ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ


ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ଚାଲିଛି ତ୍ରି ଦିନାତ୍ମକ ହୋମଯଜ୍ଞ । ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ସମ୍ପୂର୍ଣ୍ଣ ପରିବେଶ । ଚାରି ଦ୍ୱାରରେ ଚାଲିଛି ବେଦପାଠ । ଆସନ୍ତାକାଲି ଯଜ୍ଞର ପୁରୋଧା ଗଜପତି ମହାରାଜ ପୂର୍ଣ୍ଣାହୂତି ଦେବେ । ଏହି ପୂର୍ଣ୍ଣହୂତି କାର୍ଯ୍ୟକ୍ରମ ଓ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ, ନିମନ୍ତ୍ରିତ ଅତିଥି ଓ ସାଧୁସନ୍ଥ ମାନେ ଯୋଗଦେବେ । ଉତ୍ସବରେ ଯୋଗଦେବାକୁ ଭାରତର କୋଣ ଅନୁକୋଣରୁ ଆସିବେ ବିଶିଷ୍ଟ ଅତିଥି । ୧୨ ଜ୍ୟୋର୍ତିଲିଙ୍ଗ ମନ୍ଦିରର ପୂଜକ, ନେପାଳର ପଶୁପତି ନାଥ ମନ୍ଦିରର ପୂଜକ ଏବଂ ରାଜାଙ୍କ ପ୍ରତିନିଧିଙ୍କ ସମେତ ପ୍ରାୟ ୭୦ରୁ ୮୦ ଜଣ ବ୍ୟକ୍ତି ଆସିବେ । ସେହିପରି ରାଜ୍ୟର ବିଭିନ୍ନ ଦେବାଳୟରୁ ୧୫୦ ଅଧିକ ଅତିଥି କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହି ଅବସରରେ ଶ୍ରୀ ସେତୁ ଓ ଶ୍ରୀ ଜଗନ୍ନାଥ ବଲ୍ଲଭ କାର୍ ପାର୍କିଂ ଗୃହ ଲୋକାର୍ପିତ ହେବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି । ୧୭ ତାରିଖ ଲୋକାର୍ପଣ ଦିନ ପାଇଁ ଅଧିକ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସାରା ପୁରୀ ସହର ସିସିଟିଭି ନଜରରେ ରହିବ । ପ୍ରକାଶ ଥାଉକି, ସୋମବାର ପୁରୀ ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ମଙ୍ଗଳବାର ଫାଇଭ୍‌-ଟି ଅଧ୍ୟକ୍ଷ ପାଣ୍ଡିଆନ ପହଂଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ନୀଳାଦ୍ରି ଭକ୍ତ ନିବାସ ଠାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାଶ, ସାଂସଦ ମାନସ ମଙ୍ଗରାଜ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ମାନେ ଯୋଗ ଦେଇଥିଲେ ।


Next Post

ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ : ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଭବ୍ୟ ସମାବେଶ

Wed Jan 17 , 2024
ପୁରୀ ଶ୍ରୀକ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲକ୍ଷ ଲକ୍ଷ ଭକ୍ତ ଠାକୁର ରାଜାଙ୍କ ଗହଣରେ ହରିବୋଲ ହୁଳହୁଳି ମଧ୍ୟରେ ଲୋକାର୍ପିତ କରିଛନ୍ତି । ଏହାର ସିଧା ପ୍ରସାରଣ ପାଇଁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀକ୍ଷେତ୍ର […]

KANIKA