ଦିଗହରା ରାଜନୀତି , ଧନଲୋଭର ଶାସନ କ୍ଷମତା ଗୋଟିଏ ସମାଜ ମଙ୍ଗଳ ରାଷ୍ଟ୍ରରେ ଦୁଃଖ

ଦିଗହରା ରାଜନୀତି , ଧନଲୋଭର ଶାସନ କ୍ଷମତା ଗୋଟିଏ ସମାଜ ମଙ୍ଗଳ ରାଷ୍ଟ୍ରରେ ଦୁଃଖ

ଓଡ଼ିଶାର ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ ଭାବେ ପରିଗଣିତ । ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଥାଏ । ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଗରିବ ଓ ନାମମାତ୍ର ଚାଷୀ । ଏଠାରେ ପ୍ରାୟତଃ ୭୦ଭାଗ ଖଟିଖିଆ ଦିନ ମଜୁରିଆଙ୍କୁ ନିଯୁକ୍ତି ଦେଲା ଭଳି ଉଚ୍ଚମାନର କଳକାରଖାନା, କମ୍ପାନୀ ନାହିଁ ନା ହେବାର ସ୍ୱପ୍ନ କୌଣସି ଉଚ୍ଚ ରାଜନେତାଙ୍କ ମୁଣ୍ଡରେ ଜୁଟେ ନାହିଁ । ଏ ଦଳ ଆସିଲେ ହବ, ସେ ଦଳ ନାମରେ ରାଜ୍ୟରେ ଖାଲି ବାଇଦ ବଜି କୋଟି କୋଟି ଟଙ୍କାର ପ୍ରକଳ୍ପ ଖାଲି ଘୋଷଣାରେ ସୀମିତ ରହେ । କୁଟୀରଶିଳ୍ପ, କୃଷିଜାତ ଶିଲ୍ପ, କ୍ଷୁଦ୍ର/ମଧ୍ୟମ/ଅଣୁ ଶିଳ୍ପ ଯାହା ଅଛି ସେଗୁଡିକ ସରକାରୀ ପ୍ରୋତ୍ସାହନ ଅଭାବରୁ ମୃତ ଅବସ୍ଥାରେ ପଡି ରହିଛି । ଅନ୍ୟପକ୍ଷରେ କୃଷିକାର୍ଯ୍ୟପାଇଁ ଜଳପରିଚାଳନାରେ ଅଧିକତୃଟି ହେବାରୁ ଆମ ଅଂଚଳର କେତେକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଅନ୍ୟମାନେ କର୍ମବିହୁନେ ହାହୁତାଶନରେ ଜୀବନ କାଟୁଛନ୍ତି । ମାତ୍ର ନିର୍ବାଚନ ଆସିଲେ ତୁଚ୍ଛା ସ୍ଲୋଗାନ । ଲୋକଦେଖାଣିଆ ବୋବାଳି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ମିଥ୍ୟା ବିକାଶ ନାମରେ ବିକଳାଙ୍ଗ ଓ ବିବର୍ଣ୍ଣ । ପ୍ରାକୃତିକ ସମ୍ପଦକୁ ଶାଗମାଛ ମୂଲ୍ୟରେ ଧ୍ୱଂସ କରାଯାଉଛି । ପ୍ରଗତି ନାମରେ ପ୍ରଳାପ ଚାଲିଛି ବୋଲି ମତ ପ୍ରକାଶ ପାଉଛି ।

ରାଜ୍ୟରେ ଖଣି ଖାଦାନ, କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଭରପୂର ଅଛି । ଏଠାରେ ରଜନେତା ମାନଙ୍କ ବୈଷୟିକ ବିଦ୍ୟାବୁଦ୍ଧି ଅଭାବରୁ ଏହି ଖଣିଜ ପଦାର୍ଥର ବିନିଯୋଗକରି କଳକାରଖାନା ଗଢ଼ା ହେଉନାହିିଁ । ସେହି ଖଣିଜ ପଦାର୍ଥ କଂଚାମାଲକୁ କେନ୍ଦ୍ରାପଡା ବାଟହୋଇ ପାରାଦିପ ବନ୍ଦରଦେଇ ବାହାରକୁ ଚାଲାଣ କରାଯାଉଛି । ମାତ୍ର କର୍ମସଂସ୍ଥାନ ପାଉନଥିବା ଯୁବ ବେକାରି ରାସ୍ତାକଡ଼ରେ ୫ଟଙ୍କିଆ ଖାଦ୍ୟ ପାଇଁ ଥାଳି ତାଟିଆ ବାଡ଼ାଉଛନ୍ତି । ଧୋବଧାବଳିଆ ନେତାଙ୍କ କାର୍ଯ୍ୟକ୍ରମ ପ୍ରତି ମନରେ ଘୃଣା ଆସୁଛି ହେଲେ ଡରରେ କିଛି କହିପାରୁ ନାହାଁନ୍ତି ।

ଜଳ ବିହୁନେ କୃଷିକ୍ଷେତ୍ର, ଶିକ୍ଷକ ବିହୁନେ ଶିକ୍ଷା, ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବରୁ ସ୍ୱାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ଉଦ୍‌ବେଗଜନକ ହୋଇ ସ୍ୱାଭିମାନ ଏବେ ପଥଭ୍ରଷ୍ଟ ହେଉଛି । ଏଠାରେ ସରକାର ମାଙ୍କଡ଼, ଗୋଧି, ବଣ ମଣିଷ ଯୋଜନା ତିଆରି କରି କର୍ମଠ ଜନସାଧାରଣଙ୍କୁ ନିଷ୍କର୍ମା ସଜାଇ ସାରିଲେଣି । ଏଠାକାର ଯୁବତୀଯୁବକ କର୍ମ ବିମୁଖତା ଆଡକୁ ମୁହାଁଇ ଅଗ୍ରଗତି ବିପଦସଙ୍କୁଳ ପରିସ୍ଥିତି ଦେଇ ଗତି କରୁଛି ।

ନିର୍ବାଚନ ଭୋଟ, ଶାସନ କ୍ଷମତା ଓ ଧନର ଲୋଭ ଗୋଟିଏ ସମାଜ ମଙ୍ଗଳ ରାଷ୍ଟ୍ରରେ ଦୁଃଖ ଓ ଦୁର୍ଦ୍ଦଶାର କାରଣ ପାଲଟିଛି । ଗଣତନ୍ତ୍ର ଧ୍ୱଂସମୁଖୀ ସାଜିଛି । କେହି ଜଣେ ଛାତିରେ ହାତ ମାରି କହିପାରିବେ ନାହିଁ ନ୍ୟାୟ, ସତ୍ୟ, ଆଦର୍ଶ ଓ ଭଲ କର୍ମ କରି ମୁଁ ଜନପ୍ରତିନିଧି ସାଜିଛି । ମଣିଷର ମାନବୀୟ ସଂହିତା ଦୟା, କ୍ଷମା, ସ୍ନେହ, ମାୟା ଓ ମମତା, ସବୁ ଉଭେଇ ଯାଇଛି । କଳା ଓ ଭାସ୍କର୍ଯ୍ୟର ଏ ବିଭବଶାଳିନୀ ପ୍ରଦେଶ ଦିନକୁ ଦିନ ନିଃସ୍ୱ ଅସହାୟ ଦେଖାଯାଉଛି । ଓଡ଼ିଆମିତ୍ୱ ମାଟିରେ ମିଶିଗଲାଣି ।

ଜାତି ସଂରକ୍ଷଣ, ଆବାସ ଯୋଜନା, ଧାନମଣ୍ଡିରେ ଅବହେଳା ପ୍ରଦେଶ ପାଇଁ ବିଶୃଙ୍ଖଳାର କାରଣ ହୋଇଛି । ଢାଙ୍କୁଣୀ ଭିତରେ ମୁହଁ ରଖି ରାଜନୈତିକ ଦଳଗୁଡ଼ିକ ନାଚୁଛନ୍ତି । ଢାଙ୍କୁଣୀ କାଢ଼ି ଓଡ଼ିଶାର ପୂର୍ଣ୍ଣାଙ୍ଗ ମାନଚିତ୍ରକୁ ଦେଖନ୍ତୁ ଦେଖିବେ ବୃକ୍ଷମୂଳରେ, ରାସ୍ତାକଡ଼ରେ, ରେଳଷ୍ଟେଶନରେ, ପଲିଥିନ ତଳେ ଶହ ଶହ ଅସହାୟ ବଡ଼ ଦୟନୀୟ ସ୍ଥିତିରେ ଠେଲାପେଲା ଲାଗୁଛନ୍ତି ।  ଦିଗହରା ଯୋଜନା ଜାତିର ଅଧୋଗତିକୁ ସୂଚେଇ ଦେଉଛି । ନେତା ଓ ନେତୃତ୍ୱମାନେ ନିଜ ଜୀବନକୁ ଯେତିକି ମୂଲ୍ୟବାନ୍ ମଣୁଛନ୍ତି, ଜନସାଧାରଣଙ୍କ ଜୀବନକୁ ସେତିକି ଗୁରୁତ୍ୱ ଦେଉନାହାନ୍ତି । ଜନପ୍ରତିନିଧି ମାନେ ଭୁଲିଯାଉଛନ୍ତି ଶପଥପାଠ ବେଳର ମନ୍ତ୍ର, ଗଣତନ୍ତ୍ରର ଅଖଣ୍ଡତା ଓ ଅକ୍ଷୁଣ୍ଣତାର ଗାଥା । ବିଭିନ୍ନତା ଭିତରେ ଏକତାର କଥା ଶୁଭୁନାହିଁ । ଈର୍ଷା ଓ ଶତ୍ରୁତା ବଦଳରେ ନିଷ୍ଠା ଓ ସେବାର କଥା ସୃଷ୍ଟି ହେଉନାହିଁ । ମୌଳିକ ଅଧିକାର ପ୍ରତି ଜତ୍ନାବାନ ହେବାର ସବୁ ଗଣିତ ଭୁଲ୍ । ପ୍ରଗତି ପାଇଁ ଦୃଢ଼ ଇଚ୍ଛା ଶକ୍ତି ଲୋଡ଼ା । ଯାହା ଜନକଲ୍ୟାଣର ରାସ୍ତା ନିର୍ମାଣ କରିବ , ସେପରି କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ । ଲଙ୍ଗଳା ପିଲାର ଦୁଃଖ, ବାଟ ପାଉ ନ ଥିବା ବେକାରି ଯୁବକ, ପରସ୍ତ ପରସ୍ତ ଫୁଟା ଲୁଗା ଭିତରେ ଦିନ ମଜୁରିଆଣୀର ନଗ୍ନ ଦୃଶ୍ୟ, ଭରସାହୀନ ବୃଦ୍ଧ ପିତାମାତାଙ୍କର ସାମ୍ରାଜ୍ୟ ଭୟଙ୍କର ହୋଇ ଦିଶୁଛି ସାମାଜିକ ପ୍ରେକ୍ଷାପଟରେ । ସାମାଜିକ, ଆର୍ଥିକ, ସାଂସ୍କୃତିକ ସଙ୍କଟ ବୃଦ୍ଧି ପାଉଛି । ଗଣତନ୍ତ୍ରର ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି । ଦୁର୍ନୀତିର କଳା ବିଲେଇ ପିସି ସରକାର ହୋଇ ବ୍ଲକ ଅଫିସରେ, ଜିଲାପାଳ ଅଫିସରେ, ବିଭିନ୍ନ ବିଭାଗୀୟ ଦପ୍ତରରେ ଘୂରି ବୁଲୁଛି । ଘୁଣଖିଆ ପୋକ ପରି ଦୁର୍ନୀତିଗ୍ରସ୍ତ କର୍ମଚାରୀ କୋରି ଖାଇଗଲେଣି ସବୁ ବିଭାଗ । ଅଭାବର ଡହକ ନର୍କରେ ତ୍ରାହି ତ୍ରାହି ଶୁଭୁଛି ଦୂରଦୂରାନ୍ତର ଜନପଦ ।