ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ଘଟଣା, ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ଘଟଣା, ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣେ ମୃତ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ଉପର ରାସ୍ତା ଅଳଭା ଲକ୍ ନିକଟରେ ଶନିବାର ଅପରାହ୍ନରେ ଏକ ହାଇୱା ସହ ବାଇକର ମୁଁହା ମୁଁହି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କଟକ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥବା ବେଳେ କଟକରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ କେନ୍ଦ୍ରାପଡାରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଶାସନ ପଂଚାୟତ ନିମପୁର ଗ୍ରାମର ଅରୁଣ ବାରିକ (୨୭) ବୋଲି ଜଣାପଡିଛି ।

ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ନିମପୁର ଗ୍ରାମର ଅରୁଣ ଓ ବିଘ୍ନେଶ୍ୱର ବାରିକ ଏକ ବାଇକ ନଂ-ଓଡି ୦୫ ବି ୬୦୧୮ ଯୋଗେ ପଟ୍ଟାମୁଣ୍ଡାଇରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଅଳଭା ଲକ୍ ନିକଟରେ ଏକ ହାଇୱା ନଂ- ଓଡିି ୧୪ ଜି ୮୫୯୫ ଦ୍ରୁତ ଗତିରେ ଆସି ଦୁର୍ଘଟଣା ଘଟାଇଥିଲା । ଏହି ଦୁର୍ଘଟଣାରେ ଉକ୍ତ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ସେଠାରେ ଅରୁଣଙ୍କ ମୁଣ୍ଡରେ ଅଧିକ ଅଘାତ ଲାଗିଥିବାରୁ ସେ ଚେତାଶୂନ୍ୟ ହୋଇପଡୁଥିଲେ । ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କଟକ ବଡ ଡାକ୍ତରଖାନାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ । ବିଘ୍ନେଶ୍ୱର କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ସ୍ଥାନକୁ ଆମ୍ବୁଲାନ୍ସ ଆସିବା ବିଳମ୍ବ କରିଥିବାରୁ ସ୍ଥାନୀୟ ଲୋକେ ଉତେଜିତ ହୋଇ ହସ୍ପିଟାଲରେ ଗାଳିଗୁଲଜ କରିଥିବା ସୂଚନା ମିଳିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବାଇକ ଓ ହାଇୱାକୁ ଜବତ କରି ଅଟକ ରଖିଛି ।