କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର



କେନ୍ଦ୍ରାପଡ଼ା, ୨ା୯ : କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, କେନ୍ଦ୍ରାପଡ଼ା ତହସିଲଦାର ତାପସ ଦେହୁରୀ ଓ ବିଡିଓ ବନ୍ଦନା ଖଟୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରିଣୀ ଡା. ଅନୀତା ପଟ୍ଟନାୟକ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ। ଆଜିର ଅଭିଯୋଗ ଶୁଣାଣିରେ ମୋଟ୍ ୨୨୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୪୧ ଗୋଟି ସାମୁହିକ ଏବଂ ୧୮୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ୧୫ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିବା ବେଳେ ରେଡ୍‌କ୍ରସ୍ ପାଣ୍ଠିରୁ ୬ ଜଣ ଆବେଦନକାରୀଙ୍କୁ ଚିକିତ୍ସା ସହାୟତା ଓ ଥଇଥାନ ବାବଦରେ ମୋଟ୍ ୨୮ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ, ପାରିବାରିକ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହିନ ପଟ୍ଟା, ଚିକିତ୍ସା ପାଇଁ ଆର୍ଥୀକ ସହାୟତା,ରାସନ୍‌କାର୍ଡ଼ ପ୍ରଦାନ, ବାର୍ଦ୍ଧକ୍ୟ ଭତା, ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ ଆବେଦନ ଆଦି ଦରଖାସ୍ତ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା। ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ଗ୍ରାମ୍ୟ ସମସ୍ୟା, ଓଏଲଆର ସିଲିଂ ପଟ୍ଟା, ନୂତନ ରାଜସ୍ୱ ଗ୍ରାମ ଘୋଷଣା, ଜଳ ନିଷ୍କାସନ, ଗ୍ରାମ୍ୟ ରାସ୍ତା ମରାମତି ଓ ନିର୍ମାଣ, ସରକାରୀ ରାସ୍ତା ଅବରୋଧ ହଟାଇବା, ସର୍ବସାଧାରଣ ସମ୍ପତିର ସୁରକ୍ଷା, ସରକାରୀ ଜମିର ସୁରକ୍ଷା ଓ ବେଆଇନ ଅବରୋଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଭିଯୋଗ ଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading