
ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବୁଧବାର ପ୍ରକଳ୍ପ ୟୁ ପି ବିଦ୍ୟାଳୟ ବେଲତଳ ଠାରେ ଲୋକଙ୍କ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦର ସମାଧାନ ସମ୍ପର୍କରେ ଏକ ସଚତେନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ ଉପସଭାପତି ସୁରେଶ ନରେନ୍ଦ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା ଅଧ୍ୟକ୍ଷତା କରି କହିଥିଲେ ଦେଶ ବିକାଶରେ ଆଇନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ । ପ୍ରଚଳିତ ଆଇନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇପାରିଲେ ହିଁ ଜନସାଧାରଣ ଆବଶ୍ୟକ ଆଇନଗତ ସହାୟତା ସହଜରେ ପାଇପାରିବେ । ଆଉ ବିଚାର କାର୍ଯ୍ୟ ଶୀଘ୍ର ହେବା ଦ୍ୱାରା ବହୁ ଅର୍ଥ ଅପଚୟ ରୋକିହେବ । ଆମ ଦେଶରେ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ନଭେମ୍ବର ୯ରେ ‘ଜାତୀୟ ଆଇନ ସେବା ଦିବସ’ ପାଳିତ ହୋଇଆସୁଛି।ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ଦେଶର ସମସ୍ତ ନାଗରିକଙ୍କ ମୌଳିକ ଅଧିକାରକୁ ସୁନିଶ୍ଚିତ କରୁଥିବା ସମ୍ବିଧାନର ଧାରା ‘୩୯-କ’କୁ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରୟାସ । ସମ୍ବିଧାନର ଧାରା ‘୩୯-କ’ ସମାଜର ଗରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ମାଗଣା ଆଇନ ସହାୟତା ଯୋଗାଇ ସମାନ ସୁଯୋଗ ଆଧାରରେ ନ୍ୟାୟକୁ ପ୍ରୋତ୍ସାହିତ କରିବା ସହ ଜଡ଼ିତ। ଏହି ଅଧିନିୟମ ଦ୍ୱାରା ସମଗ୍ର ଦେଶରେ ଜାତୀୟ ଆଇନସେବା ପ୍ରାଧିକରଣ (ଏନ୍ଏଲ୍ଏସ୍ଏ)ସୃଷ୍ଟି ହୋଇଛି। ଏହି ଅଧିନିୟମ ୯ ନଭେମ୍ବର ୧୯୮୭ରୁ ଲାଗୁ ହୋଇଥିଲା। ଦେଶରେ ବିଚାର ନ ହୋଇ ପଡ଼ିରହିଥିବା ମାମଲାର ବିକଳ୍ପ ସମାଧାନ ପାଇଁ ଲୋକ ଅଦାଲତ, ମଧ୍ୟସ୍ଥତା ଏବଂ ମାଗଣା ଆଇନ ସହାୟତା ଶିବିର ପ୍ରଭୃତି ଆୟୋଜନ କରାଯାଉଛି। ୧୧ ଅକ୍ଟୋବର ୧୯୮୭ରେ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ ପ୍ରଣୟନ କରାଯାଇଥିଲା। ଏହା ୯ ନଭେମ୍ବର ୧୯୯୫ରେ ଲାଗୁ ହୋଇଥିଲା। ଭାରତର ଜାତୀୟ ଆଇନସେବା ପ୍ରାଧିକରଣ ଏହାର ନିୟମ ଅନୁଯାୟୀ ୫ ଡିସେମ୍ବର ୧୯୯୫ରେ ଗଠିତ ହୋଇଥିଲା। ଭାରତୀୟ ଅଦାଲତର ପେଣ୍ଡେନ୍ସି ଲୋଡ୍ (ବ୍ୟାକ୍ଲଗ)କୁ ହ୍ରାସ କରିବା ସହିତ ଅଭାବୀ ମକଦ୍ଦମାକାରୀଙ୍କ ପାଇଁ ନ୍ୟାୟ ପାଇବାକୁ ଏହା ଏକ ନିଆରା ପ୍ରୟାସ ଥିଲା। ତେବେ ଆଇନସେବା ପ୍ରାଧିକରଣ ଅଧିନିୟମ ଏବଂ ମକଦ୍ଦମାକାରୀଙ୍କ ଅଧିକାର ଅଧୀନରେ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ଏହି ଅବସରରେ ଅବଗତ କରାଯାଇଥାଏ। କେତେକ ପ୍ରାଧିକରଣ ପକ୍ଷରୁ ଲୋକ ଅଦାଲତ, ଆଇନ ସହାୟତା ଶିବିର ଏବଂ ଆଇନ ସହାୟତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ ହୋଇଥାଏ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବାର ଆଶୋସିଏସନ କୋଷାଧକ୍ଷ ଧୀରେନ୍ଦ୍ରନାଥ ସାହୁ,ଆଇନୀଜୀବୀ ଜିତେନ୍ଦ୍ର କୁମାର ନନ୍ଦୀ , ପି ଏଲ ଭି ସଭ୍ୟ ଧବଳେଶ୍ୱର ଖଣ୍ଡାଇ ଓ ବେଲତଳ ଗାଁ ର ମହିଳା ମାନେ, ବିଦ୍ୟାଳୟ କମିଟିର ସଭାପତି ଉପସ୍ଥିତ ରହିଥିଲେ । ଶିକ୍ଷୟତ୍ରୀ ଆରତୀ ଭଳ ଧନ୍ୟବାଦ ଅର୍ପଣ କରିଥିଲେ ।











