
କେନ୍ଦ୍ରାପଡ଼ା, ୪ା୬: କେନ୍ଦ୍ରାପଡାରେ ପ୍ରଥମ ଥର ପାଇଁ ବିଜେଡିରୁ ଯାଇ ବିଜେପିରେ ସାଂସଦ ପ୍ରାର୍ଥୀ ହୋଇ ପ୍ରାୟ ୫୫ହଜାରରୁ ଉର୍ଦ୍ଧ୍ୱ ବ୍ୟବଧାନରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରାପଡା ଗସ୍ତ ଓ ନିର୍ବାଚନ ପ୍ରଚାର ପରେ ଏଠାରେ ମୋଦି ଲହର ଯୋଗୁଁ ରାଜନଗର ବିଧାନସଭା କ୍ଷେତ୍ର ବ୍ୟତିତ ସବୁଠି ଶ୍ରୀ ପଣ୍ଡା ଆଗରେ ରହିଥିବା ଦେଖାଯାଇଛି । ରାଜ୍ୟରେ ବିଜୁ ଜନତା ଦଳ ପାଞ୍ଚଥର ନିର୍ବାଚିତ ହୋଇ ୨୪ବର୍ଷ ଶାସନ ପରେ ଷଷ୍ଠଥର ନିର୍ବାଚନରେ ପରାଜିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଶରେ ରେକର୍ଡ କରିବାର ସ୍ୱପ୍ନ ଚୁରମାର୍ ହୋଇଯାଇଛି । ପ୍ରଥମ ଥର ବହୁମତ ଲାଭ କରି ବିଜେପି ଓଡିଶାରେ ସରକାର ଗଠନ କରିବାକୁ ଯାଉଛି । ତେବେ କେନ୍ଦ୍ରାପଡା ଜିଲ୍ଲାର ପାଞ୍ଚଟି ବିଧାନସଭା ଆସନ ମଧ୍ୟରୁ ଚାରୋଟିରେ ବିଜୁ ଜନତା ଦଳର ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଆଳି ବିଧାନସଭାର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ କଂଗ୍ରେସ ପ୍ରାର୍ଥୀ ଡା. ଦେବସ୍ମିତା ଶର୍ମାଙ୍କଠାରୁ ୧୯,୫୫୪ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ଶ୍ରୀ ଦେବ ୭୩,୩୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଡା. ଶର୍ମା ୫୩,୮୧୨ଖଣ୍ଡ ଏବଂ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ୪୪,୬୫୭ଖଣ୍ଡ ଭୋଟ ପାଇଛନ୍ତି ।
ରାଜନଗର ବିଧାନସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଧାୟକ ଧ୍ରୁବ ଚରଣ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଲଳିତ କୁମାର ବେହେରାଙ୍କ ଠାରୁ ୧୮,୧୩୪ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଶ୍ରୀ ସାହୁ ୮୦,୮୧୬ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ବେହେରା ୬୨,୬୮୨ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କେନ୍ଦ୍ରାପଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଗୀତାଞ୍ଜଳୀ ସେଠୀଙ୍କଠାରୁ ୩୫,୧୫୦ଖଣ୍ଡ ଅଧିକ ଭୋଟ୍ ପାଇ ବିଜୟ ଲାଭ କରିଛନ୍ତି । ଶ୍ରୀ ବେହେରା ୮୯,୫୭୪ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତୀ ସେଠୀ ୫୪,୪୨୪ଖଣ୍ଡ ଭୋଟ ପାଇଛନ୍ତି । ପାଟକୁରା ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ତେଜେଶ୍ୱର ପରିଡାଙ୍କଠାରୁ ୧୩,୮୨୨ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଶ୍ରୀ ମହାପାତ୍ର ୯୦,୨୭୮ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ପରିଡା ୭୬,୫୪୬ ଖଣ୍ଡ ଭୋଟ ପାଇଛନ୍ତି । ମହାକାଳପଡା ବିଧାନସଭା ମଣ୍ଡଳିର ବିଜେପି ପ୍ରାର୍ଥୀ ଦୂର୍ଗା ପ୍ରସନ୍ନ ନାୟକ ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କୁ ୩୩,୩୧୪ଖଣ୍ଡ ଭୋଟ ବ୍ୟବଧାନରେ ଶୋଚନୀୟ ଭାବେ ପରାଜିତ କରି ବିଜୟୀ ହୋଇଛନ୍ତି । ତେବେ ପ୍ରଥମ ଥର ପାଇଁ ଜିଲ୍ଲାରେ ପଦ୍ମ ଫୁଟିଛି । ଦୂର୍ଗା ପ୍ରସନ୍ନ ନାୟକ ଜିଲ୍ଲାରେ ସର୍ବପ୍ରଥମ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଦୂର୍ଗା ପ୍ରସନ୍ନ ୧,୦୮,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ଅତନୁ ସବ୍ୟସାଚୀ ୭୫,୫୦୯ଖଣ୍ଡ ଭୋଟ ପାଇଛନ୍ତି । ଜିଲ୍ଲାରେ ବିଜେଡି ଅଧିକ ସଫଳତା ହାସଲ କରିଥିଲେ ମଧ୍ୟ ସରକାର ଗଠନ କରିବାକୁ ସକ୍ଷମ ହେଉ ନଥିବାରୁ ବିଜୟୀ ପ୍ରାର୍ଥୀଙ୍କ ମନରେ ବିଷାଦ ଖେଳିଯାଇଛି ।










