
କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ କାନୁଗୋ ଭବନରେ ବଳଦେବ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ସ୍ୱର୍ଗତ ଡା. ସରୋଜକାନ୍ତ କାନୁନଗୋଙ୍କ ୩୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାକୁ ବୟୋଜ୍ୟେଷ୍ଠ ବ୍ୟକ୍ତି ନିରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇ ପୂଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଥିସହିତ ଜଗଦିଶ ସାହୁ ଶ୍ରୀମଦ ଭାଗବତ ପାଠ କରିଥିଲେ । ପ୍ରମୋଦ କୁମାର ସାହୁ, ଡା. ପୁରୁଷୋତ୍ତମ ସାହୁ, ଗଜେନ୍ଦ୍ର କୁମାର ମହାନ୍ତି, ନାରାୟଣ ସ୍ୱାଇଁ, ଶରତ କୁମାର ଆଚାର୍ଯ୍ୟ, ରାଜଗୋପାଳ ମହାନ୍ତି, ବସନ୍ତ କୁମାର ଜେନା, ଡା. ବିଶ୍ୱପ୍ରକାଶ କାନୁନଗୋ, ମଦନମୋହନ ବେହେରା, ପ୍ରାଣକୃଷ୍ଣ ସାମଲ, ଧରଣୀଧର ଦାସ, ଜଳଧର ଦାସ, ନିଗମଶେଖର ମହାନ୍ତି, ଅକ୍ଷୟ କୁମାର ପତି ପ୍ରମୁଖ ସ୍ୱର୍ଗତ ଡା. କାନୁନଗୋଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ସେ ବାଲିଆ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସାଂସ୍କୃତିକ କ୍ଷେତ୍ରରେ ଆଲୋକବର୍ତ୍ତିକା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ତର ପିଢୀଙ୍କ ନିକଟରେ ସ୍ମରଣୀୟ ହୋଇ ରହିବା ନିମନ୍ତେ ସ୍ୱର୍ଗତ ଡା. କାନୁନଗୋଙ୍କ ଏକ ସ୍ମୃତି କମିଟି ଗଠନ ନିମନ୍ତେ ସର୍ବସମ୍ମତି କ୍ରମେ ସିଦ୍ଧାନ୍ତ ଗ୍ରହଣ କରାଗଲା । ବଳଦେବ ସାଂସ୍କୃତିକ ପରିଷଦ ତରଫରୁ ୨ମାସ ମଧ୍ୟରେ ଏକ ସାଧାରଣ ବୈଠକ ଡକାଯାଇ ସ୍ମୃତି କମିଟି ଗଠନ ସହ କମିଟିର ସଦସ୍ୟ/ସଦସ୍ୟାମାନଙ୍କୁ ମନୋନ୍ୱିତ କରାଯିବାକୁ ସ୍ଥିର କରାଯାଇଛି । ସାଂସ୍କୃତିକ ସମାରୋହ କରି ସ୍ମୃତିକୁ ବଞ୍ଚାଇ ରଖିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ଶେଷରେ ପ୍ରମୋଦ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।











