ପୁର୍ନବାସ ପକ୍ଷରୁ ମେରୁଦଣ୍ଡ ଆଘାତ ସଚେତନତା କର୍ମଶାଳା


କେନ୍ଦ୍ରାପଡା ୬/୯- ସମୁଦାୟ ୨୧ ପ୍ରକାର ଭିନ୍ନକ୍ଷମତା ମଧ୍ୟରୁ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ବର୍ଗରେ ଗଣିତ ହେଉଥିବା ମେରୁଦଣ୍ଡ ଆଘାତ ଭିନ୍ନକ୍ଷମମାନେ ସବୁଠାରୁ ଅଧିକ ଦୁର୍ବିସହ ଜୀବନ ଅତିବାହିତ କରି ଥାଆନ୍ତି । ପରିସଂଖ୍ୟାନରୁ ଜଣାଯାଏ,ସାରା ପୃଥିବୀରେ ଯେତେ ମେରୁଦଣ୍ଡ ଆଘାତ ଭିନ୍ନକ୍ଷମତାର ଘଟଣା ଘଟୁଛି, ସେଥିମଧ୍ୟରୁ କେବଳ ଶତକତା ୫୦ ଭାଗ ସଡ଼କ ଦୁର୍ଘଟଣାରୁ ଓ ବାକି ଅଧିକାଂଶ ଉଚ୍ଚ ସ୍ଥାନରୁ ଖସି ପଡିବା ଓ ଅନ୍ୟାନ୍ୟ ରୋଗ କାରଣରୁ ହୋଇଥାଏ। ଥରେ ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇ ସ୍ୱଳ୍ପରୁ ଗୁରୁତର ଭିନ୍ନକ୍ଷମତା ଭୋଗ କରୁଥିବା ବ୍ୟକ୍ତି ବିଶେଷମାନଙ୍କ ଆଘାତ ପରବର୍ତ୍ତୀ ଜୀବନ ସାମାଜିକ ବିଛିନ୍ନତା, ଅର୍ଥନୈତିକ ଅବନ୍ନତି ଓ ନାନାଦି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଅତିକ୍ରମ କରିବାକୁ ହୋଇଥାଏ । କେବଳ ସଚେତନତା ମାଧ୍ୟମରେ ଏହିପରି ଗୁରୁତର ଭିନ୍ନକ୍ଷମତାକୁ ଅନେକ ପରିମାଣରେ ପ୍ରତିହତ କରା ଯାଇପାରିବ । ଏହି ଉଦ୍ଦେଶ୍ୟରେ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟରତ ସେଚ୍ଛାସେବୀ ଅନୁଷ୍ଠାନ ପୁର୍ନବାସ ପକ୍ଷରୁ ସେପ୍େଟମ୍ବର ୫ ତାରିଖ , ବିଶ୍ୱ ମେରୁଦଣ୍ଡ ଆଘାତ ସଚେତନତା ଦିବସ ଅବସରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏହାର ପ୍ରତିଷ୍ଠାତା ଓ ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଞ୍ଚାଳନରେ ବିଶେଷଜ୍ଞ ରୂପେ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ବରେନ୍ଦ୍ର କୁମାର ଦାସ, ଉତ୍ତର ଓଡ଼ିଶାର ମେଡିକାଲ କଲେଜର ପ୍ରାକ୍ତନ ପ୍ରାକୃତିକ ଥେରାପି ଓ ଯୋଗର ସହକାରୀ ପ୍ରଫେସର ଡାକ୍ତର ମୋନାଲି ମଧୁସ୍ମିତା,ଫିଜିତଥେରାପିଷ୍ଟ ରଚିତା ଜେନା ଓ ସ୍ୱତନ୍ତ୍ର ଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରୂପାଲି ପ୍ରିୟଦର୍ଶନୀ ମେରୁଦଣ୍ଡ ଆଘାତର ଶାରୀରିକ,ଚିକିତ୍ସା ବିଜ୍ଞାନଗତ, ଯୋଗକୈନ୍ଦ୍ରିକ ଉପଚାର ଓ ସାମାଜିକ ସୁରକ୍ଷା ଦିଗ ପ୍ରତି ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ମେରୁଦଣ୍ଡ ଆଘାତ ଭିନ୍ନକ୍ଷମମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ । ପୁର୍ନବାସ ପକ୍ଷରୁ ପ୍ରତ୍ୟେକଙ୍କୁ ସେମାନଙ୍କ ଦୈନନ୍ଦିନ ମୁତ୍ରାଶ୍ରୟ ପରିଚାଳନାର ଗୁରୁତର ଆବଶ୍ୟକତାକୁ ଦେଖି ୬ ମାସ ନିମନ୍ତେ ଆବଶ୍ୟକୀୟ ଉପକରଣ କିଟ୍ ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାକୁ ପୁର୍ନବାସ ପକ୍ଷରୁ ସଭ୍ୟ ବଂଶୀଧର ମହାନ୍ତି, ଜ୍ୟୋତି ରଞ୍ଜନ ନାୟକ, ଶେଷଦେବ ଦାସ, ମହମ୍ମଦ ଜାହିଦ୍ ଖାନ୍‌, କାଉନସିଲର ସଞ୍ଜିବ କୁମାର ଜେନା,ସ୍ୱପ୍ନାଂଶୁ କୁମାର ଦାସ, ରଞ୍ଜନ ସ୍ୱାଇଁ, ଥେରାପିଷ୍ଟ ଚନ୍ଦନ କୁମାର ଜେନା,ଗୁଞ୍ଜନସ୍ମିତା ବେହେରା,ମିହିର ରଞ୍ଜନ ବାରିକ,ଦୀପକ୍ ସାହୁ,ଗାୟତ୍ରୀ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରସଭ୍ୟା ରଶ୍ମିତା ସିଂହ,ନୃସିଂହ ଚରଣ ତ୍ରିପାଠୀ,କ୍ଷିରୋଦ କର,କିରଣବାଳା ଚୌଧୁରୀ ଏବଂ କାଉନସିଲର କନକଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ଅନୁଷ୍ଠାନର ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading