
ଓଡିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତନ ସାରା ଭାରତରେ ଉଦାହରଣ ସୃଷ୍ଟି କରିଛି । ୧୨୮ ଆମ ହସ୍ପିଟାଲ ରୂପାନ୍ତକରଣ ସହ ୧୨ ମେଡିକାଲ କଲେଜ ପ୍ରତିଷ୍ଠା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଂଟ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡରୁ ବଂଚିତ ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ନବୀନ କାର୍ଡ ଯୋଗାଇ ଗରିବ ଲୋକମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ୬୮୧ଟି ବଡ଼ ବଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଶନିବାର ପଟ୍ଟାମୁଣ୍ଡାଇ ବ୍ଲକରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ନବୀନ କାର୍ଡ ବଂଟନ କରି ଆୟୋଜିତ ଉତ୍ସବରେ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଭାଷଣ ଦେଇ ଗରିବ ଲୋକ ଚିକିତ୍ସା ପାଇଁ ଜମି ବିକି ଦେଉଥିବାବେଳେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ଓ ନୂତନ ଭାବେ ପ୍ରସ୍ତୁତ ନବୀନ କାର୍ଡ ବରଦାନ ସଦୃଶ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ସମେତ ବହୁ ପାଂଚାୟତର ସଭ୍ୟାସଭ୍ୟ ସରପଂଚ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତର ୧୧୭୪ଜଣ ହିତାଧିକାରୀଙ୍କ ମଧ୍ୟରୁ ଶତାଧିକ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା ।











