ଗୋପ ଅମରେଶ୍ୱର ପୀଠରେ ଶୀତଳ ଷଷ୍ଠୀ ଓ ଶିବ ବିବାହ


କେନ୍ଦ୍ରାପଡ଼ା, ୧୦ା୬: ପବିତ୍ର ଶୀତଳ ଷଷ୍ଠି ଉତ୍ସବ ଗୋପ ସ୍ଥିତ ଅମରେଶ୍ୱର ପୀଠରେ ସୋମବାର ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ରବିବାର ସକାଳେ ଶୁଭ କଳସ ଜଳଯାତ୍ରା ସହିତ ଗୁରୁପୂଜା, ସୂର୍ଯ୍ୟପୂଜା ଓ ଗୋପୂଜା କରାଯାଇ ଅଗ୍ନି ସ୍ଥାପନ ପୂର୍ବକ ରୁଦ୍ରାଭିଷେକ, ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ରୁଦ୍ରାଭିଷେକ ଓ ହୋମଯଜ୍ଞ ପରେ ହର-ପାର୍ବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ଅମରେଶ୍ୱରଙ୍କ ସହିତ ମା’ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବେଦୀ ଉପରେ ଉପବିଷ୍ଟ କରାଯାଇଥିଲା । ରୀତି ନୀତି ଅନୁଯାୟୀ ବାଣ ଫୁଟାଇ, ବାଜା ବଜାଇ ଏହି ବିବାହ ଉତ୍ସବ ସମ୍ପନ୍ନ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଏହି ବିବାହ ଉତ୍ସବକୁ ଉପଭୋଗ କରିଥିଲେ । ହରିବୋଲ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇପଡିଥିଲା । ବରଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ଭୋଜିଭାତ ସ୍ୱରୂପ ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ରୁଦ୍ରଯଜ୍ଞ, ପୂଜାକାର୍ଯ୍ୟ ଓ ବିବାହ ଉତ୍ସବରେ ପଣ୍ଡିତ ଭ୍ରମରବର ନନ୍ଦ, ନରହରି ପତି, ଉମାକାନ୍ତ ପତି, ହରିହର ଶତପଥୀ, କେଦାର କର, ପ୍ରସନ୍ନ ପଣ୍ଡା, କୃଷ୍ଣ ଚନ୍ଦ୍ର ମିଶ୍ର ଓ ରବି ନାରାୟଣ ପତିଙ୍କ ସମେତ ମନ୍ଦିରର ମୁଖ୍ୟ ପୂଜକ ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ଯଜ୍ଞ, ପୂଜାପାଠ ଓ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ଯଜ୍ଞକର୍ତ୍ତା ଭାବେ ଭାଗିରଥୀ ସାହୁ ଓ ସ୍ମୃତିରେଖା ସାହୁ ଦାୟୀତ୍ୱ ନିର୍ବାହ କରିଥିବା ବେଳେ ବିବାହ କାର୍ଯ୍ୟରେ ବରପିତା ଭାବେ ପ୍ରକାଶ ଚନ୍ଦ୍ର ପରିଡା ଓ କନ୍ୟାପିତା ଭାବେ ଜୟାଂଶୁ ଶେଖର ପଣ୍ଡା କାର୍ଯ୍ୟନିର୍ବାହ କରିଥିଲେ । ଆସନ୍ତା କାଲି ମଙ୍ଗଳବାର ବରକନ୍ୟାଙ୍କ ଚଳନ୍ତି ପ୍ରତିମା ସହର ପରିକ୍ରମା କରିବା ସହ ରୁଦ୍ର ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ଏହି ଉତ୍ସବରେ ସମୀର କୁମାର ଚାନ୍ଦ, ହିମାଶୁଂ ପଣ୍ଡା, ଦେବେନ୍ଦ୍ର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ବରିଷ୍ଠ କଂଗ୍ରେସ କର୍ମୀଙ୍କ ବିୟୋଗ

Mon Jun 10 , 2024
କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ଅଧିନସ୍ଥ ସମଲପୁର ଗ୍ରାମର ବରିଷ୍ଠ ନାଗରିକ ଯୁଧିଷ୍ଠିର ସ୍ୱାଇଁଙ୍କର ଅଠାଅଶୀ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସମୟରୁ ରାଜନୈତିକ ଜୀବନ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସେ ଜଣେ ଗାନ୍ଧୀବାଦୀ କଂଗ୍ରେସ କର୍ମୀ ଭାବରେ ନିଜର ସାଂଗଠନିକ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି । ଆଜୀବନ ଖଦଡ ପିନ୍ଧି ନିଷ୍ଠାପର ଓ […]

You May Like