୀକ୍ଷେତ୍ର


କେନ୍ଦ୍ରାପଡ଼ା, ତା ୧୧/୦୧: ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ତୁଳସୀକ୍ଷେତ୍ରର ପୁରପଲ୍ଲୀ ଭକ୍ତିମୟ ହେଉପଡିଛି । କେନ୍ଦ୍ରାପଡ଼ାବାସୀ ଅର୍ପଣ ରଥକୁ କେବଳ ଭବ୍ୟ ସ୍ୱାଗତ କରୁନାହାନ୍ତି ବରଂ କେଉଁଠି କେଉଁଠି ଜନ ସମାଗମକୁ ଦେଖିଲେ ମନେ ହେଉଛି ସତେ ଯେପରି ଆସିଛି ମହାପ୍ରଭୁଙ୍କ ରଥଯାତ୍ରା । ରଥ-ପଥ ଏକାକାର ହୋଇଯିବା ପରି ଜଗନ୍ନାଥମୟ ହୋଇଉଠିଛି ତୁଳସୀକ୍ଷେତ୍ର । ଶ୍ରୀ ଜଗନ୍ନାଥଙ୍କ ଭକ୍ତିର ମହକରେ ମହକିତ ହୋଇଛି ସମଗ୍ର ଜିଲ୍ଲା । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସୃଷ୍ଟି ହୋଇଛି ଏକ ଭାବମୟ ପରିବେଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ କେନ୍ଦ୍ରାପଡ଼ାବାସୀ ଶ୍ରଦ୍ଧାର ସହ ସମର୍ପି ଦେଉଛନ୍ତି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ ।

ଆଜି ରାଜକନିକା ବ୍ଲକ୍‌ର ଭାରିଗଦା, ପଣସଗଣ୍ଡା, ପଧାନପଡ଼ା, ହାଟସାହି, ନହୁଣି, ତରାସ, ଆଖୁଳିପଡ଼ା, କାଟଣାବଣିଆ ଗ୍ରାମ ପଂଚାୟତରେ ଅର୍ପଣ ରଥପହଂଚିଥିଲା । ବ୍ଲକ୍ ଚେୟାରମ୍ୟାନ୍ ମିନତି ରାଉତ, ଭାଇସ୍‌-ଚେୟାର୍‌ମ୍ୟାନ୍ ତନ୍ମୟ ରଞ୍‌ଜନ ଦାସ, ବିଡିଓ ପୃଥ୍ୱୀରାଜ ପରିଡ଼ା, ସ୍ଥାନୀୟ ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟମାନେ ଏହି ରଥକୁ ସହ ଗାଁକୁ ଗାଁ ବୁଲି ଅକ୍ଷତ (ଅରୁଆ ଚାଉଳ) ଓ ଗୁଆ ସଂଗ୍ରହ କରିଥିଲେ । ଆଳି ବ୍ଲକ୍‌ର ପେତପଡ଼ା, ସଇରା, ସିଙ୍ଗିରିଟୁଙ୍ଗା ଗ୍ରାମ ପଂଚାୟତରେ ଆଜି ଅର୍ପଣ ରଥବୁଲିଥିବା ବେଳେ କୋଳଡିହ, ବାଳକାଟି, ଡିମିରିପାଳ, ଚଣ୍ଡିଆଗଡ଼ି, ଅଟାଳ, ନିଆଳ ଗ୍ରାମ ପଂଚାୟତ ଭ୍ରମଣ କରିସାରିଛି ଅର୍ପଣ ରଥ ।

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ୍‌ର ତରଡ଼ିପାଳ, ଅମୃତମଣୋହି, ଶ୍ରୀରାମପୁର, ବଡ଼ପଡ଼ା, ବିଲିକଣା, କଖାରୁଣି, ନରସିଂହପୁର, ଓଉପଦା ଗ୍ରାମ ପଂଚାୟତରେ ଅର୍ପଣ ରଥଗଡ଼ିଛି ।ଶ୍ରୀରାମପୁର ଗ୍ରାମ ପଂଚାୟତ ଭ୍ରମଣ ବେଳେ ବ୍ଲକ୍ ଚେୟାରମ୍ୟାନ୍ ପ୍ରଦ୍ୟୁମ୍ନ ସାମନ୍ତରାୟ ଅର୍ପଣ ରଥଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

କେନ୍ଦ୍ରାପଡ଼ା ବ୍ଲକ୍‌ର ସାନମାନ୍ତିଆ, ବାରୋ, ଇନ୍ଦୁପୁର, ଗୁଲନଗର, ଭରତପୁର, କଳପଡ଼ା, କଂସାର ଆଦି ଗ୍ରାମ ପଂଚାୟତରେ ଓ   କେନ୍ଦ୍ରାପଡ଼ା ମୁନିସିପାଲିଟିର ୬, , ୧୪, ୧୫, ୧୬, ୧୭ ନମ୍ବର ୱାର୍ଡ଼ରେ ଆଜି ଅର୍ପଣ ରଥ ଭ୍ରମଣ କରିଛି । ପୌରଧ୍ୟକ୍ଷା ସରିତା ସାହୁଙ୍କ ସମେତ ବହୁ ୱାର୍ଡ଼ର କାଉନ୍‌ସିଲର୍ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ, ସଂଗ୍ରହ କରାଯାଇଥିବା ଅକ୍ଷତ ଓ ଗୁଆ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀକ୍ଷେତ୍ର ପୁରୀକୁ ନିଆଯିବ । ଚଳିତ ମାସ ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପୂର୍ବରୁ ଏହି ଅକ୍ଷତ ଓ ଗୁଆ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ କରାଯିବ ।


Discover more from

Subscribe now to keep reading and get access to the full archive.

Continue reading