କେନ୍ଦ୍ରାପଡ଼ାରେ ବିଜେପିର ହେଭି ୱେଟ୍ ନେତାଙ୍କ ପ୍ରଚାର



କେନ୍ଦ୍ରାପଡ଼ା ତା.୧୮/୫: କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ଆଗାମୀ ନିର୍ବାଚନରେ ବିଜୟ କରାଇବା ପାଇଁ ବିଜେପିର ହେଭୀ ୱେଟ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ବଉଳ ବିହାର ସନ୍ନିକଟ ପଡ଼ିଆରେ ଏକ ବିଶାଳ ଜନସଭାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା,ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ବାଲେଶ୍ୱରର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମିଳିତ ଭାବେ ଯୋଗଦେଇ ସମ୍ବୋଧନ କରିଥିଲେ । ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ସମଗ୍ର ଦେଶ ଆଜି ସାମିଲ ହୋଇଛି । ଦେଶରେ ଯେଉଁ ମୋଦି ଲହର ଚାଲିଛି ଆଗାମୀ ନିର୍ବାଚନରେ ମୋଦିଜୀ ପୁଣି ଥରେ ପ୍ରଧାନ ମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ “ଅବକି ବାର ଚାର ଶହ ପାର’ ସ୍ଲୋଗାନ ସତ୍ୟ ହେବାକୁ ଯାଉଛି ।

କେନ୍ଦ୍ରାପଡ଼ା ଆସନ ସେହି ଚାରି ଶହ ଆସନ ମଧ୍ୟରେ ଅଛି କେନ୍ଦ୍ରାପଡାର ଜନସାଧାରଣ ବୈଜୟନ୍ତ ପଣ୍ଡାଙ୍କୁ ନିଶ୍ଚିତ ବିଜୟ କରିବେ ବୋଲି କହିଥିଲେ ।ଏଥିସହିତ ଓଡ଼ିଶାରେ ଏକ ସ୍ଥାଣୁ ସରକାର ଚାଲିଛି । ବିକାଶ କ୍ଷେତ୍ରରେ ଓଡ଼ିଶା ବହୁତ ପଛରେ । ଓଡ଼ିଆ ଅସ୍ମିତା ଆଜି ବିପଦରେ । ଓଡ଼ିଆ ଭାଷାକୁ ଆଜି ତାମିଲରେ କୁହାଯାଉଛି ବୋଲି ବ୍ୟଙ୍ଗୋକ୍ତି କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଯିଏ ଓଡ଼ିଆ ଭାଷା ଜାଣିନାହାନ୍ତି,ଯେଉଁମାନେ ଓଡ଼ିଶାର ମହାପୁରୁଷ ମାନଙ୍କ ବିଷୟର ଜାଣିନାହାନ୍ତି ସେମାନେ ବର୍ତ୍ତମାନ ଓଡ଼ିଆ ଅସ୍ମିତା କଥା କହୁଛନ୍ତି । ଓଡ଼ିଶାର ଜନସାଧାରଣ ବିଜେଡି ସରକାରର ଅନ୍ଧାରୀ ଶାସନରେ ଅତିଷ୍ଠ । ବିଜେଡି ସରକାର ୨୪ ବର୍ଷରେ କେନ୍ଦ୍ରାପଡ଼ାରେ ଏକ ଛୁଞ୍ଚି କାରଖାନାଟିଏ କରିପାରି ନାହାନ୍ତି ବିଜେପି ସରକାର ଆସିଲେ କେନ୍ଦ୍ରାପଡାରେ ନିଶ୍ଚିତ ଶିଳ୍ପ ଆସିବ ବୋଲି କହିବା ସହିତ ଆଗାମୀ ନିର୍ବାଚନର ସେମାନେ ଜଣେ ପ୍ରକୃତ ଓଡ଼ିଆକୁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ମନସ୍ତ କରିସାରିଲେଣି ବୋଲି କହି ନବୀନ ସରକାର ବିରୁଦ୍ଧରେ ବିଷୋଦଗାର କରିଥିଲେ ।

ସେହିପରି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଲେ ଯେ, ଦେଶକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଗଣିତ କରିବା ଲକ୍ଷ୍ୟରେ ମୋଡ଼ିଜୀ ଅବିରତ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମଗ୍ର ଦେଶ ଆଜି ଶପଥ ନେଇ ସରିଛି ତେଣୁ ଓଡ଼ିଶାରେ ମଧ୍ୟ “ଦୁଇ ଗୋଟି ଫୁଲ ଦୁଇ ଗୁଣା ବିକାଶ’ ନାରାକୁ ଚରିତାର୍ଥ କରିବା ପାଇଁ ସମସ୍ତେ ପ୍ରୟାସ କରିବାକୁ ନିବେଦନ କରିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ବିଜେପି ସରକାର କରିବାକୁ ଯାଉଛି । ଅପାରଗ ବିଜେଡି ସରକାରର ପତନ ନିଶ୍ଚିତ ହେବ । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ସାଂସଦ ଓ ସମସ୍ତ ସାତଜଣ ବିଜେପି ପ୍ରାର୍ଥୀଙ୍କୁ ବହୁ ଭୋଟରେ ବିଜୟ କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଉପସଭାପତି ଉପିନ୍ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ ଓ କେନ୍ଦ୍ରାପଡ଼ାର ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ସେଠୀ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା,ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ ବେହେରା,ମହାକାଳପଡା ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସନ ନାୟକ,ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା,ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡ଼େଇ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।


Next Post

ଜିଲ୍ଲା ଓକିଲ ସଙ୍ଘରେ ନିର୍ବାଚନ ପ୍ରଚାର କଲେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ

Sat May 18 , 2024
କେନ୍ଦ୍ରାପଡ଼ା, ୧୮ା୫: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ କାର୍ଯ୍ୟାଳୟରେ ଆଇନଜୀବୀମାନଙ୍କୁ ଭେଟି  ନିର୍ବାଚନ ପ୍ରଚାର କରିଛନ୍ତି ବିଜୁ ଜନତାଦଳର କେନ୍ଦ୍ରାପଡା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତାଦଳରୁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରାପଡା ଲୋକସଭା ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଜିଲ୍ଲା ଓକିଲ ସଙ୍ଘର ସମସ୍ତ କାର୍ଯ୍ୟକର୍ତ୍ତା […]

KANIKA