କେନ୍ଦ୍ରାପଡ଼ା, ୨୭ା୨: ରାଜ୍ୟରେ ୪୨ଟି କ୍ରୀକେଟ ଏକାଡେମୀ, ୪ଟି କ୍ରୀକେଟ ଷ୍ଟାଡିୟମ, ୩ଟି ସ୍ପୋର୍ଟସ କମ୍ପେ୍ଲକ୍ସ, ଗୋଟିଏ ଭାର ଉତ୍ତୋଳନ ଏକାଡେମୀ, ଗୋଟିଏ ୨୦୦ ଖେଳାଳୀ ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ ଓ ଶୀଳାନ୍ୟାସ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ କେବଳ ଧୋକ୍କା ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାବାସୀ ବିଜୁବାବୁଙ୍କୁ ଅତିତରେ ରାଜନୈତିକ ଜୀବନ୍ୟାସ ଦେଇଥିଲେ । ତା’ର ପ୍ରତିବଦଳରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ, ପ୍ରତାରଣା, ପ୍ରତିଶ୍ରୁତି ଓ ପରିଶେଷରେ କ୍ରୀଡ଼ାପ୍ରେମୀଙ୍କୁ ପ୍ରୋତ୍ସାହନ ବଦଳରେ ଲଲିପପ୍ ଧରାଇ ଦିଆଯାଇ ଭକୁଆ ବନାଯାଇଛି ବୋଲି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାକୁ ମେଡ଼ିକାଲ୍ କଲେଜ, ଯାତ୍ରୀବାହୀ ରେଳ, ଗ୍ରାମୀଣ ବିଶ୍ୱବିଦ୍ୟାଳୟ ଓ କୌଣସି ଶିଳ୍ପ ଦିଆଯାଇନଥିଲା ବେଳେ ଆଜି ଅନ୍ୟ ଜିଲ୍ଲାମାନଙ୍କୁ ଷ୍ଟାଡିୟମ ଓ ସ୍ପୋର୍ଟସ୍ ହଷ୍ଟେଲ ଉପହାର ଦିଆଯାଇ କେନ୍ଦ୍ରାପଡ଼ାବାସୀକୁ ଧୋକ୍କା ଦେଇ ମର୍ମାହତ କରାଯାଇଛି । ଚଳିତ ବର୍ଷ କ୍ରିକେଟ ଏକାଡେମୀ ପ୍ରଦାନ କ୍ରିକେଟ୍ ପ୍ରେମୀଙ୍କୁ କଟାଘାରେ ଚୂନଦେଲା ଭଳି ପ୍ରତିୟମାନ ହେଉଛି । ଅତୀତରେ ଏହି ଜିଲ୍ଲାରେ ଫୁଟବଲ କୋଚ, ଆଥଲେଟିକ୍ କୋଚ୍ ଓ ଭଲିବଲ୍ କୋଚ୍ ଥିବା ବେଳେ ଏବେ ଭଲିବଲ୍ ଭଳି ଅନ୍ୟ କ୍ରୀଡ଼ାର କୋଚ୍ମାନଙ୍କୁ କେନ୍ଦ୍ରାପଡ଼ାରୁ ଉଠାଇ ନିଆଯାଇଛି । ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ୪୦୦ ମିଟର ଦୌଡ଼ ପାଇଁ କୌଣସି ଜାଗାରେ ଟ୍ରାକଟିଏ ନାହିଁ । ଯାହାକି ଆମ ଜିଲ୍ଲାକୁ ଲଜ୍ଜିତ କରିଛି । କ୍ରୀଡ଼ା କ୍ଷେତ୍ରରେ କେନ୍ଦ୍ରାପଡ଼ାର ସ୍ଥାନ ସ୍ୱତନ୍ତ୍ର ଥିଲା ବେଳେ ଚଳିତବର୍ଷ ୧୯ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ଭଲ୍ଲିବଲ୍ ଟିମ୍ରେ ସ୍କୁଲ ଗେମ୍ ଅଫ୍୍ ଫେଡେରେସନ୍ରେ ୫ ଜଣ ପ୍ରତିନିଧିତ୍ୱ କରିବା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅତୀତରେ ଜଳକ୍ରୀଡ଼ାରେ କେନ୍ଦ୍ରାପଡ଼ାର ନୌକାରାଣୀ ପ୍ରଭାସିନୀ ଦ୍ୱିବେଦୀ, ଭାର ଉତ୍ତୋଳନରେ ଅଚ୍ୟୁତାନନ୍ଦ ସାହୁ ଏସିଆଡ଼୍ ଓ କମନ୍ୱେଲ୍ଥ ଗେମ୍ ଖେଳି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିଭଳି ଚଳିତ ବର୍ଷ ଭଲିବଲ୍ରେ ଏମ୍ଡି ରାଜା ଜୁନିୟର ଇଣ୍ଡିଆରେ ସ୍ଥାନ ପାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏସବୁକୁ ବିଚାର କଲେ କ୍ରୀଡ଼ା କ୍ଷେତ୍ରରେ କେନ୍ଦ୍ରାପଡ଼ାର ସ୍ଥାନ ଅନନ୍ୟ । କିନ୍ତୁ ୨୫ ବର୍ଷ ଭିତରେ କେନ୍ଦ୍ରାପଡ଼ାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଇଛି । କ୍ରୀଡ଼ା ପ୍ରେମୀଙ୍କୁ ଏହାଦ୍ୱାରା ହତାସ କରାଯାଇଛି । ଆଜି ପ୍ରତିବର୍ଷ ଭଳି କେନ୍ଦ୍ରାପଡ଼ିଆଙ୍କୁ ଅବହେଳା କଲାଭଳି ନବୀନ ସରକାର ସ୍ପୋର୍ଟସ୍ ହଷ୍ଟେଲ ବଦଳରେ ଓସିଏର କ୍ରିକେଟ୍ ଏକାଡେମୀ ଦେଇ ଲଲିପପ୍ ଧରାଇଛନ୍ତି । ଏଣୁ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ପ୍ରେମୀମାନେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସରକାରଙ୍କୁ ଲଲିପପ୍ ଧରେଇବେ ବୋଲି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି । ତେଣୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲାକୁ ସ୍ପୋର୍ଟସ୍ ହଷ୍ଟେଲ, ଭଲିବଲ୍ କୋଚ୍, ୪୦୦ ମିଟର ଟ୍ରାକ,ଫୁଟବଲ୍ କୋଚ୍, ଆଥଲେଟିକ୍ କୋଚ୍ ଓ ଭାରୋତଳନ କୋଚ୍ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।