ସ୍ନାନପୂର୍ଣ୍ଣିମା ନୀତି ଶେଷ ଅଣସର ଘରକୁ ବିଜେ ଚତୁର୍ଦ୍ଧାମୂତ୍ତ



ପୁରୀ-ସ୍ନାନପୂର୍ଣ୍ଣମୀରେ ଆଜି ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ପହଣ୍ଡି ହୋଇ ସ୍ନାନବେଦିରେ ବିରାଜମାନ କରିବା ସହ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିଛନ୍ତି । ଏହାପରେ ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ । ଶ୍ରୀ ଜଗନ୍ନାଥଙ୍କୁ ୩୫ ଗଡ଼ୁ ଜଳ, ବଳଭଦ୍ରଙ୍କୁ ୩୩ ଗଡ଼ୁ, ସୁଭଦ୍ରାଙ୍କୁ ୨୨ ଗଡ଼ୁ ଓ ସୁଦର୍ଶନଙ୍କୁ ୧୮ ଗଡ଼ୁ ଜଳରେ ସ୍ନାନ କରାଯାଇଛି । ଅଷ୍ଟଗନ୍ଧ, କୃଷ୍ଣଅଗୁର, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଲଗି, ସଂଚିଷ୍ଟା, ତାମ୍ରପର୍ଣ୍ଣି, ଲୋଧା ମିଶ୍ରିତ ହୋଇ ଏହି ଅଧିବାସ ଜଳ ଗତକାଲି ଠାରୁ ରଖାଯାଇଥିଲା । ମହାପ୍ରଭୁଙ୍କ ଏହି ଦିବ୍ୟ ସ୍ନାନ ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସକାଳେ ଝିପି ଝିପି ବର୍ଷା ସତ୍ୱେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପରେ ପରେ ପାଗ ଅନୁକୂଳ ହେବାରୁ ଭକ୍ତ ମାନେ ଆନନ୍ଦରେ ଦର୍ଶନ କରିଥିଲେ । ଆଜିର ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ, ଭୋର୍ ୫ଟା ୧୦ରେ ମଙ୍ଗଳାର୍ପଣ, ୫ଟା ୧୫ରେ ପୁଷ୍ପାଞ୍ଜଳି ଓ ୫ଟା ୨୦ରେ ପହଣ୍ଡି ଆରମ୍ଭ ଏବଂ ୭ଟା ୪୫ ରେ ପହଣ୍ଡି ଶେଷ ହୋଇଥିଲା । ୮ଟା ୧୫ ରେ ମଦନମୋହନ ବିଜେ, ୮ଟା ୩୫ରେ ସ୍ନାନବେଦି ଉପରେ ମଙ୍ଗଳଆଳତୀ, ୮ଟା ୪୦ ରେ ମଇଲମ, ୯ଟାରେ ତଡ଼ପ ଲାଗି ଏବଂ ଅନ୍ୟାନ୍ୟ ନୀତିକାନ୍ତି ପରେ ୧୦ଟା ୨୫ ରେ ବେଶ ହୋଇଥିଲା । ୧୦ଟା ୩୦ ରେ ସୂର୍ଯ୍ୟପୁଜା, ୧୦ଟା ୫୦ ରେ ଦ୍ୱାରପାଳ ପୂଜା ସମାପନ ହୋଇଥିଲା । ପରେ ସ୍ନାନବେଦୀରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ଚତୁଦ୍ଧାମୂର୍ତିଙ୍କୁ ସେବକ ମାନେ ସ୍ନାନ କରାଇଥିଲେ । ଦଇତାପତି ଓ ଗରାବଡ଼ୁ ସେବାୟତ ମାନେ ବିଧି ମୁତାବକ ଏହି ଜଳ ଲାଗି କାର୍ଯ୍ୟ ସମାପନ କରିଥିଲେ । ଜଳଲାଗି ପରେ ଗଜପତିଙ୍କ ଦ୍ୱାରା ଛେରାପହଁରା ଏବଂ ପରେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତିଙ୍କ ହାତୀ ବେଶ ଅନୁଷ୍ଠିତ ହୋଇଥିଲା । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିସିଟିଭି ୨୪ ଘଂଟିଆ ନଜର ରଖିଛି ଭକ୍ତଙ୍କ ଉପରେ । ସ୍ନାନବେଦିରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଗୋଟିଏ ବ୍ୟାରିକେଡ୍ ଦେଇ ଯାଉଛନ୍ତି ଏବଂ ଅନ୍ୟ ତିନି ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରୁଛନ୍ତି । ସ୍ନାନଯାତ୍ରାରେ ଶ୍ରୀମନ୍ଦିର ଭିତରେ, ବାହାରେ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି ମୋଟ୍ ୬୮ ପ୍ଲାଟୁନ୍ ପୋଲିସ ଫୋର୍ସ । କଥିତ ଅଛି, ମହାରାଷ୍ଟ୍ରର ଜଣେ ଭକ୍ତ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିବା ପାଇଁ ଚାହିଁଥିଲେ । ଶ୍ରୀଜୀଉଙ୍କୁ ହାତୀ ବେଶରେ ନଦେଖି ଭକ୍ତ ମନ ଦୁଃଖରେ ଫେରି ଯାଉଥିଲେ । ଏହି ସମୟରେ ଶୂନ୍ୟ ବାଣୀ ହେଲା ସ୍ନାନବେଦି ଉପରେ ଗଜାନନ ବେଶରେ ମୋତେ ଦର୍ଶନ କର । ସେହିଦିନ ଠାରୁ ସ୍ନାନ ବେଦି ଉପରେ ଶ୍ରୀଜୀଉଙ୍କୁ ହାତୀ ବେଶ କରାଯାଉଛି । ମହାପ୍ରଭୁଙ୍କୁ ସ୍ନାନ ବେଦିରେ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।


Next Post

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁ ମୃତ ; ଗୋସମ୍ପଦ ମାଲିକଙ୍କ ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Sun Jun 23 , 2024
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗାଁରେ ରବିବାର ସକାଳୁ ବିଦ୍ୟୁତ ଆଘାତରେ ୬ଟି ଗୃହ ପାଳିତ ଗାଈ, ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ଗୋ ସମ୍ପଦ ମାଲିକଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତରଡିପାଳ ପଂଚାୟତ ତୁଳସିଡିଆ ଗ୍ରାମର ଗାଈଗୋରୁ ମାନେ ବିଲକୁ ଚରିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ତଳେ ପଡିରହିଥିବାରୁ ତାର ସଂସ୍ପର୍ଶରେ […]

KANIKA