ଇଟାଭାଟି ଧୂଆଁରେ ବଢ଼ୁଛି ପ୍ରଦୂଷଣ, ବ୍ୟାପୁଛି ରୋଗ, ତାତି ବଢ଼ାଉଛି ଇଟାଭାଟି ନିଆଁ , ଧୁଆଁ ପ୍ରଭାବରେ ଲୋକେ ଅଣନିଃଶ୍ୱାସୀ



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି । ଅଜି ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ମାତ୍ର ବେଆଇନ ନାଲି ଇଟାଭାଟିର ନିଆଁଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ହୋଇ ତାତି ବେଶି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ଇଟାଭାଟିରୁ ବାହାରୁଥିବା ଧୂଆଁ ପ୍ରଭାବରେ ପୋଡ଼ା କୋଇଲା ପାଉଁଶ ଗୁଣ୍ଡ ଉଡି ଗଛ ପତ୍ର ପଡ଼ିବା ଫଳରେ ଏକ ଆସ୍ତରଣ ସୃଷ୍ଟି ହେବାରେ ଲାଗିଛି । ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଧୂଆଁ ଯୋଗୁ ଲୋକେ ଅଣନିଃଶ୍ୱାସୀ ହେଇପଡୁଛନ୍ତି । ଇଟାଭାଟି ବନ୍ଦ କରିବାକୁ ତହସିଲଦାର ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ରାସ୍ତାପାଶ୍ୱର୍ରେ ଇଟାଭାଟି ବେଧଡ଼କ ଭାବେ ଚାଲୁଛି । ପ୍ରଶାସନ କାହିଁକି ନୀରବ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏ ସମ୍ପର୍କରେ ପରିବେଶବିତ୍ ବିଭୂତି ମହାପାତ୍ର କୁହନ୍ତି, ଇଟାଭାଟିରୁ ନିର୍ଗତ ଧୂଆଁ ଯୋଗୁ ବାୟୁମଣ୍ଡଳରେ ଉଷ୍ଣତା ସହ ଅଙ୍ଗାରକାମ୍ଳ ଗ୍ୟାସ ବଢ଼ିବାରେ ଲାଗିଛି । ଫଳରେ ଆଖପାଖ ଅଂଚଳରେ ଛୋଟ ଶିଶୁଙ୍କ ସମେତ ବୃଦ୍ଧାବୃଦ୍ଧମାନେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି । ରାଜସ୍ୱ କର୍ମଚାରୀମାନେ ଲୋକଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ହାତ ଚିକ୍କଣ କରି ଚୁପ୍ ହୋଇ ଚାଲି ଯାଉଛନ୍ତି । ଏଥିପାଇଁ ରାଜସ୍ୱ କର୍ମଚାରୀମାନେ ଦାୟୀ ଅଟନ୍ତି ।
କୃଷକନେତା ବିଜୟ ଦାସ, କ୍ଷୀରୋଦ ମଲିକ, ଅନନ୍ତ ଦାସ, ସର୍ବଶ୍ୱେର ସେଠୀ କୁହନ୍ତି, କେନ୍ଦ୍ରାପଡ଼ା ଏକ କୃଷିପ୍ରଧାନ ଜିଲା ଭାବେ ପରିଚିତ । ବହୁ ନଦୀନାଳ ଜିଲାରେ ପ୍ରବାହିତ । ବିଶେଷ କରି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ପାଖ ଦେଇ ବ୍ରାହ୍ମଣୀ ଓ ଗୋବରୀ ନଦୀର ଅବବାହିକା ଅଂଚଳରେ ଥିବା ମାଟି ଦୋରସା ଓ ବାଲିଆ ହୋଇଥିବାରୁ ସେଠାରେ ବିଭିନ୍ନ କୃଷିଜାତ ଫସଲ ଓ ପନିପରିବା କରି ଚାଷୀମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର କିଛିବର୍ଷ ହେବ ବ୍ୟବସାୟୀମାନେ ନଦୀ ପଠାରେ ଇଟାଭାଟି କରିବା ସହ ଜିଲା ଓ ଜିଲା ବାହାରକୁ ନାଲି ଇଟା ବିକ୍ରୟ କରୁଛନ୍ତି । ଏହାଦ୍ୱାରା ଶତାଧିକ ଏକର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏ ଦିଗରେ ତହସିଲଦାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଚାଷୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ପୌରାଂଚଳର ମାଟିଆ, ତାତନା, ଅଳଭା, କଷଣଅଂଟା ଗ୍ରାମରେ ଚାଲିଥିବା ଚୋରା ଇଟାଭାଟି ଯୋଗୁଁ ପ୍ରଦୂଷଣ ବଢ଼ିଚାଲିଛି । ଫଳରେ ଏହି ଅଂଚଳର ଲୋକେ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଥଣ୍ଡା, କାଶ ଓ ଶ୍ୱାସରୋଗ ବ୍ୟାପୁଛି । ଦିନକୁ ଦିନ ଏହି ଅଂଚଳରେ ନୂଆ ନୂଆ ଶ୍ୱାସରୋଗୀଙ୍କୁ ଦେଖିବାକୁ ମିଳୁଛି । ଦିନରାତି ଇଟା ପୋଡ଼ା ହେଉଛି । ଫଳରେ ଗାଁ ଗହଳିକୁ ପ୍ରବଳ ଧୂଆଁ ମାଡ଼ିଆସୁଛି । ଲୋକେ ଥଣ୍ଡା, କାଶରେ ପୀଡ଼ିତ ହେଉଥିବା ବେଳେ ପ୍ରଦୂଷଣ ଯୋଗୁଁ ସହଜରେ କେହି ଆରୋଗ୍ୟ ହେଉନାହାନ୍ତି । ବିଶେଷକରି ବରିଷ୍ଠ ନାଗରିକମାନେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି ବୋଲି କହିଛନ୍ତି ।
ଏ ସମ୍ପର୍କରେ କେନ୍ଦ୍ରାପଡା ଉପଜିଲାପାଳ ରବିନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଇଟାଭାଟିଗୁଡିକ ବନ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଉପରେ ପଦକ୍ଷେପ ତହସିଲଦାର ନେବେ ବୋଲି ସେ କହିଛନ୍ତି । ତହସିଲଦାର ପଂଚାନନ ନାୟକଙ୍କୁ ପଚାରିବାରେ ବେଆଇନ ଇଟାଭାଟି ଉପରେ ଚଢାଉ କରାଯାଇ ଇଟାଗୁଡିକୁ ନଷ୍ଟ କରାଯିବା ନିର୍ଦ୍ଦେଶ ଆସିଛି । ଯାଥା ଶିଘ୍ର ବେଆଇନ ଇଟା ଭାଟି ଉପରେ କାର୍ଯ୍ୟନୁଷ୍ଟାନ ନିଆଯିବ ବୋଲି ସେ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading