କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବାଇଧର ମଲିକଙ୍କୁ ଟାଣିନେଇଛି କୁମ୍ଭୀର। ହଂସୁଆ ନଦୀରେ ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ ବାହିନୀ ର ଖୋଜା ଖୋଜି ପରେ ନଦୀରୁ ମୃତ ଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବାଇଧର ଓ ତାଙ୍କ ସ୍ତ୍ରୀ ନଦୀ ପାଖରେ ଥିବା ପରିବା କ୍ଷେତରେ ପାଣି ଦେବା ପାଇଁ ଯାଇଥିଲେ । ପାଣି ଦେଇ ସାରି ନଦୀରେ ଶୌଚ ହେଉଥିବା ସମୟରେ ସ୍ତ୍ରୀ ସାମ୍ନାରେ କୁମ୍ଭୀର ସ୍ୱାମୀକୁ ଟାଣି ନେଇଥିଲା । କୁମ୍ଭୀର ପାଟିରୁ ସ୍ୱାମୀକୁ ବଞ୍ଚାଇବାକୁ ସ୍ତ୍ରୀ ଉଦ୍ୟମ କରି ସଫଳ ନହେବାରୁ ଚିତ୍କାର କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ନଦୀ କୂଳକୁ ଧାଇଁ ଆସିଥିଲେ । ବାଇଧରକୁ କୁମ୍ଭୀର ଟାଣି ନୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ ବାହିନୀର ଖୋଜା ଖୋଜି ପରେ ନଦୀରୁ ମୃତ ଦେହ ଉଦ୍ଧାର କରାଯାଇଛି ।