ବସୁନ୍ଧରା ଯୋଜନା ଅଧୀନରେ ହୋମଷ୍ଟେଡ୍ ଜମି ବଣ୍ଟନ ନିମନ୍ତେ ଜିଲ୍ଲାସ୍ତରୀୟ ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ତା ୦୪/୦୯/୨୦୨୪ : ଜମି ପରିଚାଳନା ଏବଂ ଅଭାବି ଲୋକଙ୍କୁ ଏହାର ବଣ୍ଟନ ହେଉଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଦୟିତ୍ୱ । ଏହି ଉପଲକ୍ଷେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଡିଟୋରିଅମଠାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ତହସିଲଦାର, ରେଭିନ୍ୟୁ ସୁପରଭାଇଜର, ରାଜସ୍ୱ ନିରିକ୍ଷକ, ସହାୟକ ରାଜସ୍ୱ ନିରିକ୍ଷକ, ଅମିନମାନଙ୍କର ବସୁନ୍ଧରା ଯୋଜନା ସମ୍ବନ୍ଧୀୟ ଏକ ତାଲିମ, ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସକାଳ ୯.୩୦ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ମିନିଟରେ ଶେଷ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଉକ୍ତ ତାଲିମର ଉପଦେୟତା ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତି ବସୁନ୍ଧରା ଯୋଜନାର କାର୍ଯ୍ୟକାରିତା ଓ ଜିଲ୍ଲାରେ ଚାଲିଥିବା ସର୍ଭେ ସମ୍ପର୍କରେ ବିସୃତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରାଯାଇଥିଲା ଯେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୫୯୫ଗ୍ରାମ ମଧ୍ୟରୁ ଏ ପର୍ଯ୍ୟନ୍ତ ୭୨୧ ଗ୍ରାମରେ ଭୂମିହୀନ ପରିବାର ସମ୍ପର୍କରେ ସର୍ଭେ କରାଯାଇଛି । ଭୂମିହୀନ ଜମି ବସୁନ୍ଧରା ଯୋଜନାରେ ପାଇବା ପାଇଁ ମୋଟ ୧୨୪୭ ଜଣ ଦରଖାସ୍ତକାରୀ ଆବେଦନ କରିଥିବା ବେଳେ ଅନୁସୂଚିତ ଜନ ଜାତି-୨, ଅନୁସୂଚିତ ଜାତି-୧୧୦, ଏସସିବିସି-୭୦ ଓ ଅନ୍ୟାନ୍ୟ-୧୦୬୫ ଅଛନ୍ତି । ଓପିଏଲଇ ଆକ୍ଟରେ ଏସି-୨,ଏସସିବିସି-୧୩, ଅନ୍ୟାନ୍ୟ-୧୧ ମୋଟ ୨୬ ଜଣ ଭୂମିହୀନ ପରିବାର ସରକାରୀ ଜମି ଦାଖଲରେ ଅଛନ୍ତି । ସୂଚନା ଯୋଗ୍ୟ ଯେ ୧୯୭୪-୭୫ ମସିହା ପରଠାରୁ ପ୍ରତ୍ୟେକ ଗୃହହୀନ ପରିବାରକୁ ସରକାରୀ ଜମି ଯୋଗାଇ ଦିଆଯାଉଛି । ଏହି ଗୁରୁତ୍ୱପୂର୍ଣ କାର୍ଯ୍ୟର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ସର୍ବୋଚ୍ଚ ସ୍ତରରୁ କ୍ଷେତ୍ରସ୍ତର ପର୍ଯ୍ୟନ୍ତ ଜୋରଦାର ପ୍ରୟାସ କରାଯାଉଛି ।୨୦୦୪-୦୫ ମସିହାର ସର୍ଭେରପୋର୍ଟ ଅନୁଯାୟୀ ରାଜ୍ୟରେ ପ୍ରାୟ ୨,୪୯,୩୩୪ ଗୃହହୀନ ପରିବାର ଥିଲେ ଓ ୨୦୦୫-୦୮ ମସିହା ଅର୍ଥାତ ୩ ବର୍ଷ ମଧ୍ୟରେ ୨,୨୯,୮୮୫ ସଂଖ୍ୟାର ଗୃହହୀନ ପରିବାରକୁ ହୋମଷ୍ଟେଡ ଜମି ଯୋଗାଇ ଦିଆଯାଇଛି । ଗୃହହୀନ ଓ ଭୂମିହୀନ ବ୍ୟକ୍ତିଙ୍କ ବାର୍ଷିକ ଆୟ ସୀମାକୁ ୧୫,୦୦୦ରୁ ୨୪,୦୦୦କୁ ବୃଦ୍ଧି କରାଯାଇଛି । ଡେପୁଟି କଲେକ୍ଟର (ରେଭିନ୍ୟୁ) କୁଇନି ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଓ ଶେଷରେ ସେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ସୁଭଦ୍ରା ଯୋଜନା ଫର୍ମ ବଂଟନ ଆରମ୍ଭ ; ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ପାଇଁ ଲମ୍ବା -ଲାଇନ୍‌

Thu Sep 5 , 2024
ପଟ୍ଟାମୁଣ୍ଡାଇ ୪/୯-ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ଆବେଦନ ପରେ କେ ୱାଇ ସି ଯାଂଚ କରାଯାଇ ହିତାଧିକାରୀ ତାଲିକା ଚୂଡାନ୍ତ ହେବ। ସେପ୍ଟମ୍ବର ୧୭ ତାରିଖରେ ଯୋଜନାର ଶୁଭାରମ୍ଭ କରାଯାଇ କାର୍ଡ ସହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବା ନେଇ ଗାଇଡଲାଇନ ଆସିବା ପରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ମହିଳାଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏଥିନେଇ ଅଙ୍ଗନୱାଡି କେନ୍ଦ୍ର, […]

KANIKA