ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ , ବିଳମ୍ବିତ ବର୍ଷା ଯୋଗୁଁ ପଛେଇଛି ଚାଷ କାର୍ଯ୍ୟ

ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ , ବିଳମ୍ବିତ ବର୍ଷା ଯୋଗୁଁ ପଛେଇଛି ଚାଷ କାର୍ଯ୍ୟ

ପଟ୍ଟାମୁଣ୍ଡାଇ -ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ତର୍ମାନ ଯେଉଁଠି ରୁଆ ବେଉଷଣ ହେବା କଥା ସେଠି ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଚାଲିଛି । ଏପରି କି ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡ଼ି ନ ଥିବାରୁ ସେଗୁଡ଼ିକ ପଡ଼ିଆ ପଡ଼ିଛି । କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଂଚଳରେ ୧୧,୪୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେବା ଲକ୍ଷ୍ୟ ରଖାଯାଇଛି । ହେଲେ ବିଳମ୍ବରେ ବର୍ଷା ହେବାରୁ ଚାଷ କାମ ଆଗେଇବା ପାରୁନାହିଁ । ୨ ଦିନ ହେବ କେଉଁଠି କେମିତି ଅସଢା ଅସଢା ବର୍ଷା ହେବାରୁ ଜମିରେ ହଳ କାମ, ବୁଣାବୁଣି ଓ ତଳିପକା ଆରମ୍ଭ ହୋଇଛି । ୨ ହଜାର ହେକ୍ଟର ଜମିରେ ଧାନ ବୁଣା ହୋବାର ଥିବା ବେଳେ ୧୧୩୪ରେ ଧାନ ବୁଣା ହୋଇଛି । ୧୧ ଶହ ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ଏବେ ୭୦୦ ହେକ୍ଟର ଜମିରେ ତଳିପକା କାର୍ଯ୍ୟ ହୋଇଛି ବୋଲି ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ଶରତ ନାୟକ କହିଛନ୍ତି ।
ଉତିକଣ ଚାଷୀମୂଲିଆ ସଗ୍ରାମ ସମିତ ଆବାହକ ଭାସ୍କର ରାଉତରାଏ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । କିଏ ଅର୍ଥକାରୀ ଫସଲ ଧାନ ତ ଆଉ କିଏ ଫଳ ପରିବା ଚାଷ ଉପରେ ନିର୍ଭର କରନ୍ତି । ସମୁଦାୟ ୨୫ ହାଜାର ୭୦୦ ହେକ୍ଟର ଚାଷଜମି ମଧ୍ୟରୁ ୧୫୦୦୦ ହେକ୍ଟର ଚାଷଜମି ଜଳିସେଚନର ସୁବିଧା ରହିଛି । ରୁ ସେଥିମଧ୍ୟର ୧୧ .୯୦୦ ହେକ୍ଟର ଚାଷଜମି ଖରିଫ ଧାନ ଫସଲ ଉପଯୋଗୀ ରହିଛି । ଜିଲାର ଭାତ ହାଣ୍ଡି କୁହାଯାଉଥିବା ଉତିକଣ ଅଂଚଳରେ ଅଧିକ ଜଳସେଚିତ ଜମି ରହିଥିବା ବେଳେ ଲୋକେ ସର୍ବାଧିକ ପରିମାଣର ଧାନ ଚାଷ କରିଥାନ୍ତି । ଅନ୍ୟ ବୋଇତଆଳୁ ପାଟ ଜମିରେ ମଧ୍ୟ ଧାନଚାଷ କରାଯାଏ, ଯାହାକି ଧାନ ଫସଲ ଉପଯୋଗୀ ରହିଥିବା ମୋଟ ଜଳସେଚିତ ଚାଷଜମିର ୫୦ ପ୍ରତିଶତରୁ ଅଧିକ ।
ଯୁବ ଚାଷୀ ସୁଶାନ୍ତ ସାମଲ କୁହନ୍ତି, ଗତବର୍ଷ ଜୁନ ଶେଷ ସୁଦ୍ଧା ସ୍ୱାଭାବିକ ୧୪୯.୪ ମି.ମି. ବର୍ଷା ହୋଇଥିବାବେଳେ ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ୯୦ ମି.ମି. ବର୍ଷା ହୋଇଛି । ହେଲେ ଏଥର ଜୁଲାଇ ୧୪ ତାରିଖ ପରେ କେତେବେଳେ କେମିତି ବର୍ଷା ହୋଇ ରେନ୍‌ଫଲ ଡାଟା ଅନୁଶାରେ ୧୮ ତରିଖ ପର୍ଯ୍ୟନ୍ତ ୮୭ ମିମି ବର୍ଷା ରେକର୍ଡ ହୋଇଛି । ଏ ନେଇ ଚାଷୀ ହଳ କରି ସଙ୍ଗେ ସଙ୍ଗେ ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥର ବୁଣାବୁଣି ଅପେକ୍ଷା ଧାନ ତଳି ରୁଆ ଅଧିକ କରିବାକୁ ଚାଷୀମାନେ ଆଗ୍ରହୀ ହେଉଛନ୍ତି ।
ଖଡିଅଂଟା ଚାଷୀ ଅଜୟ ନାୟକ କୁହନ୍ତି, ଚଳିତବର୍ଷ ବର୍ଷା ନ ହେବା, କେନାଲ ପାଣି ନ ଆସିବାରୁ ଆମର ଚାଷ କାର୍ଯ୍ୟ ପଛେଇଯାଇଛି । ୧୧ ଏକର ଜମିରେ ଧାନ ରୁଆ ଚାଷ କରିବୁ । ଆଗକୁ ବର୍ଷା ପରିମାଣ କମିଗଲେ ଧାନ ରୁଆ କାର୍ଯ୍ୟ ବିଗିଡ଼ିଯିବ । ଏଥିସହ ଚାଷ କାର୍ଯ୍ୟ ପାଇଁ ମଜୁରିଆ ସମସ୍ୟା ଦେଖାଦେଇଛି ।
ସାନଜରିଆ ଚାଷୀ ସୁରେନ୍ଦ୍ର ପରିଡ଼ା କହିଛନ୍ତି, ଚଳିତବର୍ଷ ବର୍ଷାର ପରିମାଣ କମ୍ ହୋଇଛି । ଫଳରେ ଧାନ ବୁଣା ଏବଂ ରୁଆ କାର୍ଯ୍ୟରେ ବିଳମ୍ବ ହେଉଛି । ଆମେମାନେ ବହୁତ ଚିନ୍ତାରେ ପଡ଼ିଯାଇଛୁ । ଆଗକୁ ବର୍ଷା ନ ହେଲେ ଅଳ୍ପ ଅଳ୍ପ ବୁଣା ଯାଇଥିବା ଧାନ ଗଜା ମରୁଡ଼ି ହୋଇଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଯଦି କିଛି ସରକାରୀ ସାହାଯ୍ୟ ମିଳିପାରନ୍ତା ତା’ ହେଲେ ମଧ୍ୟ କିଛି ଆଶ୍ୱସ୍ତି ମିଳିବ ।
କୃଷକ ନେତା ବିଜୟ ଦାସଙ୍କ କୁହନ୍ତି ପୂର୍ବଭଳି ଆଉ ଚାଷ କାର୍ଯ୍ୟରେ ମନ ବଳାଉନାହାନ୍ତି ଚାଷୀ । ଅନ୍ୟ କୌଣସି କାର୍ଯ୍ୟ ନ ପାଇ ପେଟ ପୋଷିବା ସହ ବେଉସା ବଂଚାଇବାକୁ ବାଧ୍ୟ ହୋଇ ଚାଷ କାର୍ଯ୍ୟ କରୁଛୁ । ଚାଷ ଜମି ମଧ୍ୟ କମି କମି ଆସିଲାଣି । ଧାନ ଫସଲ ଉପଯୋଗୀ ସହର ତଳି ସମତଳ ଜମି ସବୁ କୋଠା ହେଲାଣି । ଆବଶ୍ୟକ କିସମର ବିହନ ମିଳୁନି । ତେଣୁ ଅଧିକାଂଶ ଚାଷୀ ବିହନ ଚଢା ଦରରେ କିଣୁଛନ୍ତି । ବର୍ଷା ଆବଶ୍ୟକ ଠାରୁ କମ ହୋଇଛି । ଆଗକୁ ନିଅଂଟିଆ ବର୍ଷା ହେଲେ ପୂର୍ବଭଳି ମରୁଡି ପରିସ୍ଥିତି ଉପୁଜିବା ଆଶଙ୍କା । କାରଣ କେନାଲ ଜଳ ଉପରେ ଆଉ ଭରସା କରି ହେଉନି । ପୂର୍ବ ଭଳି କେନାଲରେ ମଧ୍ୟ ପାଣି ଆସୁନିି । ଆମର ଏଠାରେ ମଧ୍ୟ ନଦୀ ଜଳ ସଂଗ୍ରହ କରି ରଖିବାକୁ କୌଣସି ଆନ୍ନିକଟର ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ବୋଲି କହିଛନ୍ତି ।