ସରକାରଙ୍କ କୃଷକ ଶ୍ରମିକ ମାରଣ ନୀତି ବିରୋଧରେ କେନ୍ଦ୍ରାପଡାରେ ଟ୍ରାକ୍ଟର ଶୋଭାଯାତ୍ରା


କେନ୍ଦ୍ରାପଡ଼ା,୨୭ା୧: କେନ୍ଦ୍ରର ମୋଦି ସରକାରଙ୍କ କରପୋରେଟ୍ ସପକ୍ଷବାଦୀ ଓ ଜନବିରୋଧୀ ଆର୍ଥିକ ନୀତି ଫଳରେ ଦେଶରେ ଧନି ଓ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ରକେଟ ବେଗରେ ବଢି ଚାଲିଛି । ସାଧାରଣ ଜନତାଙ୍କ ଉପରେ ବିଭିନ୍ନ ଧରଣର ଟାକ୍ସ ମାଧ୍ୟମରେ ସେମାନଙ୍କ କ୍ରୟଶକ୍ତି ସଙ୍କୁଚିତ କରାଯାଉଥିବା ବେଳେ ବିଦେଶରୁ ଲକ୍ଷ ଲକ୍ଷ କୋଟି ଟଙ୍କା ରଣ କରି ବଡ ବଡ ପୁଞ୍ଜିପତିମାନଙ୍କୁ ଋଣ ମାଫ କରିଦିଆଯାଉଛି । ଯେଉଁଥି ପାଇଁ ମୋଦିଙ୍କ ଏହି ଦଶବର୍ଷର ଶାସନ କାଳରେ ଦେଶର ଋଣଭାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଲାଣି । ଏଥିସହିତ ଦେଶରେ ଧର୍ମୀୟ ଆଧାରରେ ରାଜନୀତିକୁ ଧୃବିକରଣ କରି ଶାସନକୁ ଦୀର୍ଘସ୍ଥାୟୀ କରିବାକୁ ଅହରହ ଯୋଜନା କରୁଥିବା ସରକାର ଦେଶର କୃଷିଜୀବି ଓ ଶ୍ରମଜୀବି ଜନତାଙ୍କ ଅଧିକାରକୁ ପୁଞ୍ଜିପତିଙ୍କ ସ୍ୱାର୍ଥରେ ପ୍ରତି ମୁହୁର୍ତ୍ତରେ ବଳୀ ଚଢାଇବାରେ ଲାଗିଛନ୍ତି । ଶ୍ରମ ସଂଶୋଧନ ଆଇନ ଆଣି ଦେଶର ଶ୍ରମିକମାନଙ୍କର ପ୍ରାପ୍ତ ଅଧିକାରକୁ ଛଡାଇ ନେଉଥିବା ବେଳେ ଗତ ୧୩ମାସର ଐତିହାସିକ କୃଷକ ଆନ୍ଦୋଳନ କାଳରେ ଦେଶର କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିରୁ ଗୋଟିଏ ହେଲେ ରକ୍ଷା କଲେ ନାହିଁ । କୃଷକମାନଙ୍କ ସବୁଠୁ ମୁଖ୍ୟ ଦାବି ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିମନ୍ତେ ଆଇନ ହେଲାନାହିଁ କି ଆନ୍ଦୋଳନରତ କୃଷକମାନଙ୍କ ଉପରେ ଜିପ ଚଢାଇ ହତ୍ୟା କରିଥିବା ଆଶିଷ ମିଶ୍ରାର ପିତା ଅଜୟ ମିଶ୍ରା ଟେନିଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଗଲା ନାହିଁ । ସରକାରଙ୍କ ଏପରି କୃଷକ ଓ ଶ୍ରମିକ ଜନ ବିରୋଧୀ ନୀତି ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରୀୟ ଟ୍ରେଡ ୟୁନିଅନମାନଙ୍କ ମିଳିତ ମଞ୍ଚ ଓ ସ୍ୱାଧୀନ ଫେଡେରେସନ ସମୁହ ପକ୍ଷରୁ ୭୫ତମ ଜନରାଜ୍ୟ ଦିବସ ଅବସରରେ ଦେଶ ବ୍ୟାପି ହୋଇଥିବା ଗଣ ପଟୁଆର ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସହରରେ ଟ୍ରାକ୍ଟର ଓ ବାଇକ ଶୋଭାଯାତ୍ରା ହୋଇଯାଇଛି । ଅପରାହ୍ନରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲ୍ଲା ଆବାହକ ମଣ୍ଡଳୀ ସଦସ୍ୟ ଗୟାଧର ଧଳ, ଆଦିକନ୍ଦ ରାଉଳ ଓ ମୁକ୍ତାର ଖାଁଙ୍କ ନେତୃତ୍ୱରେ ସହରର ସାନ୍ତସାହି ଠାରୁ ବାହାରିଥିବା ଏହି ଶୋଭାଯାତ୍ରା ସହର ପରିକ୍ରମା କରି ତିନିମୁହାଣି ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ଆପ୍ ସଭାପତି ସନ୍ଦୀପ୍ତ ଦାସ, ସିପିଏମ ନେତା ନରୋତ୍ତମ ପାର୍ଥସାରଥୀ, ଏସୟୁସିଆଇ ନେତ୍ରୀ ଏଲିନା ସାମନ୍ତରାୟ, ଶିକ୍ଷକ ନେତା ଅଜୟ ସାମଲ, ଶ୍ରମିକ ନେତା ଜଗତଜୀବନ ଦାଶ, ଚିତ୍ରସେନ ପରିଡା, ବିକାଶ ବେଉରା, ମାଧବ ଦାସ, ନାରାୟଣ ପରିଡା, ପଦ୍ମନାଭ ଦାସ, ସେକ ସାହିଲ ଫାୟାଜ, ସୀତାକାନ୍ତ ନାୟକ, ଛାତ୍ରନେତା ରତିକାନ୍ତ ସାମଲ, ବିଜୟ ଦାସ, ରମେଶ ଚନ୍ଦ୍ର ପ୍ରଧାନ, ନିରଞ୍ଜନ ପରିଡା ପ୍ରମୁଖ ସରକାରଙ୍କ ଜନ ବିରୋଧୀ ନୀତିକୁ କଠୋର ସମାଲୋଚନା କରି ଏହା ବିରୋଧରେ ଆସନ୍ତା ଫେବୃୟାରୀ ୧୬ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଗ୍ରାମୀଣ ହରତାଳକୁ କେନ୍ଦ୍ରାପଡାରେ ସଫଳ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading