ଝୁଲାବସ୍ଥାରେ ଅଟକିଛି ମେଣ୍ଟ , ବିଜେପି ସଭାପତି ସ୍ପଷ୍ଟ କହିଲେ ଏକାକୀ ଲଢ଼ିବୁ , ଗଣମାଧ୍ୟମରେ କୌଣସି ସ୍ପଷ୍ଟ ଚିତ୍ର ଅଫିସିଆଲି ଭାବେ ଘୋଷଣା କରାଯାଇ ନାହିଁ


ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମେଣ୍ଟ ହେବ ନା ନାହିଁ ତାହା ନେଇ ଏବେ ବି ସସପେନ୍ସ ଲାଗି ରହିଛି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ସିଧା ସିଧା ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଓଡିଶାର ଅସ୍ମିତା ପାଇଁ ବିଜେପି ଏକାକୀ ନିର୍ବାଚନ ଲଢିବ । ତେବେ ମେଣ୍ଟ ହେବ ନାହିଁ ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ । ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ସମସ୍ତଙ୍କର ନଜର । ଯାହା ଖବର ଆସୁଛି ଯେ ଲୋକସଭା ଆସନକୁ ନେଇ ବୁଝାମଣା ସରିଛି । କିନ୍ତୁ ବିଧାନସଭା ଆସନ କ୍ଷେତ୍ରରେ ଅଙ୍କ ଛିଡୁନି ।

ଝୁଲାବସ୍ଥାରେ ଅଟକିଛି ମେଣ୍ଟ । ବିଜେଡି-ବିଜେପି ମେଣ୍ଟ ପାଇଁ କେଉଁ ନିଷ୍ପତ୍ତି ନେଉଛନ୍ତି ଯାହାଲାଗି ଏତେ ବିଳମ୍ବ ହେଉଛି ତାକୁ ନେଇ ନେତା, ମନ୍ତ୍ରୀ , ବିଧାୟକଙ୍କ ଠାରୁ ଦଳୀୟ କର୍ମୀ ମଧ୍ୟ ଅପେକ୍ଷା କରି ରହିଛନ୍ତି । ନିର୍ବାଚନ ପ୍ରଚାର କ’ଣ କରିବେ ଏବେ ଝୁଲାମେଣ୍ଟକୁ ନେଇ ଭବିଷ୍ୟତ କ’ଣ ହେବ ଚିନ୍ତାରେ ଅଛନ୍ତି । ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାୱା ଚାଲିଛି । ରାଜଧାନୀ ରାଜନୀତି ଉଠୁଛି ପଡୁଛି । ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ । ଏହି ହାଇଲେବୁଲ ବୈଠକ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି । ମେଣ୍ଟ ନେଇ ସବୁଠୁ ଚର୍ଚ୍ଚା ଚାଲୁଥିବାବଳେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ ଟେର ପାଉ ନାହାନ୍ତି । ଗତକାଲି ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଜି ନବୀନ ନିବାସରେ ବୈଠକ ବସିଛି । ଏଥିରେ ବିଜେଡିର ପର୍ଯ୍ୟବେକ୍ଷକମାନେ ମଧ୍ୟ ସାମିଲ ଅଛନ୍ତି । ତେବେ ଗତକାଲି ଅମିତ ଶାହାଙ୍କ ସହ ବୈଠକ ସାରି ଦିଲ୍ଲୀରୁ ଫେରିଥିବା ମନମୋହନ ଆଜି ଏକାକୀ ଲଡିବା ନେଇ ଘୋଷଣା କରିଛନ୍ତି ।
ସେହିପରି ଅପରାଜିତା ଷଡଙ୍ଗୀ ମଧ୍ୟ ଏକାକୀ ଲଢିବା ନେଇ କହିଛନ୍ତି । ତେବେ ଦଳୀୟ ନେତୃତ୍ୱଙ୍କ ଏହି ଖୋଲା ଭାଷଣାବାଜି ଓଡିଶା ରାଜନୀତିକୁ ସରଗରମ କରିବାକୁ ଖେଶରାକ ଯୋଗାଉଥିବାବେଳେ ସ୍ଥିତି ଏଯାଏଁ ସ୍ପଷ୍ଟ ହୋଇପାରୁ ନାହିଁ । ମେଣ୍ଟ ହେବ କି ନାହିଁ ତା’ ନେଇ ନେତା, ବିଧାୟକ ଉପରଠାଉରିଆ କଥା କହି ମେଣ୍ଟ ଚର୍ଚ୍ଚାକୁ ବାଏଁ ବାଏଁ ଉଡାଉଛନ୍ତି । କିନ୍ତୁ ଏନେଇ ଗଣମାଧ୍ୟମରେ କୌଣସି ସ୍ପଷ୍ଟ ଚିତ୍ର ଅଫିସିଆଲି ଭାବେ ଘୋଷଣା କରାଯାଇ ନାହିଁ ।
ତେବେ ଏସବୁ ଭିତରେ ଦେଶରେ ବିଜେପି ଓ କଂଗ୍ରେସ ତାଙ୍କର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରି ସାରିଛି । କିନ୍ତୁ ଓଡିଶାରେ ମେଣ୍ଟ ଅଙ୍କ ଛିଡୁ ନ ଥିବାରୁ ବିଜେପି-ବିଜେଡି ସିଟ୍ ଅଙ୍କ କଷୁଛନ୍ତି । ଜଣାପଡୁଛି କି, କଂଗ୍ରେସ ଏହାକୁ ଗମ୍ଭୀରତାର ସହ ଦେଖିବା ସହ ନିଜ ପ୍ରାର୍ଥୀ ତାଲିକାରେ ଓଡିଶାରେ ପ୍ରାର୍ଥୀ ଘୋଷଣା କରୁନାହିଁ । ଓଡିଶା ରାଜନୀତିର ଏଭଳି ସ୍ଥିତିରେ ମଉକା ଦେଖି ଛକା ମାରିବାକୁ ଚେଷ୍ଟା କରୁଛି କଂଗ୍ରେସ । ଦଣ୍ଡେ ମାପି ଚାଖେଣ୍ଡ ଗୋଟି ଚାଳନା କରିବ ବୋଲି ଫୁଲ ମୁଡ୍‌ରେ ଦଳ । ଏହି ସମୟରେ କଂଗ୍ରେସର ଭେଟେରାନ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସକୁ କମବ୍ୟାକ୍ କରିଛନ୍ତି । ଯଦି ବିଜେଡି-ବିଜେପି ମେଣ୍ଟ ହୁଏ ତେବେ କଂଗ୍ରେସ ଏହାର ଫାଇଦା ନେବ ବୋଲି କୁହାଯାଉଛି । କଂଗ୍ରେସ ନିଜ ଦଳକୁ ଆହୁରି ସୁଦୃଢ କରିବାକୁ ଏବଂ ନିର୍ବାଚନରେ ଲୋକମତକୁ ନିଜ ସପକ୍ଷକୁ ନେବାକୁ ଏକ ପାୱାରଫୁଲ ରଣନୀତିଜ୍ଞଙ୍କୁ ନିଯୁକ୍ତି କରିଛି ବୋଲି ଜଣାପଡିଛି । ଆଉ ସେହି ରଣନୀତିକାରଙ୍କ ଟିମ୍ ପୁରା ଓଡିଶାରେ ସର୍ଭେ କରୁଛନ୍ତି । ତେବେ ସର୍ଭେର ରିପୋର୍ଟ ଅନୁସାରେ ହିଁ କଂଗ୍ରେସ ତା’ର ବିଧାୟକ ପ୍ରାର୍ଥୀ ଦେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଅଗାମୀ ଲୋକସଭା ନିର୍ବାଚନର ଓଡିଶା କଂଗ୍ରେସର ଷ୍ଟ୍ରାଟେଜି ପ୍ଲାନର ସାଜିଛନ୍ତି ସୁନୀଲ କାନୁଗୋଲୁ ଓ କୌଶଲ ବିଦ୍ୟାର୍ଥୀ । କୌଶଲ ରାହୁଲଙ୍କ ଘନିଷ୍ଠ ତଥା ପରାମର୍ଶଦାତା ହୋଇଥିବାବେଳେ ସୁନୀଲ କଂଗ୍ରେସର ବିଶିଷ୍ଟ ରଣନୀତିକାର ଭାବେ ରହି ଆସିଛନ୍ତି ।
ତେବେ ମେଣ୍ଟକୁ ନେଇ ଆଗକୁ କ’ଣ ହେଉଛି ତା’କୁ ନେଇ କଂଗ୍ରେସ ଅପେକ୍ଷା କରିଛି । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଭରସାଯୋଗ୍ୟ ଲୋକ ସୁନୀଲ କାନୁଗୋଲୁ ଓଡିଶା ରାଜନୀତିକୁ ତୀକ୍ଷ୍ମ ଭାବରେ ନଜର ରଖୁଛନ୍ତି । ସେପଟେ ମେଣ୍ଟକୁ ନେଇ କଂଗ୍ରେସର ପ୍ରତିକ୍ରିୟା କ’ଣ ରହିଛି ବୋଲି କଂଗ୍ରେସର ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କୁ ପଚରାଯିବାରୁ ସେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ମେଣ୍ଟ ହେଲେ କଂଗ୍ରେସର କିଛି ଫରକ ପଡିବନି । ଆଗାମୀ ନିର୍ବାଚନ ରାଜ୍ୟରେ ନିର୍ଣ୍ଣାୟକ ମୋଡ ନେବ । ଆଉ ଦଳ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି ।


Next Post

ନବୀନ ନିବାସରେ ସରିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ମେଣ୍ଟକୁ ନେଇ ଏମିତି କହିଲା ବିଜେଡି

Thu Mar 14 , 2024
ଭୁବନେଶ୍ବର,୧୪।୩:ନବୀନ ନିବାସରେ ସରିଲା ବିଜେଡିର ଗରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଗଣମାଧ୍ୟମ ସାମ୍ନାରେ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ ଆଲୋଚନା ହୋଇଛି । ପର୍ଯ୍ୟବେକ୍ଷକମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନଙ୍କର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀୱାରି ରିପୋର୍ଟ ପ୍ରଦାନ କରିଥିଲେ । ଏଥିସହ ନିର୍ବାଚନ ପ୍ରସ୍ତୁତି, ରଣକୈଶଳ ନେଇ ଆଲୋଚନା ହୋଇଛି । ବୈଠକରେ […]

KANIKA