ରଥ ଉପରେ ଶ୍ରୀଜିଉଙ୍କ ଅପରୂପ , ସୁନାବେଶରେ ବିଶ୍ୱନିୟନ୍ତା, ବଡ଼ଦାଣ୍ଡ ଜନସମୁଦ୍ର , ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ


ପୁରୀ,୧୭ା୭: ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ସୋମବାର ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେଇଥିଲେ । ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ । କମରରେ ସୁନାର କମରପଟି, ପାଦରେ ଶ୍ରୀପୟର । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ । ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି (କର୍ଣ୍ଣାଳଙ୍କାର) । ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଭଗବାନଙ୍କର ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନେ ଆଜି ସଅଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିରରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ଶ୍ରୀଜିଉଙ୍କ ସୁନାବେଶରେ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାର ସହ ଦୁଇ ଭାଇ କାଳିଆ ଓ ବଳିଙ୍କ ଆୟୁଧ ଏବଂ ହାତଗୋଡ଼ ବୋହି ଆଣିଥିଲେ ସେବାୟତ । ଏହାପରେ ରଥାରୂଢ଼ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ସ୍ୱର୍ଣ୍ଣ ଅଳଙ୍କାରରେ ଲାଗି ହୋଇଥିଲା । ସିଂହଦ୍ୱାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ମହାବାହୁଙ୍କୁ ମନଭରି ଦେଖିବାପାଇଁ ଆତୁର ଭକ୍ତ ବି ଏହି ଅପୂର୍ବ ରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି । ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶର ଦର୍ଶନ ପାଇ କୃତାର୍ଥ ମଣିଛନ୍ତି ।
ସକାଳୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ । ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି । ବର୍ଷକ ପରେ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ସୁନାବେଶରେ ଦେଖି ଭକ୍ତ ବି ଭାବବିହ୍ୱଳ ହୋଇଛନ୍ତି ।


Next Post

ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ.........

Thu Jul 18 , 2024
ଭୁବନେଶ୍ୱର,: ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲ ଡୋଜର । ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ । ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ […]

You May Like