ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ



କେନ୍ଦ୍ରାପଡ଼ା, ୯ା୩: ଆଜି କେନ୍ଦ୍ରାପଡାରେ ଏ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ବିଶ୍ୱଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ୩୪୪୫ ଗୋଟି ପଞ୍ଜିକୃତ ମାମଲା ମଧ୍ୟରୁ ୨୪୫୫ ଗୋଟି ମାମଲାର ସମାଧାନ କରାଯାଇ ମୋଟ ୧,୩୫,୫୬,୦୪୯ (ଏକ କୋଟି ପଇଁତିରିଶ ଲକ୍ଷ ଛପନ ହଜାର ଅଣଚାଶ) ଟଙ୍କା ଜୋରିମାନା ବାବଦରେ ଅର୍ଥରାଶି ଆଦାୟ କରାଯାଇଛି । କେନ୍ଦ୍ରାପଡା ସିଭିଲ କୋର୍ଟ ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଉକ୍ତରୋକ୍ତ ମୋକଦ୍ଦମାର ଫଇସଲା କରାଯାଇଥିଲା । ଟଙ୍କା ପୁନରୁଦ୍ଧାର ମାମଲା ୧୨୯ଟି ମଧ୍ୟରୁ ୧୬ଟି ଫଇସଲା କରାଯାଇ ୪୨,୯୦,୭୧୧ ଟଙ୍କା, ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ୨୨ଟିରୁ ୧୫ଟି ଫଇସଲା କରାଯାଇ ୮୭,୫୫,୦୦୦/- ଟଙ୍କା ଏବଂ ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ନିକଟରେ ଥିବା ରାଜସ୍ୱ ୨୨୮୧ଟି ମାମଲା ମଧ୍ୟରୁ ୨୦୪୫ଟି ମାମଲା ଫଇସଲା କରାଯାଇ ୫,୧୦,୩୩୮ ଟଙ୍କା ଅର୍ଥରାଶି ଆଦାୟ କରାଯାଇଥିଲା । ସେହିପରି କଚେରୀରେ ଦାୟର ହୋଇ ନଥିବା ପ୍ରାକ୍ ମୋକଦ୍ଦମା ମାମଲା ବ୍ୟାଙ୍କ ଋଣ ବିବାଦ ୩୧୨୯ ପଞ୍ଜିକୃତ ମାମଲାରୁ ୬୯୪ ଗୋଟି ମାମଲା ସମ୍ବିଧାନ କରାଯାଇ ୩,୨୧,୦୨,୪୨୯ ଟଙ୍କା ଅର୍ଥରାଶି ଆଦାୟ ହୋଇଥିଲା । ଆଜିର ରାଷ୍ଟ୍ରୀୟ ଲୋକ ଅଦାଲତରେ ସାଲିସ ଯୋଗ୍ୟ ମାମଲା, ଚେକ୍ ବାଉନ୍ସ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ବିବାଦ ଜନିତ ମାମଲା, ବିଦ୍ୟୁତ୍ ଓ ଜଳବିଲ୍ ପୈଠ, ଜମି ଅଧିଗ୍ରହଣ ମାମଲା, ବୈବାହିକ ବିବାଦ, ରାଜସ୍ୱ, ଫୌଜଦାରୀ, ଖାଉଟି ବିବାଦ, ବ୍ୟାଙ୍କ ଋଣ ଆଦି ମାମଲାଗୁଡିକର ଫଇସଲା ବିଚାରପତିମାନେ କରିଥିଲେ । କେନ୍ଦ୍ରାପଡା ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ବିକାଶ ଚନ୍ଦ୍ର ଦେ, ଏଡିଜେ ଅଜୟ କୁମାର ପ୍ରଧାନ, ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ ପୂଜା ଷଡଙ୍ଗୀ, ସିନିୟର ସିଭିଲ ଜଜ୍ ଅନ୍ନପୂର୍ଣ୍ଣା ନାୟକ ଓ ଆଲୋକମୟୀ ପ୍ରଧାନ, ଅତିରିକ୍ତ ସିନିୟର ସିଭିଲ ଜଜ୍ ସ୍ନିଗ୍ଧା ପଣ୍ଡା, ସିଭିଲ ଜଜ୍ କୁମାର ସ୍ପନ୍ଦନ, ଏସ୍‌ଡିଜେଏମ୍ ଲିପାପୁଷ୍ପା ଖୁଣ୍ଟିଆ, ଜେଏମ୍‌ଏଫ୍‌ସି ଅମିତ କୁମାର ବେହେରା, ଡି.କେ ବାଲ କ୍ରିଷ୍ଣନ, ଇପ୍ସିତାପ୍ରିୟା ଏକ୍କା ପ୍ରମୁଖ ଯୋଗ ଦେଇଥିଲା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତା ସାହୁଙ୍କ ତତ୍ତ୍ୱାବଧାନରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ମଧ୍ୟ ବିଚାରପତିମାନେ ଯୋଗଦେଇ ମାମଲାଗୁଡିକୁ ଫଇସଲା କରିଥିଲେ ।


Next Post

ମାର୍ଚ୍ଚ ୧୧ ଓ ୧୨ରେ ଓଷ୍ଟାର ସଂକଳ୍ପ ସମାବେଶ ନିଆଯିବ ଚରମ ନିଷ୍ପତ୍ତି

Sat Mar 9 , 2024
କେନ୍ଦ୍ରାପଡ଼ା, ୯ା୩: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମାର୍ଚ୍ଚ ୧୧ ଓ ୧୨ ଦୁଇଦିନ ଧରି ସଂକଳ୍ପ ସମାବେଶ ହେବ ବୋଲି ସୂଚନା ଦିଆଯାଇଛି । ଏହି ସମାବେଶରେ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ନିଷ୍କ୍ରିୟତା ଓ ଅବହେଳା ପ୍ରତିବାଦରେ ଚରମ ନିଷ୍ପତ୍ତି ନିଆଯିବ ବୋଲି ଆହୂତ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ନେତୃବୃନ୍ଦ ସୂଚନା ଦେଇଥିଲେ । କେନ୍ଦ୍ରାପଡା ପ୍ରବେଶ ପଥ ଦୁହୁରିଆସ୍ଥିତ ଓଷ୍ଟା […]

You May Like