ପ୍ରତିଶ୍ରୁତି ଓ ପ୍ରତାରଣାର ବିଜେଡ଼ି ସରକାର – ବିଜେପି



କେନ୍ଦ୍ରାପଡ଼ା, ୧୪/୫: ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମିଡିଆ ସେଲ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ କହିଲେ ଯେ ବିଜେଡି ସରକାର କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରଣା କରି ଆସିଛି । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେବଳ ନିର୍ବାଚନୀ ଧୂଆଁବାଣ ସାଜିଛି । କୃଷିପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ମଧ୍ୟ ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନର ପ୍ରତିଶ୍ରୁତି ପୂରଣ ନହୋଇ ମାତ୍ର ୧୭ ପ୍ରତିଶତରେ ପହଞ୍ଚି ପାରିଛି । ଜିଲ୍ଲାର ରାଜନଗର, ଗରଦପୁର, ରାଜକନିକା ଓ ଆଳି ଚାରୋଟି ବ୍ଲକରେ କେନାଲ ଜଳସେଚନର ବ୍ୟବସ୍ଥା ନାହିଁ । ୧୯୯୧ ମସିହାଠାରୁ ଆରମ୍ଭ ହୋଇଥିବା ମହାନଦୀ-ଚିତ୍ରୋତ୍ପଳା ଜଳସେଚନ ପ୍ରକଳ୍ପ ଅଦ୍ୟାବଧି ୭୧୬ କୋଟି ଖର୍ଚ୍ଚ ହୋଇ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ । ୨୦୧୪ ନିର୍ବାଚନ ପୂର୍ବରୁ ଅଳାଇଲୋରେ ତାପଜ ବିଦ୍ୟୁତ୍ କେନ୍ଦ୍ର, ୨୦୧୯ରେ ଆଖଡ଼ାଶାଳୀଠାରେ ନଦୀଭିତ୍ତିକ ବନ୍ଦର, ୨୦୨୩ରେ ଇସ୍ପାତ କାରଖାନା ଆଦି ଶିଳ୍ପ କେବଳ ନିର୍ବାଚନ ଧୁଆଁବାଣ ସାଜିଛି । ସେ ଆହୁରି ମଧ୍ୟ କହିଲେ ଆଜି କେନ୍ଦ୍ରାପଡ଼ାର ଅଧିକାଂଶ ଯୁବକ ନିଯୁକ୍ତି ନ ପାଇ ଦେଶ ଭିତରେ ଓ ବାହାରେ ଦାଦନ ଖଟୁଛି । ବର୍ତ୍ତମାନ ସପ୍ତାହରେ ୨-୩ଥର ସୂତା ମିଲ୍‌ରେ କାମ କରିବା ପାଇଁ ରାଜନଗର ସାତଭାୟାରୁ ଯୁବତୀମାନେ କେରଳରୁ ଆସୁଥିବା ବସ୍ ଯୋଗେ ଦାଦନ ଖଟିବାକୁ ଯାଉଛନ୍ତି । କୃଷିଭିତ୍ତିକ ଜିଲ୍ଲା ହିସାବରେ ଦୀର୍ଘ ୨୫ବର୍ଷର ଶାସନ କାଳରେ ଗୋଟିଏ ମଧ୍ୟ କୃଷିଭିତ୍ତିକ ଶିଳ୍ପର ସ୍ଥାପନ ହୋଇ ପାରିଲା ନାହିଁ କିମ୍ବା ପର୍ଯ୍ୟାପ୍ତ ସମ୍ଭାବନା ଥିବା ପର୍ଯ୍ୟଟନ କ୍ଷେତ୍ରର ଆଖିଦୃଶିଆ ବିକାଶ ମଧ୍ୟ ହୋଇପାରିଲା ନାହିଁ । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ପାଞ୍ଚପାଞ୍ଚଥର ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରାପଡ଼ା ମାଟି ରାଜନୈତିକ ପରିଚୟ ଦେଇଥିବାବେଳେ ତାଙ୍କ ପୁଅ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ନିଜ ଦାୟିତ୍ୱ ନେଇଥିଲାବେଳେ ଜିଲ୍ଲାର ବିକାଶ କିନ୍ତୁ ଶୁନ । ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ସର୍ବପୁରାତନ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇପାରିଲା ନାହିଁ । ରାଜ୍ୟର ୮ଟି ମେଡିକାଲ କଲେଜ ମଧ୍ୟରେ କେନ୍ଦ୍ରାପଡ଼ାର ନାଁ ନାହିଁ । ଓଡ଼ିଶାରେ ସ୍ୱତନ୍ତ୍ର ରାଜନୈତିକ ପରିଚୟ ସୃଷ୍ଟି କରିଥିବା ଓ କେନ୍ଦ୍ରାପଡ଼ା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ପାଇଥିବା ବେଳେ କେନ୍ଦ୍ରାପଡ଼ା ଆଜି ରାଜ୍ୟରେ ଅନ୍ୟତମ ପଛୁଆ ଜିଲ୍ଲାରେ ପରିଗଣିତ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜୁ ଲିଗାସିରେ ଜିଲ୍ଲା ବିକାଶ ସମ୍ଭବ ନୁହେଁ । ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ବିଜେଡିର ଏହି ମିଛ ଭଣ୍ଡାମୀ ବିରୁଦ୍ଧରେ ପରିବର୍ତ୍ତନର ସ୍ୱର ଉଠିଲାଣି । ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାରେ ସାମିଲ ହେବା ପାଇଁ କେନ୍ଦ୍ରାପଡ଼ାର ସୁଖଦୁଃଖର ସାଥୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ ବଳାଇ ସାରିଛନ୍ତି ବୋଲି ଶ୍ରୀ ବେଉରା ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading