ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବୁଲିଲା ସଚେତନତା ଗାଡି



କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡର୍ ଫ୍ଲୁ ହୋଇଥିବା ଶନିବାର ରାତିରେ ସ୍ପଷ୍ଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସଚେତନତା ଗାଡି ବୁଲିଛି। ଏହି ଗାଡି କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ବ୍ଲକ ସମେତ କେନ୍ଦ୍ରାପଡ଼ା ପୌରାଞ୍ଚଳରେ କୁକୁଡ଼ା ମାଂସ ବିକ୍ରି, କୁକୁଡ଼ା ଅଣ୍ଡା ବିକ୍ରି ଉପରେ ରୋକ ଲଗାଯାଇଥିବା ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ନ ଖାଇବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏ ନେଇ ଏକ ବୈଠକ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଡେରାବିଶ ବ୍ଲକ ଅଧିନସ୍ଥ ଏଣ୍ଡର ଓ ବାଲିଆ ଗ୍ରାମସ୍ଥିତ ଗୃହପାଳିତ ପକ୍ଷୀମାନଙ୍କଠାରୁ ସେପ୍ଟେମ୍ବର ୫ ତାରିଖରେ ନମୁନା ସଂଗ୍ରହ କରାଯାଇ ୬ ତାରିଖରେ ମଧ୍ୟପ୍ରଦେଶର ଭୋପାଳରେ ଥିବା ଜାତୀୟ ଉଚ୍ଚ ନିରାପତ୍ତା ସମ୍ପନ୍ନ ପ୍ରାଣୀରୋଗ ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ପ୍ରେରଣ କରାଯାଇଥିଲା । ବାର୍ଡ ଫ୍ଲୁ ରୋଗ ଚିହ୍ନଟର ପ୍ରମାଣ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି। ଫଳରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବସିଥିଲା। ସେହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ରାଜନଗର ବନଖଣ୍ଡ ଅଧିକାରୀ କେ ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚିଦାନନ୍ଦ ମିଶ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ସୁବ୍ରତ ମହାପାତ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଦେଇଥିଲେ । ଯେପରି ଏହାଦ୍ୱାରା ଅନ୍ୟ ଅଞ୍ଚଳ ଏବଂ ମନୁଷ୍ୟମାନଙ୍କୁ ସଂକ୍ରମିତ ନ ହୁଏ ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏଣ୍ଡର ଏବଂ ବାଲିଆ ଗ୍ରାମ ସ୍ଥିତ ସଂକ୍ରମିତ ଅଞ୍ଚଳରୁ ଏକ କିଲୋମିଟର ମଧ୍ୟରେ ସମସ୍ତ କୁକୁଡାଙ୍କୁ ମାରି ପୋତି ଦିଆଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ହୋଇଥିବା କ୍ଷତିପୂରଣ ଚାଷୀମାନଙ୍କୁ ପ୍ରଦାନ କରାଯିବ। ସଂକ୍ରମିତ ଅଞ୍ଚଳ ଭିତରକୁ ଆସୁଥିବା ଏବଂ ସଂକ୍ରମିତ ଅଞ୍ଚଳରୁ ବାହାରକୁ ଯାଉଥିବା କୁକୁଡା ଓ କୁକୁଡାଜାତ ଦ୍ରବ୍ୟ ଉପରେ କଟକଣା ଜାରି କରାଯାଇଛି। ସଂକ୍ରମିତ ଅଞ୍ଚଳରୁ କୁକୁଡା ମରା ଅଭିଯାନ ସମାପ୍ତ ହେବା ପରେ ସଂକ୍ରମିତ ଫାର୍ମଗୁଡିକର ବିଶୋଧନ କରାଯିବା ଏଗୁଡିକର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ସଂକ୍ରମିତ ଅଞ୍ଚଳ ବାହାରେ ଏକ କିଲୋମିଟରରୁ ୧୦କିଲୋମିଟର ମଧ୍ୟରେ କୁକୁଡାଙ୍କର ନିରୀକ୍ଷଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ଏହିସବୁ ଅଞ୍ଚଳରେ କୁକୁଡ଼ା ଅଣ୍ଡା ଓ କୁକୁଡା ମାଂସ ଖାଇବା ପାଇଁ ବାରଣ କରାଯାଇଛି ।


Next Post

ଆଶ୍ରମରେ ଶିବାନନ୍ଦଙ୍କ ଜୟନ୍ତୀ ଉତ୍ସବ

Sun Sep 8 , 2024
କେନ୍ଦ୍ରାପଡ଼ା,୮ା୯: ବିଶ୍ୱ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସଦ୍‌ଗୁରୁ ଦେବ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୧୩୭ତମ ଜନ୍ମଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପ୍ରଭାତରୁ ନଗର ପରିକ୍ରମା, ସଂକୀର୍ତ୍ତନ, ଦିବ୍ୟ ଶ୍ରୀବଳଦେବଜୀଉ ଏବଂ ଶ୍ରୀ ଦିନ୍ୱେଶ୍ୱର ମନ୍ଦିରେ ପୂଜାର୍ଚ୍ଚନା ପରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କ ପାଦପୂଜା କରିଥିଲେ । ଏହାପରେ ଶ୍ରୀମାଙ୍କ ଅଧ୍ୟକ୍ଷତାରେ […]

KANIKA