
ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ନିଜର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ବିଜେଡି ୧୫ ଜଣ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ୭୨ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏହି କ୍ରମରେ ବିଜେଡି ରାଜନଗର ବିଧାନସଭା ଆସନ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାର୍ଥୀ ତାଲିକା ପ୍ରକାଶ ପରେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କିଛିଟା ରାଜନୀତିରେ ପୂର୍ଣ୍ଣଛେଦ ପଡ଼ିଥରବା ବେଳେ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି । ମାତ୍ର ପ୍ରାର୍ଥୀତ୍ୱ ଘୋଷଣା ବହୁ ପୂର୍ବରୁ ପଟ୍ଟାମୁଣ୍ଡାଇ-ରାଜନଗରରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜନ ପାଇଁ ଗତ ୨୨ ତାରିଖରେ ଭୁବନେଶ୍ୱର ଠାରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ନିଷ୍ପତି ନିଆଯାଇଥିଲା । ତଦନୁଯାୟୀ ଆଜି ପଟ୍ଟାମୁଣ୍ଡାଇ-ରାଜନଗର ବିଜେଡି ପକ୍ଷରୁ ଧ୍ରୁବ, ଅଂଶୁମାନଙ୍କୁ ନେଇ ମିଳିତ ଶୋଭାଯାତ୍ରା ଓ ମିଶ୍ରଣପର୍ବ ପାଇଁ ପଟ୍ଟାମୁଣ୍ଡାଇ ବାଇପାସ ଠାରେ ବିଜେଡି ଦଳର ହଜାର କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ । ଉଭୟ ବିଧାୟକ ଓ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଥିବାରୁ ଧ୍ରୁବ ଓ ଅଂଶୁମାନଙ୍କୁ ସ୍ୱାଗତ କରିବା ପାଇଁ କର୍ମୀ ଓ ନେତାମାନେ ଦଳୀୟ ପତାକା ଧରି ପ୍ରଚାର ଗାଡି ସହିତ ଉଭୟ ନେତାଙ୍କ ଅପେକ୍ଷାରେ ଥିଲେ । ତେବେ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ଘୋଷିତ ସମସ୍ତ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ନବୀନ ନିବାସରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଥିଲା । ଯାହାଫଳରେ ଉଭୟ ଧ୍ରୁବ, ଅଂଶୁମାନ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଅଧା ବାଟରୁ ଭୁବନେଶ୍ୱର ଫେରି ଯାଇଥିବାରୁ ପଟ୍ଟାମୁଣ୍ଡାଇ-ରାଜନଗର ବିଜେଡିର ମିଳିତ ଶୋଭାଯାତ୍ରା ଓ ମିଶ୍ରଣ ପର୍ବକୁ ବାତିଲ କରାଯାଇଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର କୁମାର ସାହୁ ପ୍ରକାଶ କରିବା ସହିତ ଖୁବ ଶୀଘ୍ର ପଟ୍ଟାମୁଣ୍ଡାଇ-ରାଜନଗରରେ ମିଶ୍ରଣ ପର୍ବ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ।











