ଜିଲ୍ଲା ଯାତ୍ରା କମିଟି ମହାସଙ୍ଘ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ



କେନ୍ଦ୍ରାପଡ଼ା,୨୦ା୩: ଜିଲ୍ଲା ଯାତ୍ରା କମିଟି ମହାସଙ୍ଘ, କେନ୍ଦ୍ରାପଡ଼ା ଏବଂ ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତିର ମିଳିତ ଆନୁକୂଲ୍ୟରେ ସହର ସନ୍ନିକଟ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସରେ ଆଜି ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଯାତ୍ରା କମିଟି ମହାସଙ୍ଘର ସଭାପତି ମିହିର କୁମାର ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବୀ, ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତି ସଭାନେତ୍ରୀ ତଥା ଆଇନଜୀବୀ ଜ୍ୟୋସ୍ôନାମୟୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଜାତିର ଖାଦ୍ୟ ଅସ୍ମିତାର ପ୍ରତୀକ ତଥା ଗର୍ବ ଓ ଗୈାରବ ହେଉଛି ପଖାଳ । ସାଧାରଣ ଲୋକଟିର ଜୀବନ ସହିତ ଏହି ପଖାଳ ଓତୋପ୍ରୋତ ଭାବେ ଜଡିତ । ସକାଳୁ କଂସାଏ ପଖାଳ ଓ ଆଳୁ ଚକଟା ସହ ପିଆଜ, ଲଙ୍କା ହେଉଛି ଜଣେ ସାଧାରଣ ଓଡିଆ ଘରର ପାରମ୍ପରିକ ଖାଦ୍ୟ । ପଖାଳ ସହିତ ଓଡିଆଙ୍କ ଧାର୍ମିକ ଭାବନାର ମଧ୍ୟ ପ୍ରତ୍ୟେକ୍ଷ ସମ୍ପର୍କ ରହିଛି । ଓଡିଆ ଜାତିର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନାଥ ମଧ୍ୟ ପଖାଳପ୍ରିୟ ବୋଲି ସେ କହିଥିଲେ । ଶ୍ରୀଜଗନ୍ନାଥଙ୍କ ଟଙ୍କ ତୋରାଣୀ ସାରା ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ ତାକୁ ପାଇବା ପାଇଁ ଭକ୍ତ ପାଗଳ ପ୍ରାୟ ହୋଇଥାଏ । ପଖାଳକୁ ଖାଦ୍ୟ ଭାବରେ ଗ୍ରହଣ କରୁଥିବା ପ୍ରତ୍ୟେକ ଲୋକର ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ସହିତ ଅନେକ ଉପକାରୀ ଗୁଣର ବାର୍ତ୍ତାବହନ କରିଥାଏ । ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ଏବେ ସାରା ବିଶ୍ୱରେ ଏକ ଲୋକପ୍ରିୟ ଖାଦ୍ୟ । ଏହି ପରିପ୍ରେକ୍ଷୀରେ ପଖାଳ ଖାଦ୍ୟର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ନେଇ ଗତ କିଛିବର୍ଷ ହେବ ମାର୍ଚ୍ଚ ୨୦ ତାରିଖରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇ ଆସୁଛି ବୋଲି ଶ୍ରୀମତୀ ପରିଡା କହିଥିଲେ । ସମ୍ମାନୀତ ଅତିଥି ଭାବେ ଚାନ୍ଦୋଳ ବଜାର କମିଟି ସଭାପତି ଶିବାଶିଷ ମହାନ୍ତି ଯୋଗଦେଇ ବିଶ୍ୱ ପଖାଳ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଜି ଚଣ୍ଡିଆ ପ୍ୟାଲେସରେ ପଖାଳ ସହିତ ୨୨ ପ୍ରକାର ନିରାମିଷ ଓ ଆମୀଷ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପଖାଳ ପ୍ରିୟ ଲୋକମାନଙ୍କୁ ପଖାଳ ସହିତ ପରସା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯାତ୍ରା କମିଟି ମହାସଙ୍ଘର ଜିଲ୍ଲା କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ସମୀରରଞ୍ଜନ ବାରିକ, ବିବେକ ବେହୁରାଙ୍କ ସମେତ ୯ଟି ବ୍ଲକ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


Next Post

ଜିଲ୍ଲାର ସର୍ବପୁରାତନ ଉଚ୍ଚଶିକ୍ଷାନୁଷ୍ଠାନର ଦୁର୍ଦ୍ଦିନରେ ପରିଚାଳନା ପରିଷଦ ନୀରବ ଦ୍ରଷ୍ଟା କାହିଁକି?

Thu Mar 21 , 2024
କେନ୍ଦ୍ରାପଡ଼ା,୨୧ା୩: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ହେଉଛି ଏହି ଜିଲ୍ଲାର ସର୍ବପ୍ରାଚୀନ ଓ ସର୍ବବୃହତ ଉଚ୍ଚଶିକ୍ଷାନୁଷ୍ଠାନ । ଏହି କମ୍ପୋଜିଟ ଶିକ୍ଷାନୁଷ୍ଠାନରେ ଏବେ ଯୁକ୍ତ ଦୁଇ ସହ, ଯୁକ୍ତ ତିନି ସ୍ନାତକ ଓ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଆଦି ୧୫ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଏ । ଏହି ମହାବିଦ୍ୟାଳୟଟି ଏକ ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ଓ ବିଗତ ଦୁଇଦୁଇ ଥର ନାକ୍ ମାନ୍ୟତାରେ ‘ଏ’ ଗ୍ରେଡ଼ […]

You May Like