କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡ଼ା, ତା ୦୫/୦୨: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ଣ ୧୦ ଘଟିକା ଠାରୁ ଅପରାହ୍ଣ ୧ ଘଟିକା ପର୍ଯ୍ୟନ୍ତ ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ବି ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ(ସାଧରଣ) ପୀତାମ୍ବର ସାମଲ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା ଅନୀତା ପଟ୍ଟନାୟକ, ଅତିରିକ୍ତ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେହୁରୀ, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ଶିକ୍ଷାଧିକାରୀ  ଶୁଭଲକ୍ଷ୍ମୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୨୩୫ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୧୮ ଗୋଟି ସାମୁହିକ ଅଭିଯୋଗ ଏବଂ ୨୧୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭିନ୍ନକ୍ଷମ ଭତା, ବାର୍ଦ୍ଧକ୍ୟ ଭତା, ରାସନ୍‌କାର୍ଡ଼ ପ୍ରଦାନ, ଚିକିତ୍ସା ସହାୟତା, ଇନ୍ଦିରା ଆବାସ ଯୋଜନା, ଜମି ବିବାଦ, ସରକାରୀ-ବେସରକାରୀ ଜମି ସୀମା ନିର୍ଦ୍ଧାରଣ, ବସୁନ୍ଧରା ଯୋଜନା ଆଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ସାମୁହିକ ଅଭିଯୋଗ ମଧ୍ୟରେ ଜମି ସମସ୍ୟା, ପାନୀୟ ଜଳ ଯୋଗାଣ ସୁବିଧା, ଶିକ୍ଷାନୁଷ୍ଠାନ ସମସ୍ୟା, ଚେକ୍ ଡ୍ୟାମ୍ ନିର୍ମାଣ, ଗ୍ରାମ୍ୟ ରାସ୍ତା ନିର୍ମାଣ, ନୂତନ ରେଭେନ୍ୟୁ ଗ୍ରାମ ଘୋଷଣା, ଗ୍ରାମ୍ୟ ରାସ୍ତା ଅବରୋଧ ହଟାଇବା, ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ଆଦି ସମସ୍ୟାଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜନଶୁଣାଣୀ ଶିବିରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ଲ୍ୟାପ୍‌ଟପ୍ ବଂଟନ ଯୋଜନା ଅଧିନରେ ଜଣେ ଦୃଷ୍ଟିବାଧିତ ଛାତ୍ର ସମ୍ବିତ କୁମାର ବେହେରାଙ୍କୁ ଜିଲ୍ଲାପାଳ ଲ୍ୟାପ୍‌ଟପ୍ ପ୍ରଦାନ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବିଲକଣା ଅନ୍ତର୍ଗତ ତେରୋହୀ ଗ୍ରାମର ଗୋପୀନାଥ ସ୍ୱାଇଁଙ୍କୁ ଥଇଥାନ ବ୍ୟବସ୍ଥା ପାଇଁ ରେଡକ୍ରସ୍‌ରୁ ୧୫ ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ପ୍ରଦାନ କରିଛନ୍ତି । ଚିକିତ୍ସା ସହାୟତା ପାଇଁ ମୋଟ୍ ୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌ରୁ ଟଙ୍କା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading