କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରି ବେସରକାରୀ ଟ୍ୟୁସନ୍ ଓ କୋଚିଂ ସେଂଟରରେ ଶିକ୍ଷାଦାନ କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ୟୁସନ୍, ଶତାଧିକ କୋଚିଂ ସେଂଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି । ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏହାକୁ ନେଇ ଅଭିଭାବକମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅଭିଭାବକ ତଥା ଆଇନଜିବୀ ଆଲୋକ ନାୟକ କୁହନ୍ତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସରକାରୀ ଶିକ୍ଷକ ବା ଅଧ୍ୟାପକ ବେସରକାରୀ ଭାବେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି । ଏଥିନେଇ ଅଧ୍ୟାପକମାନେ ପ୍ରାଇଭେଟ କୋଚିଂ ବା ଟ୍ୟୁସନ କରୁନାହାଁନ୍ତି ଯଦି ସେପରିି ପ୍ରମାଣ ମିଳେ ତାହାହେଲେ ଆଇନ ଅନୁଯାଇ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କଲେଜ ଅଧ୍ୟକ୍ଷଙ୍କୁ ପ୍ରତିବର୍ଷ ଏକରାର୍ନାମା ଦିଅନ୍ତି । ହେଲେ ପରବର୍ତି ସମୟରେ ଏହି କଟକଣାକୁ ଫୁ କରି ସରକାରୀ ଅଧ୍ୟାପକମାନେ କୋଚିଂ ସେଂଟର, ଟ୍ୟୁଶନ, ଆବାସିକ କଲେଜରେ ସମୟ ଦେଇ ଘଂଟାପ୍ରତି ହିସାବରେ ରୋଜଗାର କରୁଛନ୍ତି । ସେପଟେ ମୋଟା ଅଙ୍କର ଦରମା ପାଉଥିଲେ ହେଁ କଲେଜରେ ପାଠ ପଢ଼ାଇବାକୁ ଭୁଲି ଯାଉଛନ୍ତି । ସେହିପରି ଛାତ୍ରୀଛାତ୍ର ବୁଝି ନ ପାରିଲେ କଲେଜରେ ଟିଉଟୋରିଆଲ ଓ ପ୍ରାକ୍ଟିକାଲ କ୍ଲାସ ବ୍ୟବସ୍ଥା ଅଛି । ଏକଷ୍ଟ୍ରା କ୍ଲାସ କରିବାର ମଧ୍ୟ ବ୍ୟବସ୍ଥା କରାଯାଇ ପାରିବ । ହେଲେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଅଧ୍ୟାପକଙ୍କ ପୋଗ୍ରେସ ରିପୋର୍ଟକୁ ଅଧ୍ୟକ୍ଷ ତର୍ଜମା କରୁ ନାହାନ୍ତି । କୋର୍ସ କେତେ ବାକି ରହିଲା, କେବେ ଶେଷ ହେବ, କାହିଁକି ଶେଷ ହେଉ ନାହିଁ, ଛାତ୍ରୀଛାତ୍ର କିପରି ଭଲ ପଢ଼ିବେ ସେନେଇ ମଧ୍ୟ ପଦକ୍ଷେପ ନିଆଯାଉନାହିଁ ।
ଏ ସମ୍ପର୍କରେ ମାନବ ଅଧିକାର କର୍ମୀ ସୁଶାନ୍ତ କୁମାର ଧଳ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରରେ ୧୨ରୁ ଅଧିକ କୋଚିଂ ସେଂଟର, ଟ୍ୟୁଟୋରିଆଲ ଚାଲିଛି । ଏଗୁଡ଼ିକରେ ଅଧିକାଂଶ ସରକାରୀ ଶିକ୍ଷକ ଓ ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି । ବଡ଼ କଥା ହେଲା କେତେକ ସେଂଟରର ମାଲିକାନା ମଧ୍ୟ ନିଜେ ସରକାରୀ ଶିକ୍ଷକ ଅଛନ୍ତି । ବିଦ୍ୟାଳୟ ସମୟ ପୂର୍ବରୁ ଏବଂ ପରେ ଏହି ସରକାରୀ ଶିକ୍ଷକମାନେ କୋଚିଂ ସେଂଟର ଓ ଟ୍ୟୁଟୋରିଆଲରେ ଶିକ୍ଷାଦାନ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ଏଭଳି କେବଳ ପଟ୍ଟାମୁଣ୍ଡାଇରେ ନୁହେଁ, ସାରା ଜିଲାରେ ଦେଖିବାକୁ ମିଳୁଛି । ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ କୋଚିଂ ସେଂଟରରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଅଧିକ ମାର୍କ ଦିଆଯାଇଥିବା ବେଳେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ଜାଣିଶୁଣି କମ୍ ମାର୍କ ଦିଆଯାଉଛି ବୋଲି ଅଭିଯୋଗ ମଧ୍ୟ ହେଉଛି ।
ଅଭିଭାବକ ମହାସଂଘ ଜିଲା ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଂଚଳରେ ଚାଲିଥିବା ଘରୋଇ କୋଚିଂ ସେଂଟରଗୁଡ଼ିକରେ କଲେଜ ଛାତ୍ରୀଛାତ୍ରମାନଙ୍କୁ ଟ୍ୟୁଶନ କରିବାକୁ ବାଧ୍ୟ କରାଯାଉଥିବା ବହୁବାର ଅଭିଯୋଗ ହୋଇଛି । ଏହି ଅଂଚଳରେ ରହିଥିବା ଘରୋଇ କୋଚିଂ ସେଂଟର ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ବେଆଇନ ଭାବେ ବିନା ପଞ୍ଜୀକୃତରେ ଆର୍ଥତ୍କ କାରବାର ହେଉଥିବା ବେଳେ ସେସବୁରେ ଅଙ୍କୁଶ ଲାଗୁନାହିଁ । ଘରୋଇ କୋଚିଂ ସେଂଟରଗୁଡ଼ିକ ଚାଲୁଥିବା ବେଳେ ସେସବୁରେ ନିୟମିତ ଶିକ୍ଷା ବିଭାଗ ପକ୍ଷରୁ ଚଢାଉ ହେଉ ନ ଥିବାରୁ କଲେଜରେ ପାଠ ପଢୁଥିବା ଛାତ୍ରୀଛାତ୍ରମାନଙ୍କ ଉପରେ ଚାପ ବଢୁଛି ବୋଲି ଆଲୋଚନା ହେଉଛି । ପ୍ରାଇଭେଟ କୋଚିଂ ହେବା ପରେ କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ ରହୁଛି । କଲେଜରେ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ରହୁ ନାହିଁ । କଲେଜର ଅଧ୍ୟକ୍ଷମାନେ ଅଧ୍ୟାପକଙ୍କ କାର୍ଯ୍ୟ ଉପରେ ଦୃଷ୍ଟି ନ ଦେବାରୁ କୋଚିଂ ସେଂଟର ବଢ଼ି ଚାଲିଛି ।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ସରକାରୀ ଶିକ୍ଷାନୁଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷକ, ଅଧ୍ୟାପକ ଅଛନ୍ତି । କିନ୍ତୁ ଶିକ୍ଷାଦାନ ପ୍ରତି ଆନ୍ତରିକତା ରହୁନି । ନୂଆକୌଶଳରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ ହେବା ତ ଦୂରର କଥା ପିଲାମାନଙ୍କ ଭବିଷ୍ୟତ ପ୍ରତି ଚିନ୍ତିତ ରହୁନାହାନ୍ତି । ଯେଉଁ କାରଣରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ଶିକ୍ଷାନୁଷ୍ଠାନ ନେବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ ମାଟ୍ରିକ ପାସ୍ କଲେ ଡାକ୍ତରୀ, ଇଞ୍ଜିନିୟରିଂ ଆଦିରେ ନାମ ଲେଖାଇବା ପାଇଁ ୧୫% ସଂରକ୍ଷଣ ରହିଛି । ତଥାପି ସରକାରୀ ଅପେକ୍ଷା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଚାହିଦା ବଢୁଛି । ଅପରପକ୍ଷେ ସରକାରୀ ଶିକ୍ଷକମାନେ ପିଲାମାନଙ୍କୁ ଟ୍ୟୁସନ୍, କୋଚିଂ ସେଂଟର, ଟ୍ୟୁଟୋରିଆଲ ମୁହାଁ କରାଇ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି ।
ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଯଦି ପଟ୍ଟାମୁଣ୍ଡାଇ ଅଂଚଳରେ କେହି ସରକାରୀ ଶିକ୍ଷୟତ୍ରୀ/ଶିକ୍ଷକ କୋଚିଂ ସେଂଟର ଚଳାଉଥିବେ ସେମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।