
କେନ୍ଦ୍ରାପଡା,ତା୨୭/୩-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବୁଢାଗୋବିନ୍ଦଜୀଉ ମନ୍ଦିର ପରିସରରେ ୪୨ତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମାର୍ଚ୍ଚ ୧୯ତାରିଖ ମଙ୍ଗଳବାର ଠାରୁ ୨୫ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମବାରଦିନ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦଜୀଉଙ୍କ ନିକଟରେ ନୂତନ ପାଞ୍ଜିକା ପଠନ କରାଯିବା ପରେ ଶ୍ରୀମଦ୍ ଭଗବତ ଗୀତା ଘୃତଯଜ୍ଞ କରାଯାଇ ପାରାୟଣ ଉଦ୍ଯାପନ କରାଯାଇଥିଲା । ଏହାପରେ ଦୋଳପୂର୍ଣ୍ଣିମାଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ସୁସର୍ଜ୍ଜିତ ଦୋଳ ବିମାନରେ ରାଧା ଗୋବିନ୍ଦଙ୍କୁ ବିଜେ କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯିବା ସହ ଭୋଗଲାଗି କରାଯାଇ ପବିତ୍ର ଦୋଳ ମହୋତ୍ସବ ପାଳନ କରାଯାଉଛି । ଏହି ଭାଗବତ ପାରାୟଣ, ଘୃତଯଜ୍ଞ ଓ ଦୋଳମହୋତ୍ସବରେ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ବୁଢାଗୋବିନ୍ଦଜୀଉ ମନ୍ଦିର ପରିସରରେ ଦୋଳ ମେଲଣ ଅନୁଷ୍ଠିତ ହୋଯାଇଛି । ଏଥିରେ ବିଭିନ୍ନ ଗ୍ରାମରୁ ୧୨ଟି ଦୋଳ ବିମାନ ସୁ ସଜ୍ଜିତ ବିମାନରେ ଆସି ମନ୍ଦିିର ପରିସରରେ ଏକାଠି ହୋଇଥିଲେ । ସମସ୍ତେ ଭୋଗଲାଗି ହେବାପରେ ନିଜନିଜ ଅଞ୍ଚଳକୁ ଚାଲିଯାଇଥିଲେ । ଗୁଲନଗର ଗ୍ରାମର ବୁଢାଗୋବିନ୍ଦ(ଥାନପତି) ଓ ଗୋପାଳଜୀଉ, ସୁଜାନଗର ଗ୍ରାମର ମଦନମୋହନ, କପାଳେଶ୍ୱର ଗ୍ରାମର ରାଧାମୋହନ, ରଘୁନାଥଜୀଉ, ରାଧାକାନ୍ତଜୀଉ, ଗୋପିନାଥଜୀଉ, ରାଧାକୃଷ୍ଣଜୀଉ,ତିନିମୁହାଣୀ ରାମ ମନ୍ଦିରର ରଘୁନାଥଜୀଉ ପ୍ରମୁଖ ଦୋଳ ଠାକୁର ଏକାଠି ଭୋଗ ଖାଇଥିଲେ । ଏହି ଅବସରରେ ବିଭିନ୍ନ ବାଜା ରୋସଣୀ ସହିତ ଘୋଡାନାଚ, ବାଡିଖେଳ, ନିଆଁଖେଳ ପ୍ରମୁଖ ଅନୁଷ୍ଠିତ ହୋଇଥିଲା । ଗ୍ରାମ ଓ ଗ୍ରାମ ବାହାରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ରାଧାଗୋବିନ୍ଦଙ୍କ ସାନିଧ୍ୟ ଲାଭ କରିଥିଲେ । ଏହି ଉତ୍ସବକୁ ରବିନ୍ଦ୍ର ରଥ, ଦିଲ୍ଲୀପ ରଥ, ଉପେନ୍ଦ୍ର କର, ନଳିନୀ କାନ୍ତ ସାହୁ, ଦେବାଶିଷ କୁବେର ପ୍ରମୁଖ ପରିଚାଳନା କରିଥିଲେ ।

ସେହିପରି ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ସୁଜାନଗର ଗ୍ରାମ ସ୍ଥିତ ତୈଳିକ ବୈଶ୍ୟର ଆରାଧ୍ୟ ଦେବତା ମଦନ ମୋହନ ଜୀୟୁଙ୍କ ମନ୍ଦିରରେ ଦୋଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ସୋମବାର ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମଦନମୋହନଙ୍କ ସମ୍ମୁଖରେ ଚଳିତ ବର୍ଷର ନୂତନ ପଞ୍ଜିକା ପଠନ କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ଦାରୁବ୍ରହ୍ମ ଅନୁଷ୍ଠାନ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଲନଗର ପଞ୍ଚାୟତ ଓ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଯୋଗଦେଇ ମଦନମୋହନଙ୍କ ଆର୍ଶୀବାଦ ନେଇଥିଲେ । ଦୋଳପୂର୍ଣ୍ଣିମାଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ସୁସର୍ଜ୍ଜିତ ଦୋଳ ବିମାନରେ ମଦନ ମୋହନଙ୍କୁ ବିଜେ କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯିବା ସହ ଭୋଗଲାଗି କରାଯାଉଥିଲା । କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ପୋରାଧ୍ୟକ୍ଷ ଧିରେନ କୁମାର ସାହୁ, କୁଳମଣି ନାୟକ, ଗୁନଗର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି କରୁଣାକର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ଭରତ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ ସରୋଜ କୁମାର ସାହୁ, କୁମାରେଶ ସାହୁ, ଦେବାଶିଷ କୁବେର, ଅନନ୍ତ କୁମାର ନାୟକ,ମୃତ୍ୟୁଞ୍ଜୟ ସାହୁ, ଚିତ୍ତରଞ୍ଜନ ପୃଷ୍ଟି, ଗଣେଶ ପ୍ରସାଦ ସାହୁ, ହଳଧର ସାହୁଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ବାସୀ ଓ କମିଟିର ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।











