ବାଇକ ଚୋରୀ ରାକେଟର ୬ଗିରଫ, ୯ ବାଇକ ଓ ୬ଟି ମୋବାଇଲ ଜବତ



କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ବାଇକ ଚୋରୀ ର‌୍ୟାକେଟ୍‌ର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରୀ ବାଇକ ସମେତ ୬ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟ ୨ଜଣ ଚୋର ଫେରାର ହୋଇଯାଇଛନ୍ତି। ଏସମ୍ପର୍କରେ ଟାଉନ ଥାନା ପକ୍ଷରୁ ଗୁରୁବାର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ କହିଛନ୍ତି ।

ଗତ ୩ତାରିଖରେ ପୁରୁଣା ମେଡିକାଲ ଛକ ନିକଟସ୍ତ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ସମ୍ମୁଖରୁ ଏକ ବାଇକ ଚୋରୀ ହୋଇଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତି କରି ଥାନା କେଶ ନମ୍ବର ୧୮୩/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ଦଫା ୩୦୩(୨)ରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଜାରି ରହିଥିଲା। ୪ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ଟାଉନ ଥାନା ଏଏସଆଇ. ଅଶୋକ କୁମାର ମାଝି ତୁଳସୀ ମହିଳା ମହାବିଦ୍ୟାଳୟ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତା ଦେଇ ଜଣେ ଯୁବକ ଅତ୍ୟନ୍ତ ଦ୍ରୁତ ଗତିରେ ଯାଉଥିବାର ଦେଖି ତାକୁ ଅଟକାଇଥିଲେ। ସେହି ଗାଡିର କାଗଜପତ୍ର ଯାଂଚ ବେଳେ ଯୁବକ ଜଣଙ୍କ କୈାଣସି କାଗଜପତ୍ର ଦେଖାଇ ପାରିନଥିଲେ। ପୋଲିସ ସେହି ବାଇକ ଓ ଯୁବକ ଜଣଙ୍କୁ ଥାନାକୁ ଆଣି ତଦନ୍ତ କରିବାରେ ସେହି ବାଇକଟି ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ଚୋରୀ ହୋଇଥିବା ବାଇକ ବୋଲି ଜଣାପଡିଥିଲା। ବାଇକ ନେଇ ଦ୍ରୁତ ଗତିରେ ଯାଉଥିବା ଯୁବକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମର ବିଦ୍ୟାଧର ମଳିକଙ୍କ ପୁଅ କାହ୍ନୁ ଓରଫ ଡଗୁଆ ଓରଫ କାହ୍ନୁ ଚରଣ ମଳିକ। ଏହି ବାଇକ ଚୋରୀ ଘଟଣାକୁ ନେଇ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ତାଳଚୂଆ ସାମୁଦ୍ରିକ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଥିଲେ। ସେହି ଟିମ କାହ୍ନୁକୁ ପଚରା ଉଚୁରା କରିବାରେ ତା’ ପାଖରୁ ତଥ୍ୟ ହାସଲ କରି ତାଳଚୂଆ ସାମୁଦ୍ରକ ଥାନା ଅଧିନ ତାଳଚୂଆ ବଜାରରେ ଥିବା ଏକ ଗ୍ୟାରେଜରୁ ୯ଟି ଚୋରା ବାଇକ ପୋଲିସ ଜବତ କରିବା ସହ ସେହି ବାଇକ ଚୋରୀ ର‌୍ୟାକେଟରେ ସଂପୃକ୍ତ ଅନ୍ୟ ୫ଜଣଙ୍କୁ ଗିରଫ କରିଥିଲା। ଏଥିସହିତ ସେମାନଙ୍କ ଠାରୁ ୬ଟି ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଥିଲା। ଏହି ବାଇକ ଚୋରୀ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୨ଜଣ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇନାହିଁ। ଏହି ବାଇକ ଚୋରୀ ର‌୍ୟାକେଟର ମାଷ୍ଟର ମାଇଣ୍ଡ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମର ବିଦ୍ୟାଧର ମଳିକଙ୍କ ପୁଅ ଡଗୁଆ ଓରଫ କାହ୍ନୁ ଚରଣ ମଳିକ, ତାଳଚୂଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରଙ୍ଗଣୀ ଗ୍ରାମର ସପନ ଜେନାଙ୍କ ପୁଅ ଗୋବିନ୍ଦ ଜେନା(୩୪), ସେହି ଥାନା ଅନ୍ତର୍ଗତ ଶୈଳେନ୍ଦ୍ରନଗର(କୃଷ୍ଣନଗର) ଗ୍ରାମର ଜିଆତ୍ ଅଲ୍ଲୀ ଖାନ୍‌ଙ୍କ ପୁଅ ରହେମାନ ଅଲ୍ଲୀଖାନ(୨୮),ତ୍ସେହି ଥାନା ଅନ୍ତର୍ଗତ ଗରଡ ଗ୍ରାମର ବାଦଲ ଦାସଙ୍କ ପୁଅ ଶକ୍ତିପଦ ଦାସ(୨୭), ସେହି ଥାନା ଅନ୍ତର୍ଗତ ତ୍ରିଲୋଚନପୁର(ଡାଙ୍ଗମାଳ) ଗ୍ରାମର ବିମଳ କୁମାର ଜାନାଙ୍କ ପୁଅ ସହଦେବ ଜାନା(୩୩) ଓ ସେହି ଥାନା ଅନ୍ତର୍ଗତ ରଙ୍ଗଣୀ ଗ୍ରାମର ବାସୁଦେବ ଭୂୟାଁଙ୍କ ପୁଅ ଟିଙ୍କୁ ଭୂୟାଁ(୩୪)କୁ ପୋଲିସ ଗିରଫ କରି ଥାନା କେଶ ନମ୍ବର ୧୮୫/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ଦଫା ୩୦୩(୨)/୩୧୭(୨)/ ୩(୫)ରେ ଆଜି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧଳ ସୂଚନା ଦେଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ତାଳଚୂଆ ସାମୁଦ୍ରିକ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଟାଉନ ଥାନା ସବଇନିସପେକ୍ଟର ରତିକାନ୍ତ ନାୟକ, ଏ.ଏସ.ଆଇ. ତଥା ଏହି ମାମଲାର ତଦନ୍ତକାରୀ ଅଧିକାରୀ ଅଶୋକ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading