କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ଗତ ୧୭ବର୍ଷ ହେବ ବନ୍ଦ ପଡିଥିବା ବେଳେ ଗତ ବର୍ଷ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନାରେ ମୋଟ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁର ଦେଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହ ଏଗ୍ରିମେଂଟ ସରିବା ବର୍ଷେ ବିତିଲାଣି । ହେଲେ ଏଯାଏଁ ସେତୁ ନିର୍ମାଣ ଆରମ୍ଭ ହୋଇନାହିଁ । ଫଳରେ ଏହି କାଣୀ ନଦୀ ଉପରେ ନିର୍ଭର କରୁଥିବା ଲୋକେ ଅତିବିପଦ ସଂକୁଳ ଅବସ୍ଥାରେ ମୋଟର ଚାଳିତ ଡଙ୍ଗାରେ ନଦୀ ପାର ହେଉଛନ୍ତି । ଗୋଟିଏ ଡଙ୍ଗାରେ ଥରକେ ୧୦-୧୫ଟି ବାଇକ୍ ସହ ପ୍ରାୟ ୩୦ ଜଣ ଲୋକ ନଦୀ ପାର ହେଉଛନ୍ତି । ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଥିବା ବେଳେ ଡଙ୍ଗାରେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏ ସମ୍ପର୍କରେ ସିଂହଗାଁର ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଏହି କଣ୍ଠିଆ ନାଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ଅଧୀନରେ ଥିବା ୬୨୩ କି.ମି. ଲମ୍ବର ୨୨ ନଂ. ଜାତୀୟ ଜଳପଥ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା । ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ୯୧ କି.ମି. ଥିବା ବେଳେ ଓଡ଼ିଶାରେ ଅବଶିଷ୍ଟ ୫୩୨ କି.ମି. ରହିଛି । ଏହି ଜଳପଥ ପ୍ରକଳ୍ପ କେତେକ କାରଣରୁ ନିର୍ମାଣ ବନ୍ଦ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଅଭାବରୁ ଏହାର ଅଗ୍ରଗତି ହୋଇପାରୁନାହିଁ । ଏହି ଜଳପଥ ମଧ୍ୟରେ ସିଂହଗାଁ କଣ୍ଠିଆ ନାଳ କାଣିନଦୀ ଅନ୍ତର୍ଭୁକ୍ତ ରହିଛି । ତେବେ ଏହି ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅନ୍ତର୍ଭୁକ୍ତ ହେବାରୁ ତାହା ବନ୍ଦ ରହିଥିଲା । ମାତ୍ର ରଜ୍ୟସରକାର ଜଳପଥ-୨୨ ଅଧୀନରେ ବିଜୁ ସେତୁ ଯୋଜନାରେ ଏହି ସେତୁ କାମ ଆରମ୍ଭ କରିବାକୁ ଅର୍ଥ ବ୍ୟୟ ବରାଦ କରାଯାଇ ବିରଜା କନଷ୍ଟ୍ରକଶନ କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ୨୮ା୭ା୨୦୨୩ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୭ା୭ା୨୦୨୫ ସୁଦ୍ଧା କାମ ସାରିବାକୁ ଅବଧି ମଧ୍ୟ ଦିଆଯାଇଛି । ମାତ୍ର ୨୦୨୪ ମାର୍ଚ୍ଚ ମାସ ହୋଇଥିବା ବେଳେ କାମ ଆରମ୍ଭ ହୋଇ ନଥିବାରୁ ଲୋକଙ୍କ ମନରେ ଆଂଶଙ୍କା ସୃଷ୍ଠିହୋଇଛି ।
ସାମାଜିକକର୍ମୀ ନରେନ୍ଦ୍ର ଧଳ କୁହନ୍ତି ଏହି କଣ୍ଠିଆ ନାଳ ସେତୁ ନିର୍ମାଣ ହେଲେ ସିଂହଗାଁ ପଂଚାୟତର ସିଂହଗାଁ, ନୂଆପାଟଣା, ସାନରାଉଳିଆ ଓ ବଡରାଉଳିଆ ଗାଁଗୁଡିକୁ ସବୁଦିନିଆ ଗମନାଗମନ ସୁବିଧା ସମ୍ଭବ ହେବ । ଏହାଦ୍ୱାରା ଆଳି ବ୍ଲକର ଏରଡଙ୍ଗ ଓ ପାଳିମି ପଂଚାୟତର ଦୂରତା କେନ୍ଦ୍ରାପଡ଼ାଠାରୁ ୨୫କି.ମି. କମିବ । ସହରଠାରୁ ସିଂହଗାଁ ମାତ୍ର ୨୬ କି.ମି. ଦୂର । ଏଠାରେ ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଏବେ ବି ଅପହଂଚ । ଗର୍ଭବତୀ ଭାର ସାହାଯ୍ୟରେ ୧୦ କି.ମି. ଦୂର ଅଣ୍ଢରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଥବା ୨୨ କି.ମି. ଦୂର ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି । ସିଂହଗାଁ, ରାଉଳିଆଡ଼ିଆ ଓ କୃଷ୍ଣଦାସପୁର ରାଜସ୍ୱ ଗ୍ରାମରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ପହଁଚିଂ ପାରୁନାହିଁ । କେବଳ ଏତିକି ନୁହେଁ, ଏହି ୩ ରାଜସ୍ୱ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବାକୁ କଣ୍ଠିଆ ନାଳ ବାଧା ସୃଷ୍ଟି କରୁଛି । ବର୍ଷକ ମଧ୍ୟରେ ପ୍ରାୟ ୮ ମାସ ଧୋୟାଂଚଳରେ ଥିବା ଏହି ୩ ରାଜସ୍ୱ ଗ୍ରାମର ଅଧିବାସୀ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି ।
ସିଂହଗାଁର ପୂର୍ବତନ ସରପଂଚ ନିର୍ମଳ ଚନ୍ଦ୍ର ଜେନା କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ୱ ଗ୍ରାମର ୫ ହଜାରରୁ ଅଧିକ ଅଧିବାସୀଙ୍କ ସମସ୍ୟା ସମାଧାନ ହେବ । ୨୦୦୮ରେ ସେତୁ ନିର୍ମାଣ ପାଇଁ କେତେକ ଜମି ସମସ୍ୟା ଦେଖାଦେଇଥିଲା । ୨୦୧୨ରେ ସରପଂଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିଥିଲି । ପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ମଧ୍ୟ କରିଛୁ । ସେତୁ ନିର୍ମାଣ ପାଇଁ ଏଗ୍ରିମେଂଟ ହେବା ଶୁଣି ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ କାମ ଆରମ୍ଭନହେବାରୁ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ପୋଲ ନିର୍ମାଣ ଚାଲିଥିବା ବେଳେ ଠିକାଦର ନିର୍ମାଣ କାର୍ଯ୍ୟ ବିଳମ୍ବ କରୁଥିବା ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ବିନୋଦ ଦାଶ ସ୍ୱୀକାର କରିଛନ୍ତି । ତେବେ ଏହି ଅଂଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେତକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି ।