
କେନ୍ଦ୍ରାପଡ଼ା, ୩ା୬: କେନ୍ଦ୍ରାପଡା ଜିଲ୍ଲାରେ ଶାନ୍ତିପୂର୍ଣ୍ଣଭାବେ ଭୋଟ୍ ଗ୍ରହଣ ସମାପ୍ତ ହୋଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ସକାଳ ୮ଟାରୁ ଭୋଟ୍ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ଭୋଟ ଗଣତି ପାଇଁ ୧୦ଟି ଲେଖାଏଁ ଟେବୁଲ୍ର ଆୟୋଜନ କରାଯାଇଥିବା ବେଳେ ମୋଟ୍ ୫ଟି ବିଧାନସଭା କ୍ଷେତ୍ର ନିମନ୍ତେ ୫୦ଟି ଟେବୁଲ୍ରେ ଭୋଟ ଗଣତି କରାଯିବ । ୯୬-ପାଟକୁରା, ୯୭-କେନ୍ଦ୍ରାପଡ଼ା, ୯୮-ଆଳି, ୯୯-ରାଜନଗର, ୧୦୦-ମହାକାଳପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ଭୋଟ୍ଗଣତି କରାଯିବ । ସେହିପରି ଲୋକସଭା ଆସନ ପାଇଁ ଭୋଟ୍ଗଣତି ପାଇଁ ମୋଟ୍ ୫୦ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟେବୁଲ୍ରେ ଜଣେ କରି କାଉଂଟିଙ୍ଗ୍ ଆସିଷ୍ଟାଣ୍ଟ, ଜଣେ କାଉଂଟିଙ୍ଗ୍ ସୁପରଭାଇଜର୍ ଓ ଜଣେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯାଇଛି । ଏକକାଳୀନ ପୋଷ୍ଟାଲ ବାଲାଟ୍ ଓ ଇଭିଏମ୍ର ଭୋଟ୍ଗଣତି ଆରମ୍ଭ କରାଯିବ । ପୋଷ୍ଟାଲ୍ ବାଲାଟ୍ ଗଣତି ପାଇଁ ଲୋକସଭା କ୍ଷେତ୍ର ପାଇଁ ମୋଟ୍ ୨୪ଟି ଟେବୁଲ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତ୍ୟେକ ବିଧାନସଭା ମଣ୍ଡଳୀ ପାଇଁ ୪ଟି ଲେଖାଏଁ ଟେବୁଲ୍ର ବ୍ୟବସ୍ଥା କରାଯାଇଛି । ପାଟକୁରା ବିଧାନ ସଭା କ୍ଷେତ୍ର ପାଇଁ ୩୧ ରାଉଣ୍ଡ ଗଣତି କରାଯିବାକୁ ଥିବା ବେଳେ କେନ୍ଦ୍ରାପଡ଼ା ପାଇଁ ୨୫ ରାଉଣ୍ଡ, ଆଳି ପାଇଁ ୩୨ ରାଉଣ୍ଡ, ରାଜନଗର ପାଇଁ ୨୯ ରାଉଣ୍ଡ ଓ ମହାକାଳପଡ଼ା ବିଧାନସଭା କ୍ଷେତ୍ରର ଭୋଟଗଣତି ୨୯ ରାଉଣ୍ଡରେ ଶେଷ ହେବ । ଭୋଟଗଣତି ଶେଷରେ ନିର୍ବାଚନର ସ୍ୱଚ୍ଛତା ଓ ଇଭିଏମ୍ ମେସିନ୍ ଉପରେ ସାର୍ବଜନୀନ ବିଶ୍ୱାସ ପ୍ରକଟ କରିବା ପାଇଁ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ଲଟେରୀ ପକାଯିବ । ର୍ୟାଣ୍ଡମ୍ଲି ୫ଟି ଲଟେରୀ ଉଠାଣ ହେବ । ଉଠାଣ ହେଇଥିବା ଲଟେରୀର କ୍ରମାନୁସାରେ ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ । ଭିଭିପାଟ୍ ସ୍ଲିପ୍ ଓ ଇଭିଏମ୍ ମେସିନ୍ର ଭୋଟ୍ ସହ ଗଣତି ସମନ୍ୱୟ ହେଲେ ଇଭିଏମ୍ର ବିଶ୍ୱାସନିୟତା ପ୍ରତିଷ୍ଠା ହେବ ଏବଂ ସବୁ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିବ । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ଗତ ରବିବାର ଦିନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ୍ରୁମ୍ରେ ସମସ୍ତ ଇଭିଏମ୍ ମେସିନ୍ ରଖାଯାଇ ଷ୍ଟ୍ରଙ୍ଗ୍ରୁମ୍ ସିଲ୍ କରାଯାଇଥିଲା । ଏହି ଷ୍ଟ୍ରଙ୍ଗ୍ ରୁମ୍ ଏବେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସିସିଟିଭି ସୁପରିଭିଜନ୍ ସହ ସଶସ୍ତ୍ର ସୁରକ୍ଷା ବାହିନୀ ଇଭିଏମ୍କୁ ଜଗି ରହିଛନ୍ତି । ପ୍ରାର୍ଥୀଙ୍କ ଏଜେଣ୍ଟମାନେ ବାହାରେ ଏଲ୍ଇଡି ଡିସ୍ପ୍ଲେ ମାଧ୍ୟମରେ ସିସିଟିଭିର ଫୁଟେଜ୍କୁ ମଧ୍ୟ ଜଗି ରହିଛନ୍ତି । ୨ ପ୍ଲାଟୁନ୍ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ, ୪ ପ୍ଲାଟୁନ୍ ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଓଡ଼ିଶା ପୁଲିସ୍ର ୧୧ଜଣ ଡିଏସ୍ପି, ୨୦ଜଣ ଇନିସ୍ପେକ୍ଟର ଓ ଶତାଧିକ ପୁଲିସ୍ କର୍ମଚାରୀ ଇଭିଏମ୍ ମେସିନ୍ର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଭୋଟଗଣତି ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।











