ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳଙ୍କ ନୂତନ ପଦକ୍ଷେପ


 

ସୋସିଆଲ ମିଡିଆ ଏକ୍ସ(ଟ୍ୱିଟର)ଆକାଉଣ୍ଟ ଖୋଲିବାକୁ ନିର୍ଦେଶ

 କେନ୍ଦ୍ରାପଡ଼ା, ୨୭ା୬: ପ୍ରଶାସନର କାର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଜିଲ୍ଲାର ସମସ୍ତ ତହସିଲ୍‌, ବ୍ଲକ୍ ଓ ବିଭିନ୍ନ ବିଭାଗକୁ ନିଜ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବନାମ ଟ୍ୱିଟର) ଆକାଉଂଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଅଭିଯୋଗକୁ ଅଗ୍ରାଧିକାର ଦେଇ ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ଯୁଗରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସୁବ୍ୟବହାର କରିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହା ଫଳରେ ପ୍ରଶାସନର କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଆସିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ସରକାରୀ ସେବା ଯୋଗାଇ ଦେବା ପାଇଁ ଉତରଦାୟିତ୍ୱ ବୃଦ୍ଧି ପାଇବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରି ଆଜି ରାଜକନିକା ବ୍ଲକ୍‌, ମହକାଳପଡ଼ା ତହସିଲ୍‌, ରାଜନଗର ତହସିଲ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଆଦି ନିଜ ନିଜର ‘ଏକ୍ସ’ ଆକାଉଂଟ୍ ଖୋଲିଛନ୍ତି । ‘ଏକ୍ସ’ର ବ୍ୟବହାର ଜାଣିଥିବା ବୁଦ୍ଧିଜୀବୀ, ଯୁବପୀଢ଼ି ଓ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରାଯାଇଛି କି, ସେମାନେ ସେମାନଙ୍କ ଅଭିଯୋଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ ଆଣିପାରିବେ । ଜନତା ଓ ପ୍ରଶାସନ ମଧ୍ୟରେ ବ୍ୟବଧାନ ହ୍ରାସ ପାଇ ସୁସମ୍ପର୍କ ବୃଦ୍ଧି ପାଇଲେ ସରକାରୀ ସେବା ପ୍ରକୃତ ହିତାଧିକାରୀ ନିକଟରେ ପହଞ୍ଚିପାରିବ ଓ ଗଣତନ୍ତ୍ରର ମୂଳ ଲକ୍ଷ୍ୟ ସାକାର ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading