ସାଧାରଣ ନିର୍ବାଚନ ୨୦୨୪ ତାରିଖ ପାଖେଇ ଆସୁଥିବା ବେଳେ କେନ୍ଦ୍ରପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ ମଧ୍ୟ ଧିରେଧିରେ ଗରମ ହେବାରେ ଲାଗିଲାଣି । ଦଳୀୟ କନ୍ଦଳ, ଦଳୀୟ ଅସନ୍ତୁଷ୍ଟ ଓ ଦଳ ବଦଳ ନୀତି ଜୋର ଧରିଥିବା ବେଳେ ଦଳରୁ ବରିଷ୍ଠ ନେତା ଇସ୍ତଫା ଦେବାର ଖବର ସାମ୍ନାକୁ ଆସିଲାଣି । ଶାସକ ଓ ବିରୋଧୀ ଦଳ ୨୦୨୪ ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ବିରୋଧୀ କଂଗ୍ରେସ ଦଳକୁ ଏବେ ଏକ ବଡ ଝଟକା ଲାଗିଛି । ଓଡିଶା କଂଗ୍ରେସର ସଂଗଠନ ଦୁର୍ବଳ ହେବାରେ ଲାଗି ଥିବା ବେଳେ ଅନେକ ଛାମୁଆ ନେତା ଦଳ ଛାଡିଥିବା ବେଳେ ବୁଧବାର ରାଜନଗର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଅଂଶୁମାନ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ନିଜ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।
ରାଜନଗରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ଵର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି ୨୦୧୪ରୁ ୨୦୧୯ ଯାଏ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥଲେ । ସେ ୧୦ ବର୍ଷ ହେଲା ଦଳରେ ନିର୍ବିବାଦୀୟ, ନିର୍ମଳ ଓ ସ୍ୱଚ୍ଛ ଭାବମୂର୍ତି ନେଇ କାମ କରିଆସୁଥିଲେ । ତେବେ ସେ ଆଜି କଂଗ୍ରେସ ଦଳ ଛାଡିବା ପରେ କେଉଁ ଦଳକୁ ଯିବେ ସେ ନେଇ ସସପେନ୍ସ ଲାଗି ରହିଛି । ପୂର୍ବରୁ ବିଜେଡ଼ି ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏବେ ପୁଣି ପଦ୍ମ ଦଳରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଏନେଇ ସେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନଥିବା ବେଳେ ଗତ କିଛି ଦିନ ତଳେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅଂଶୁମାନଙ୍କ ଗାଁରେ ଚାୟ ପେ ଚର୍ଚ୍ଚା ବୈଠକ କରିଥିଲେ । ପରେ ବୈଜୟନ୍ତ ପଣ୍ଡା ଅଂଶୁମାନଙ୍କ ଗାଁରେ ଥିବା ନଳିନୀ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେବେଠୁଁ ଅଂଶୁମାନ ଭାଜପାରେ ମିଶିବା ଚର୍ଚ୍ଚା ଚାଲିଛି ବୋଲି ସ୍ମିକ୍ଷାକ୍ମାନେମତାପ୍ରକାଶ କରିଛନ୍ତି । ଅଂଶୁମାନଙ୍କ ଫୋନ ବନ୍ଦ ଥିବାରୁ ତାଙ୍କ ପ୍ରତିକ୍ରିୟା ପାଇପାରୁନାହୁଁ । କିନ୍ତୁ ଅଂଶୁମାନ କଂଗ୍ରେସ ଛାଡିବା ପରେ ରାଜନଗର କଂଗ୍ରେସ ପାଇଁ ଶକ୍ତ ଧକ୍କା ହୋଇଛି । ସମସ୍ତ ଚେଷ୍ଟା ସତ୍ୱେ କଂଗ୍ରେସର ଭୋଟ ହାର ଓ ସାଂଗଠାନୀକ ଅଭିବୃଦ୍ଧି ନଘଟିବାରୁ ଅଂଶୁମାନ ଦଳ ଛାଡିବାକୁ ବାଧ୍ୟ ହୋଇଥିବା ତାଙ୍କ ନିକଟତମ ମହଲରୁ ପ୍ରକାଶ ପାଇଛି ।